Odiapua.com

ଧାମନଗର ସେବା ସମବାୟ ସମିତିର ସଂପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ ନିର୍ଦ୍ଦେଶ

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍‌ର ୧୨ଟି ସେବା ସମବାୟ ସମିତି ମଧ୍ୟରୁ ହାତଗଣତି ଗୋଟିଏ ଦୁଇଟିକୁ ଛାଡିଦେଲେ ଅନ୍ୟ ସମିତି ଗୁଡିକରେ ବହୁ ଦୁର୍ନୀତି ହେଉଛି । ସମିତିର ସଂପାଦକମାନେ କୋଟି କୋଟି ଟଙ୍କା ହଡପ କରୁଥିବାର ଅଭିଯୋଗ ହେଉଛି । ବମକୁରା ସେବା ସମବାୟ ସମିତିର ସଂପାଦକ ରାଧାଶ୍ୟାମ ପଣ୍ଡା ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବାବେଳେ ଚାଷୀଙ୍କ ଅଭିଯୋଗ ମୂଳେ ସେ ଗିରଫ ହୋଇ ଜେଲ୍ ଯାଇ ଚାକିରୀରୁ ନିଲମ୍ବିତ ହୋଇଛନ୍ତି । ଅନୁରୂପ ଧାମନଗର ସେବା ସମବାୟ ସମିତିର ଭାରପ୍ରାପ୍ତ ସଂପାଦକ ବସନ୍ତ ରାଜ ସାହୁ ମଧ୍ୟ ବିଭିନ୍ନ ସମୟରେ ସମିତିର ଅର୍ଥ ତୋଷରପାତ କରିବା ସହ ବେଆଇନ୍ ଋଣ ପ୍ରଦାନ କରିଛନ୍ତି । ଗୋଟିଏ ପରିବାରର ୧ ଏକର ୮୫ ଡିସିମିଲ୍ ଜମି ଦେଖାଇ ୨୨ ଲକ୍ଷ ଟଙ୍କା ଋଣ ବେଆଇନ୍ ଭାବେ ପ୍ରଦାନ କରିବା ନେଇ ସଂପାଦକ ଶ୍ରୀ ସାହୁଙ୍କ ନାମରେ ଅଭିଯୋଗ ଥିଲା । ଏ ନେଇ ଉକ୍ତ ସମିତିର ସଦସ୍ୟ ତଥା ରାଧାବଲ୍ଲଭପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶ୍ୱରଂଜନ ଘଡେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଏବଂ ଡବ୍ଲ୍ୟୁପିସି ନଂ ୩୬୧୩୯/୨୦୨୨ ରେ ଉଚ୍ଚ ନ୍ୟାୟାଳୟ ଜିଲାପାଳଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଭଦ୍ରକ ଜିଲାପାଳ ଘଟଣାର ମିଳିତ ତଦନ୍ତ କରିଥିଲେ । ପରବର୍ତ୍ତୀ ସମୟରେ ସମବାୟ ଉପନିବନ୍ଧକ ଓ ଜୋନାଲ ଅଫିସରଙ୍କ ତଦନ୍ତ ମୂଳେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ ପରେ ଜିଲାପାଳ ଉପନିବନ୍ଧକ ବାଲେଶ୍ୱରଙ୍କୁ ସଂପାଦକ ଶ୍ରୀ ସାହୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ସହକାରୀ ଉପ ନିବନ୍ଧକ, ଭଦ୍ରକ ଚଳିତମାସ ୨୧ ତାରିଖରେ ଚିଠି ନଂ ୫୦୭୮/୨୩ ରେ ଉକ୍ତ ସମିତିର ସଭାପତିକୁ ଜିଲାପାଳଙ୍କ ନିର୍ଦ୍ଦେଶ ମତେ ଭାରପ୍ରାପ୍ତ ସଂପାଦକ ବସନ୍ତରାଜ ସାହୁଙ୍କ ବିରୁଦ୍ଧରେ ଉଭୟ ଶୃଙ୍ଖଳାଗତ ଓ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସମବାୟ ନିବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ସମିତିର ସଭାପତି ଦେବାଶିଷ ମହାନ୍ତିଙ୍କ ସହ ଯୋଗାଯୋଗ କରାଯିବାରେ ସେ ବିଭାଗୀୟ ଅଧିକାରୀଙ୍କ ଚିଠି ପାଇଥିବା ବିଷୟ ସ୍ୱୀକାର କରି ଦିଆଯାଇଥିବା ୭ଦିନ ସମୟ ମଧ୍ୟରେ ଯାହା ନିଷ୍ପତ୍ତି ନେବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।