Odiapua.com

ଧାମରାକୁ ପାସେଞ୍ଜର ଟ୍ରେନ ଚଳାଚଳ ଦାବିର ତଦନ୍ତ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକରୁ ଧାମରାକୁ ଏକ ପାସେଞ୍ଜର ଟ୍ରେନ ଚଳାଚଳ କରାଯିବା ନିମନ୍ତେ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ କରିଥିବା ଦାବିକୁ ରେଳମନ୍ତ୍ରୀ ଶୁଣିଥିବା ଜଣାଯାଇଛି । ଧାମରା ଏକ ଉପାନ୍ତ ଅଞ୍ଚଳ ଭାବେ ରହିଛି । ଯଦିଓ ଏହା ଚାନ୍ଦବାଲି ବ୍ଲକ ଅଧିନ ଅଟେ, ତେବେ ଚାନ୍ଦବାଲି ସହ ଏହାର ଯୋଗାଯୋଗରେ ନଦୀ ବାଧକ ରହିଛି । ଭଦ୍ରକରୁ ଲୋକେ ଧାମରା ଯାତାୟତ କରିବାକୁ ବସ୍ ଓ ଛୋଟ ଗାଡ଼ି ଉପରେ ନିର୍ଭର କରିଥାନ୍ତି । ଧାମରାରୁ ଭଦ୍ରକ ପର୍ଯ୍ୟନ୍ତ ରେଳ ଧାରଣା କାର୍ଯ୍ୟକ୍ଷମ ରହିଥିବା ବେଳେ ଭଦ୍ରକ ଓ ଧାମରା ମଧ୍ୟରେ ସ୍ଥାପିତ ରେଳ ଷ୍ଟେସନ ଗୁଡ଼ିକରେ ମଧ୍ୟ ଭିତ୍ତିଭୂମି ରହିଛି । ଏହି ରାସ୍ତାରେ ଧାମରାରୁ କୋଇଲା ବୋଝେଇ ଟ୍ରେନ ନିୟମିତ ଯାଉଛି । ଏହି ରାସ୍ତାରେ ପାସେଞ୍ଜର ଟ୍ରେନ ଭାବେ ଚଳାଚଳ କରିବାରେ କୌଣସି ଅସୁବିଧା ନାହିଁ ବରଂ ପାସେଞ୍ଜର ଟ୍ରେନ ଚାଲିଲେ ଲକ୍ଷଲକ୍ଷ ଲୋକ ଉପକୃତ ହୋଇ ପାରିବେ । ଏହି ଦାବି ନେଇ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରେଳମନ୍ତ୍ରୀଙ୍କୁ ରେଳ ଚଳାଚଳ ପାଇଁ ଅନୁରୋଧ କରିଥିଲେ । ଶ୍ରୀ ପାଢୀଙ୍କ ଦାବି ଏବଂ ଧର୍ମେନ୍ଦ୍ରଙ୍କ ଅନୁରୋଧକୁ ହୃଦୟଙ୍ଗମ କରି ରେଳମନ୍ତ୍ରୀ ବୈଷ୍ଣବ ଏହାର ଭିତ୍ତିଭୂମିର ତଦନ୍ତ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଧାମରାକୁ ଭଦ୍ରକରୁ ପାସେଞ୍ଜର ଟ୍ରେନ ଚଳାଚଳ କରିବାର ଉଜ୍ୱଳ ସମ୍ଭାବନା ଦେଖା ଦେଇଛି । ଏହାକୁ ନେଇ ବିଜେପି ଜିଲ୍ଲା ସଭାପତି ଶ୍ରୀ ପାଢୀ ଖୁସି ପ୍ରକଟ କରିବା ସହ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।