Odiapua.com

ଧାମନଗର ସେବାସମବାୟ ସମିତି ଆଗରେ ପ୍ରତିବାଦ ଓ ଧାରଣା

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସେବାସମବାୟ ସମିତିର କର୍ମଚାରୀ ନିଯୁକ୍ତି ବାବଦରେ ପ୍ରକାଶିତ ଗାଇଡ଼ଲାଇନ୍ ଯଥା ରେଜିଷ୍ଟାର ସେବାସମବାୟ ସମିତି ସମ୍ମୁହ ଓଡ଼ିଶା ପତ୍ରସଂଖ୍ୟା ୧୮୬୭୨ ତା ୩୧/୦୭/୨୦୦୯ରିଖ ଏବଂ ପତ୍ର ସଂଖ୍ୟା ୨୮୫୮ ତା ୦୭/୦୨/୨୦୧୧ ରିଖ ଅନୁସାରେ ଧାମନଗର ସେବାସମବାୟ ସମିତିରେ କାର୍ଯ୍ୟରତ ଥିବା କର୍ମଚାରୀମାନଙ୍କର ନିଯୁକ୍ତି କରାନଯାଇ ଏଥିରେ ବ୍ୟାପକ ଜାଲିଆତି କରାଯାଇଅଛି । ନିଯୁକ୍ତିବାବଦରେ ସରକାରଙ୍କ ଦ୍ୱାରା ପ୍ରକାଶିତ ଉପରୋକ୍ତ ଦୁଇଗୋଟି ନିୟମକୁ ଉଲ୍ଲଙ୍ଘନକରି ନିଜର ମନ୍ଦଉଦ୍ଦେଶ୍ୟ ରଖି ବର୍ତ୍ତମାନ କାର୍ଯ୍ୟରତ ସହସମ୍ପାଦକ ବସନ୍ତରାଜ ସାହୁଙ୍କୁ ଚାକିରି ଦିଆଯାଇଛି । ଅନୈତିକ ଉପାୟରେ ନିଯୁକ୍ତ ଦିଆଯାଇଥିବାର ଅଭିଯୋଗ ହୋଇଛି ।

ବର୍ତ୍ତମାନର ଉକ୍ତ ସମିତିର କର୍ମଚାରୀମାନେ ସଦାସର୍ବଦା ଚାଷୀମାନଙ୍କୁ ବିଭିନ୍ନ ଆଳରେ ଠକି ବିପୁଳ ଅର୍ଥ ହରିଲୁଟ୍ କରୁଥିବା ସଂଗେ ସଂଗେ ଅସାଧୁ ଉପାୟରେ ଏହି ଅର୍ଥ ଆତ୍ମସାତ କରୁଥିବାର ନେଇ ଆଜି ଶତାଧିକ ପୁରୁଷ ଓ ମହିଳାମାନେ ଧାମନଗର ସେବାସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସମ୍ପାଦକ ବସନ୍ତରାଜ ସାହୁ ସମିତି କାର୍ଯ୍ୟାଳୟ ଖୋଲିବାକୁ ଜିବାବେଳେ ତାଙ୍କୁ ଏହି ଧାରଣାରତ ବ୍ୟକ୍ତିମାନେ ଚାବିଖୋଲାଇ ଦେଇନଥିଲେ । ଖବରପାଇ ଧାମନଗର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ବିଚିତ୍ରାନନ୍ଦ ସାହୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହା ଉଚ୍ଚ ବିଭାଗୀୟଙ୍କ ନିକଟରେ ବିଚାରଧିନ ଥିବାବେଳେ ଆପଣ ଯାହା ଅଭିଯୋଗ କରିବା କଥା ଏଆରସିଏସ୍‌ଙ୍କ ନିକଟରେ ଅଭିଯୋଗ କରନ୍ତୁ ଅଯଥା ଏକ ଅର୍ଥଦେଣ ନେଣ ସଂସ୍ଥାକୁ ବେଆଇନ୍ ଭାବରେ ବନ୍ଦରଖି ଲୋକଙ୍କୁ ହଇରାଣ ନକରିବାପାଇଁ ସେ ପରାମର୍ଶ ଦେଇଥିଲେ ଏବଂ ଏକ ପ୍ରତିନିଧି ଦଳଙ୍କୁ ଡ଼ାକି ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା । ଅପରପକ୍ଷେ ଆନ୍ଦୋଳନକାରୀଙ୍କ ମଧ୍ୟରୁ କିଛିବ୍ୟକ୍ତି ବ୍ୟକ୍ତିଗତ ସ୍ୱାର୍ଥ ହାସଲନହେବା ଏବଂ କିଛିବ୍ୟକ୍ତି ଉକ୍ତ ସମିତିରେ ସଭ୍ୟନଥାଇ ବାରମ୍ବାର ଆସି ଏପରି ହଇରାଣ କରୁଛନ୍ତିବୋଲି ସମ୍ପାଦକ ବସନ୍ତରାଜ ସାହୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ତେବେ ଚାକିରିରେ କୌଣସି ଅନିୟମିତତା ହୋଇନାହିଁ । ସବୁପ୍ରକାର ଅଭିଯୋଗକୁ ମୁକାବିଲା କରିବାପାଇଁ ପ୍ରସ୍ତୁତବୋଲି ଶ୍ରୀ ସାହୁ ମଧ୍ୟ କହିଥିଲେ ।