ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସେବା ସମବାୟ ସମିତିରେ ଜଗନ୍ନାଥ ସମ୍ପତି ଜମିରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ ନହେବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ସମିତିର ଧାନ ପଞ୍ଜୀକରଣ କାର୍ଯ୍ୟ ବନ୍ଦ କରିଦେଇଥିବା ଜଣାପଡ଼ିଛି। ପ୍ରକାଶ ଥାଉକି ଧାମନଗର ସେବା ସମବାୟ ସମିତି ଅଧୀନରେ ରାଧାବଲ୍ଲଭପୁର ପଂଚାୟତର ବହୁ ଚାଷୀ ରହିଛନ୍ତି। ପଞ୍ଚାୟତର ପ୍ରାୟ ୪୦୦ ଏକର ଜମି ଶ୍ରୀଜଗନ୍ନାଥ ମହାପ୍ରଭୁ, ପୁରୀଙ୍କ ମାର୍ଫତରେ ଥିବା ଏବଂ ଏହା ଜଗନ୍ନାଥ ସମ୍ପତି ଭାବେ ରେକର୍ଡଭୁକ୍ତ ଥିବା କୁହାଯାଉଛି। ଏହି ଜମିରେ ଚାଷ କରୁଥିବା ରାଧାବଲ୍ଲଭପୁରର ଚାଷୀଙ୍କ ଧାନ ପଞ୍ଜୀକରଣ ସରକାରୀ ସ୍ତରରେ ହୋଇପାରୁନଥିବା ଜାଣିବା ପରେ ଶତାଧିକ ଚାଷୀ ସମିତି କାର୍ଯ୍ୟାଳୟରେ ପହଂଚି ଆମ ଜମି ହୋଇପାରୁନାହିଁ ମାନେ ଆଉ କାହାର ହେବ ନାହିଁ କହି ପଞ୍ଜୀକରଣ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚାଷୀମାନେ ଦାବି କରିବା ସହ ହୋହାଲ୍ଲା କରିଥିଲେ। ନିରୁପାୟ ହୋଇ ସମିତି କର୍ମଚାରୀ ପଞ୍ଜୀକରଣ କାର୍ଯ୍ୟ ବନ୍ଦ କରିଦେଇଥିଲେ। ଫଳରେ ଗୁରୁବାର ଓ ଶୁକ୍ରବାର ଧାନ ପଞ୍ଜୀକରଣ ପାଇଁ ଆସିଥିବା ସାଧାରଣ ଚାଷୀ ଦୀର୍ଘ ସମୟ ଅପେକ୍ଷା କରି ନିରାଶ ହୋଇ ଫେରିଥିବା ଅଭିଯୋଗ ହୋଇଛି।ଚଳିତ ଖରିଫ ଋତୁ ପାଇଁ ଅଗଷ୍ଟ ୬ରୁ ଧାନ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ୩୧ ତାରିଖ ଶେଷ ତାରିଖ ରହିଛି। ସମିତିରେ ଏଯାବତ୍ ୫୩୭ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଆହୁରି ପ୍ରାୟ ୭୦୦ ଜଣ ଚାଷୀ ପଞ୍ଜୀକରଣ କରିବାକୁ ଅଛନ୍ତି। ଶେଷ ତାରିଖ ନିକଟତର ହୋଇଥିବା ବେଳେ ପଞ୍ଜୀକରଣ ବନ୍ଦ ହେବାରୁ ସାଧାରଣ ଚାଷୀଙ୍କ ଚିନ୍ତା ବଢ଼ିଛି। ଗୁରୁବାର ଓ ଶୁକ୍ରବାର ପଞ୍ଜୀକରଣ ପାଇଁ ସମିତିକୁ ଆସିଥିବା ଚାଷୀମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ କାମ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ସମସ୍ୟାର ଶୀଘ୍ର ସମାଧାନ ନହେଲେ ବହୁ ଯୋଗ୍ୟ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀ କରଣରୁ ବଂଚିତ ହେବାର ଆଶଙ୍କା ରହିଛି। ଏ ନେଇ ସମିତି ର ସମ୍ପାଦକ ବସନ୍ତ ରାଜ ସାହୁ ଧାମନଗର ଥାନା ରେ ଅଭିଯୋଗ କରିଛନ୍ତି । ଥାନାରେ ଲିଖିତ ଅଭିଯୋଗ କରି ବିଶୃଙ୍ଖଳା କରୁଥିବା ଚାଷୀଙ୍କ ପାଇଁ ପଞ୍ଜିକରଣ ବନ୍ଧ ରହିଥିବା ଓ ଏଥିରେ ସାଧାରଣ ଚାଷୀ ହଇରାଣ ହେଉଥିବାରୁ ପୁଲିସ ସହାୟତାର ଲୁଡ଼ିଛନ୍ତି। ପଞ୍ଜୀକରଣର ଶେଷ ତାରିଖ ଆଉ ମାତ୍ର କିଛି ଦିନ ଥିବାରୁ ସମସ୍ୟାର ତୁରନ୍ତ ସମାଧାନ କରି ସମସ୍ତ ଯୋଗ୍ୟ ଚାଷୀଙ୍କ ପଞ୍ଜୀକରଣ ସୁନିଶ୍ଚିତ କରିବାକୁ ଦାବି ହୋଇଛି।