Odiapua.com

ଧାମନଗର ସେବାସମବାୟ ସମିତିରେ ଅଣଚାଷୀଙ୍କ ଜୁଲମକୁ ନେଇ ପୁଣି ଚାଷୀଙ୍କ ମେଳି – ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ପ୍ରତିବାଦ ସଭା

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଧାମନଗର ସେବାସମବାୟ ସମିତିର ଦୀର୍ଘ କିଛିଦିନ ହେବ କେତେକ ଅସାମାଜିକ ବ୍ୟକ୍ତି ଓ ଅଣଚାଷୀମାନେ ବାରମ୍ବାର ଗଣ୍ଡଗୋଳ କରିବା ଦ୍ୱାରା ବିଭିନ୍ନ ସମୟରେ ଉକ୍ତ ସେବାସମିତିର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ଏହି ପ୍ରତିବାଦରେ ସୋମବାର ପୂର୍ବାହ୍ନରେ ଧାମନଗର ସେବାସମବାୟ ସମିତିର ଶତାଧିକ ଚାଷୀମାନେ ସମିତିଆଗରେ ପ୍ରତିବାଦ କରିବା ସହିତ ଅଭିଯୋଗ କରିଛନ୍ତିଯେ ସେମାନେ ସମିତିକୁ ଋଣ ନେବାପାଇଁ, ଋଣ ଅର୍ଥ ପୈଠ କରିବାପାଇଁ ଓ ଧାନବିକ୍ରୟ ନିମନ୍ତେ ଟୋକନ ସଂଗ୍ରହ ଆଦି ବିଭିନ୍ନ କାର୍ଯ୍ୟପାଇଁ ଯିବାବେଳେ ସମିତି କାର୍ଯ୍ୟାଳୟ ସମ୍ମୁଖରେ କେତେକ ଅସାମାଜିକ ବ୍ୟକ୍ତି ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ଫଳରେ ପ୍ରକୃତ ଚାଷୀମାନଙ୍କର ବହୁମୂଲ୍ୟବାନ ସମୟ ନଷ୍ଟ ହେଉଛି। ବାରମ୍ବାର ବିଭିନ୍ନ ସ୍ୱାର୍ଥନେଇ ଅସାମାଜିକ ବ୍ୟକ୍ତିଙ୍କ ଗଣ୍ଡଗୋଳ ଯୋଗୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମିତି ମଧ୍ୟ କ୍ଷତିଗ୍ରସ୍ତ ହେବାସହ ଦୁର୍ବଳ ହେଉଛି। ସମିତିର କେତେକ ବ୍ୟକ୍ତି ଏବଂ ତାଙ୍କର ପରିବାର ସଦସ୍ୟ ମିଶି ଲକ୍ଷଲକ୍ଷ ଟଙ୍କା ଋଣନେଇ ପରିଶୋଧ କରୁନଥିବାବେଳେ ସେମାନଙ୍କ ଇଙ୍ଗିତରେ ସମିତିରେ ବାରମ୍ବାର ଏପରିକାଣ୍ଡ ଘଟୁଛିବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସମିତି ସମ୍ମୁଖରେ ଆୟୋଜିତ ଏକ ପ୍ରତିବାଦ ସଭାରେ ଚାଷୀ ମାନସ ରଂଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଭୂବେନ୍ଦ୍ର ନାୟକ, ଦାମୋଦର ଜେନା, ଚିନ୍ତାମଣୀ ବାରିକ, ରମାକାନ୍ତ ସାହୁ, ବୈରାଗି ରାଉତ, ବାବାଜି ପରିଡ଼ା, ଦେବଦତ ମହାପାତ୍ର, ଛବିନ୍ଦ୍ର ସାହୁ, ରମେଶଚନ୍ଦ୍ର ବେହେରା, ସୁରେନ୍ଦ୍ର ରାଉତ, ମାନସ ରଂଜନ ପରିଡ଼ା, ଗଦାଧର ଜେନା, ବିରେନ୍ଦ୍ର ରାଉତ, ପଦ୍ମଲୋଚନ ସାହୁ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ଉକ୍ତ ସମିତିରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ରୋକାନଗଲେ ଆନ୍ଦୋଳୋନାତ୍ମକ ପନ୍ଥା ଗ୍ରହଣ କରାଯିବବୋଲି ସେମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ପରେ ସମିତିର ସୁପରିଚାଳନା ଓ ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣପାଇଁ ଏକଦାବିପତ୍ର ମଧ୍ୟ ସମବାୟ ସମିତି ସମୁହର ରେଜିଷ୍ଟ୍ରାର ଭୁବନେଶ୍ୱରଙ୍କୁ ପ୍ରଦାନ କରାଯାଇଥିବାବେଳେ ଏକକିତା ନକଲ ମାନ୍ୟବର ସମବାୟ ମନ୍ତ୍ରୀ ଓଡ଼ିଶା, ଜିଲ୍ଳାପାଳ ଭଦ୍ରକ, ଡ଼ିଆରସିଏସ୍ ବାଲେଶ୍ୱର, ଏଆରସିଏସ୍ ଭଦ୍ରକ, କୋ-ଅପରେଟିଭ ବ୍ୟାଙ୍କ ଶାଖା ପରିଚାଳକ ଧାମନଗର, ଆଇଆଇସି ଧାମନଗର ଓ ସମିତିର ପ୍ରଶାସନିକି ଅଧିକାରୀଙ୍କ ଗୋଚରାର୍ଥେ ଏବଂ ବିହିତ କାଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରିଥିବା ଜଣାଯାଇଛି। ତେବେ ଏ ଦିଗରେ ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟିଦେଇ ଉକ୍ତ ସମିତିର ସୁସ୍ଥ ବାତାବରଣ ଫେରାଇଆଣିବା ପାଇଁ ଚାଷୀମାନେ ମଧ୍ୟ ଦାବି କରିଛନ୍ତି।