Odiapua.com

ଧାମରାଇ ଶିଳ୍ପ ପାର୍କ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କ୍ଷତିପୂରଣ, ପୂନର୍ବାସ ଓ ଥଇଥାନ ପ୍ୟାକେଜ୍ ପାଇଁ ପ୍ରକଳ୍ପ ସ୍ତରୀୟ ବୈଠକ

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଶିଳ୍ପ ପାର୍କ ପ୍ରତିଷ୍ଠା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଚାରିଗୋଟି ରାଜସ୍ୱ ଗ୍ରାମରେ ଜଗନ୍ନାଥ ପ୍ରସାଦ, ବଳଭଦ୍ର ପ୍ରସାଦ, ଲକ୍ଷ୍ମୀ ପ୍ରସାଦ ଓ କଇଥଖୋଲାରେ ବେସରକାରୀ ଜମି ଅନ୍ୟୁନ୍ୟ ୯୬୧ ଏକର ଭୂ ଅର୍ଜନ ପ୍ରସ୍ତାବର ୧୧(କ) ଅଧିସୂଚନା ଜାରିହେବା ପରେ ଏକ ଚିଠା ପୂନର୍ବାସ ଓ ଥଇଥାନ ଯୋଜନା ପ୍ରସ୍ତୁତ କରାଯାଇ ଏହାକୁ ବ୍ୟାପକ ଭାବରେ ପ୍ରକାଶନ କରାଯାଇଥିଲା । ଏହି କ୍ରମରେ ଫେବୃୟାରୀ ୨୦ ଓ ୨୧ ଦୁଇ ଦିନ ଧରି ବାତ୍ୟା ଆଶ୍ରୟସ୍ଥଳୀ, ବଳଭଦ୍ର ପ୍ରସାଦ ଠାରେ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ କ୍ଷତିଗ୍ରସ୍ତ ଚାଷୀମାନେ ଉପସ୍ଥିତ ରହି ଉକ୍ତ ଯୋଜନା ସମ୍ପର୍କରେ ହେଉଥିବା ଆଲୋଚନା ଚକ୍ରରେ ଭାଗନେଇ ଯୋଜନାଟିକୁ ସମ୍ପୂର୍ଣ୍ଣ ଭାବେ ସ୍ୱାଗତ କରିଥିଲେ । ଚିଠାରେ ଯୋଜନା ପ୍ରକାଶ ପାଇଥିବା ଚାରିଗୋଟି ବିସ୍ଥାପିତ ପରିବାର ଏବଂ ପ୍ରକଳ୍ପ ଦ୍ୱାରା ଜୀବିକା ହରାଉଥିବା ୯ ଜଣ ବ୍ୟକ୍ତିଙ୍କ ବ୍ୟତୀତ ଆଉ ୪୯ ଟି ଆପତ୍ତି ଦରଖାସ୍ତ ଜନ ଶୁଣାଣି ଶିବିରରେ ପ୍ରାପ୍ତ ହୋଇଥିଲା । ସେଗୁଡ଼ିକୁ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା କ୍ଷେତ୍ରୀୟ କର୍ମଚାରୀଙ୍କ ଦ୍ୱାରା ତଦନ୍ତ କରାଯାଇ ଆଉ ଗୋଟିଏ ପରିବାର ଜଗନ୍ନାଥ ପ୍ରସାଦରୁ ବିସ୍ଥାପିତ ହେଉଥିବା ତଥା ଆଉ ୧୧ଜଣ ବ୍ୟକ୍ତି ଜୀବିକା ହରାଉଥିବାର ପ୍ରମାଣ ମିଳିଥିଲା । ଇତି ମଧ୍ୟରେ ଓଡ଼ିଶା ସରକାର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ, ଭୁବନେଶ୍ୱର ନୋଟିଫିକେଶନ ନଂ – ୪୪୪୮ / ତା ୧୫/୦୨/୨୦୨୪ ରିଖରେ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ପ୍ରକଳ୍ପସ୍ତରୀୟ ପୂନର୍ବାସ ଓ ଥଇଥାନ କମିଟି ନିୟମାନୁଯାୟୀ ଗଠନ କରାଯାଇଅଛି ।

ଏହି କମିଟି ଜିଲ୍ଲାପାଳ ଭଦ୍ରକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ପ୍ରକଳ୍ପରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ସହିତ ବିସ୍ଥାପିତ ଓ ଜୀବିକା ହରାଉଥିବା ପରିବାରକୁ ପୁଃର୍ନବାସ ଓ ଥଇଥାନ ପ୍ୟାକେଜ ପ୍ରଦାନ କରିବା ପାଇଁ ଉକ୍ତ କମିଟିରେ ସ୍ଥିର କରାଗଲା । ଏହାଛଡ଼ା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସମସ୍ତ ପ୍ରଭାବିତ ପରିବାରକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ପାଇଁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ସହିତ ଦକ୍ଷତା ବିକାଶ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । କର୍ପୋରେଟ ସୋସିଆଲ ରେସପନ୍‌ସିବିଲିଟି କାର୍ଯ୍ୟକଳାପ ମାଧ୍ୟମରେ ପାରିପାର୍ଶିକ ଉନ୍ନତି କରଣ ତଥା ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା, ପାନୀୟଜଳ, ପରିମଳ ଇତ୍ୟାଦିକୁ ଗୁରୁତ୍ୱ ଦିଆଯିବା ସମ୍ପର୍କରେ ନିଷ୍ପତି ନିଆଗଲା । ସେହିପରି ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି ପାଇଁ ବ୍ୟାପକ ବନୀକରଣ ନିମନ୍ତେ ପ୍ରସ୍ତାବ ଦିଆଗଲା । ସ୍ଥାନୀୟ ଜନସାଧାରଣଙ୍କୁ ନିଯୁକ୍ତିରେ ଅଧିକାର ଦେବାପାଇଁ ପଦକ୍ଷେପ ନିଆଯିବା ନିମନ୍ତେ ନିଷ୍ପତ୍ତି ନିଆଗଲା । ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସହିତ ସାଂସଦଙ୍କ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ, ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷା ମିନତୀ ସୁତାର, ଇଡ଼ି.କୋ ଭୁବନେଶ୍ୱର ର ସାଧାରଣ ପରିଚାଳକ ଡା. ସ୍ୱାତୀ ମିଶ୍ର, ପ୍ରଶାସକ ତଥା ଆର ଏଣ୍ଡ ଆର ତଥା ଉପଜିଲ୍ଳାପାଳ, ଭଦ୍ରକ ମନୋଜ ପାତ୍ର, ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ଏ.ଏଲ.ଓ ଇଡ଼୍‌.କୋ ତାପସ ସାମଲ, ଜୋନ୍ ଅଫିସର ଭଦ୍ରକ ସୁଧାଂଶୁ ମୋହନ ସ୍ୱାଇଁ ଏବଂ ବି.ଏମ୍‌.ଏସ୍‌.ବି.ଆଇ ଦକ୍ଷିଣ ଧାମରା, ସ୍ୱେଚ୍ଛାସେବୀ ସଂସ୍ଥାରୁ ଦୀପକ ମହାପାତ୍ର, ରବି ସିଂ, ରମାକାନ୍ତ ସାମଲ, ଶକୁନ୍ତଳା ନାୟକ, ଭୂ ଅର୍ଜନ କାର୍ଯ୍ୟାଳୟର ସମ୍ପୃକ୍ତ କର୍ମଚାରୀ ଓ ଦୀପା ଟିମ୍ ର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।