ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ବ୍ୟବସ୍ଥା ରେ ସଂସ୍କାରର ଡିଣ୍ଡିମ ପିଟୁଥିବା ବେଳେ ଅନେକ ଯୋଜନା ର ପ୍ରତିଶୃତି ଏବେ ବାଟବଣା ହେଉଛି। ଶିଶୁ ବାଟିକା ଯୋଜନା ଜରିଆରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ଓ ସାମାଜିକ ସ୍ତରରେ ଅସହାୟ ମହିଳାଙ୍କୁ ନିଯୁକ୍ତି ଦେବାର ଯେଉଁ ସ୍ୱପ୍ନ ଦେଖାଯାଇଥିଲା, ତାହା ଏବେ ପ୍ରଶାସନିକ ଦୂରଦୃଷ୍ଟି ଅଭାବରୁ ଅନ୍ଧାରକୁ ଠେଲି ହୋଇଯାଇଛି।ସୂଚନାଯୋଗ୍ୟ ଯେ, ଧାମନଗର ବ୍ଲକର ପ୍ରାୟ ୨୪୨ଟି ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ଅତିକମରେ ୩୮ ଟି ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ସଂଖ୍ୟା (୧ ମ ଓ ୨ ୟ ଶ୍ରେଣୀ) ୩୦ ରୁ ଅଧିକ ରହିଛି। ସରକାରୀ ନିୟମ ଅନୁଯାୟୀ, ଏହି ସ୍କୁଲଗୁଡ଼ିକରେ ତୁରନ୍ତ ଶିଶୁ ବାଟିକା ଶିଶୁସେବୀକା ନିଯୁକ୍ତି ହେବା କଥା। ଏହି ପଦବୀ ପାଇଁ ଗ୍ରାମର ବିଧବା କିମ୍ବା ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କୁ ପ୍ରାଥମିକତା ଦେବାର ସ୍ପଷ୍ଟ ନିୟମ ରହିଛି। ମାତ୍ର ଦୁର୍ଭାଗ୍ୟର ବିଷୟ, ବିଦ୍ୟାଳୟ ପରିଚାଳନା କମିଟି (ଏସଏମ୍ସି) ଗଠନ ହୋଇନଥିବା ଦର୍ଶାଇ ପ୍ରଶାସନ ଏହି ପ୍ରକ୍ରିୟାକୁ ଗଡ଼ାଇ ଚାଲିଛି।ପ୍ରକାଶ ଥାଉ କି ମାର୍ଚ୍ଚ ୩୧ ତାରିଖରେ ପୁରୁଣା ଝଗଉ ଭାଙ୍ଗି ନୂଆ କମିଟି ଗଠନ ହେବାର ନିର୍ଦ୍ଦେଶ କୁ ଆଖି ଆଗରେ ରଖି ଶିକ୍ଷା ବିଭାଗ ନିଜର ଦାୟିତ୍ୱ ସାରି ଦେଇଛି। ଯଦି କମିଟି ଗଠନ ହୋଇନାହିଁ, ତେବେ ଏଥିପାଇଁ ଦାୟୀ କିଏ! କାହିଁକି ସମୟ ସୀମା ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରାଗଲା ନାହିଁ। ଜଣେ ଅସହାୟ ବିଧବା କିମ୍ବା ପରିତ୍ୟକ୍ତ ମହିଳାଙ୍କ ପେଟକୁ ଦାନା ଦେବା ପାଇଁ ପ୍ରଶାସନକୁ କ’ଣ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଶିଶୁମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ବେଳେ ବ୍ଲକ ଶିକ୍ଷା ବିଭାଗ କେଉଁ ଆଧାରରେ ନୀରବଦ୍ରଷ୍ଟା ସାଜିଛନ୍ତି। ଅଭିଯୋଗ ହେଉଛି ଯେ, ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଅପେକ୍ଷା ନିଜର ପସନ୍ଦର ଲୋକଙ୍କୁ ଥଇଥାନ କରିବା ପାଇଁ ହୁଏତ ଭିତରେ ଭିତରେ ଅନ୍ୟ କିଛି ଗୋଟି ଚାଳନା ଚାଲିଛି। ଯଦି ତୁରନ୍ତ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରା ନ ଯାଏ, ତେବେ ଆଗାମୀ ଦିନରେ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବା ସହ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।ଧାମନଗର ର ଶିକ୍ଷା ବ୍ୟବସ୍ଥାରେ ଏହି ‘ଅଚଳାବସ୍ଥା’ କେବେ ସୁଧୁରିବ ଏବଂ ଅସହାୟ ମହିଳାମାନେ କେବେ ନ୍ୟାୟ ପାଇବେ, ତାହା ଏବେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ନିର୍ଭର କରୁଛି।ସୂଚନା ଥାଉକି ଗତବର୍ଶ ସରକାର ଘୋଷଣା କଲେ କି ବିଦ୍ୟାଳୟ ରେ ନୂଆ ସରକାର ଙ୍କ ନୂଆ ନିୟମ ଅନୁଯାଇ ସ୍କୁଲ ପରିଚାଳନା କମିଟି କରାଯିବ ଏବଂ ପୁରୁଣା କମିଟି କୁ ଭାଙ୍ଗି ଦିଆଯିବ, ଏ ନେଇ ସରକାର ଙ୍କ ପକ୍ଷରୁ ଚିଠି କରା ଗଲା ମାତ୍ର ଆଜି ସୁଦ୍ଧା ସେହି ନିୟମ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ।ଧାମନଗର ବ୍ଲକ ର ଅନେକ ବିଦ୍ୟାଳୟରେ କାର୍ଯ୍ୟ କାଳ ସରି ଯାଇ ଥିଲେବି ସମୟ ସୀମା ବଡ଼ାଇ ବାରେ ଲାଗିଛନ୍ତି।ସେହିପରି ଧାମନଗର ବ୍ଲକ ରେ ପାଖା ପାଖୀ ୨୦ ରୁ ଉର୍ଦ୍ଧ ସ୍କୁଲ ରେ ରାଜ ନୈତିକ ବିବାଦ ଓ ବିଭାଗ ର ଅସହ ଯୋଗୁଁ କମିଟି ଗଠିତ ହୋଇ ପାରୁନି।ଫଳରେ ବିଦ୍ୟାଳୟ ର ଅନେକ ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରୁ ନଥି ବା ବେଳେ ସରକାର ଟଙ୍କାବି ଫେରି ଯାଉଛି।ଅପର ପକ୍ଷ ଧାମନଗର ବ୍ଲକ ର ବ୍ଲକ ଶିକ୍ଷାଧିକାରୀ ଙ୍କ ପଦବି ପୁରଣ ହୋଇ ନଥିବାରୁ କମିଟି ଗଠନ ରେ ବିଳମ୍ୱ ବି ହେଉଛି। ଏ ଦିଗରେ ଭଦ୍ରକ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଭିଭାବକ ମାନେ ଦାବି କରିଛନ୍ତି।