Odiapua.com

ଧାମନଗର ହିଂସା ଘଟଣାରେ ଆଉ ୪ ଜଣ ଗିରଫ

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ମାସ ୨୭ ରେ ଧାମନଗର ରେ ଘଟିଥିବା ହିଂସା ଘଟଣାରେ ପୋଲିସ ଆଉ ୪ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଘଟଣାରେ ଗିରଫଦାରୀ ସଂଖ୍ୟା ୨୧ ରେ ପହଂଚିଛି। ଏବେ ବି ଆହୁରି ଅନେକ ଅଭିଯୁକ୍ତ ଫେରାର ଅଛନ୍ତି। ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀ କହିଛନ୍ତି। ସୋସିଆଲ ମିଡିଆରେ ଆପତିଜନକ ପୋଷ୍ଟ କୁ ନେଇ ଶତାଧିକ ଲୋକେ ସେପଟେମ୍ବର ୨୭ ରେ ଧାମନଗର ଥାନା ଘେରାଉ କରିଥିଲେ। ଧାମନଗର ବିଜୁ ପଟ୍ଟନାୟକ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା। ଘଟଣାପରେ ଧାମନଗର ପୋଲିସ ତରଫରୁ ମୋଟ ୫ ଟି ମାମଲା ରୁଜୁ କରାଯାଇଥିଲା। ମୋଟ୍ ୫ ଟି ମାମଲାରେ ୨୦୦ରୁ ଅଧିକ ବ୍ୟକ୍ତି ଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ଘଟଣାର ତଦନ୍ତ କରୁଥିବା ପୋଲିସ ପକ୍ଷରୁ ବର୍ତମାନ ସୁଦ୍ଧା ୨୧ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଦୋବଲ ଏବଂ ମୁସ୍ତଫାପୁର ରୁ ୯ ଜଣ ଅଛନ୍ତି। କିଛିଦିନ ପୂର୍ବରୁ ଦୋବଲ ଓ ମୁସ୍ତଫାରୁର ରୁ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଏହାପରେ ଗତକାଲି ଅର୍ଥାତ ଅକ୍ଟୋବର ୬ ରେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ଘର ଛାଡ଼ି ବାହାରେ ରହୁଥିଲେ। ତେବେ ପୋଲିସ ଟିମ୍ ସେମାନଙ୍କ ମୋବାଇଲ ନମ୍ବର ଟ୍ରାକ କରି ରବିବାର ରାତିରେ ଗିରଫ କରିବାରେ ସକ୍ଷମ ହୋଇଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟ ଚାଲାଣ ପରେ ସମସ୍ତ ଅଭିଯୁକ୍ତଙ୍କ ପକ୍ଷରୁ ଆଜି ଜାମିନ ଆବେଦନ କରାଯାଇଥିଲା। ହେଲେ ରବିବାର ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସରକାରୀ ଓକିଲ ବିରୋଧ କରିଥିଲେ। ଏହାପରେ ଧାମନଗର ଗ୍ରାମ୍ୟ ନ୍ୟାୟାଧିକାରୀ ବିଭୁ ପ୍ରସାଦ ନାୟକ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଅପରପକ୍ଷରେ ଦୋବଲ ଓ ମୁସ୍ତଫାପୁର ଅଂଚଳରୁ ପୂର୍ବରୁ ଗିରଫ ହୋଇଥିବା ୫ ଜଣଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ଆଦେଶ ମିଳିବା ପରେ ସେମାନେ ଜେଲରୁ ମୁକୁଳିଛନ୍ତି। ତେବେ ଧାମନଗର ରେ ଏବେବି ପୋଲିସ ବିଭିନ୍ନ ଛକ ବଜାର ରେ ମୃତୟନ ରହୁଛନ୍ତି ଏବେବି ରାତ୍ରୀ କାଳିନ ୧୬୩ ଧାରା ଜାରି ରହିଛି ଗିରଫ ଭୟରେ ବି ଅଭିଯୁକ୍ତ ମାନେ ଫେରାର ଅଛନ୍ତି ପୋଲିସ ନଜର ବି କଡ଼ାକଡ଼ି ରହିଛି ।