ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକରେ ଶାସକ ଦଳ ଭିତରେ ଦୀର୍ଘଦିନ ଧରି ଚାଲିଆସୁଥିବା ଗୋଷ୍ଠୀ କନ୍ଦଳ ବର୍ତମାନ ଖୋଲାଖୋଲି ଭାବେ ପଦାକୁ ଆସିଛି। ଅର୍ଜୁନପୁର ପଂଚାୟତରେ ରବିବାର ଏକ ବିକାଶମୂଳକ ରାସ୍ତା କାମକୁ କେନ୍ଦ୍ର କରି ଗୋଟିଏ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ବିବାଦ ଧାମନଗର ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ, ଅର୍ଜୁନପୁର ପଂଚାୟତର ତରେଇସାହି ହନୁମାନ ମନ୍ଦିରଠାରୁ ବୈତରଣୀ ବନ୍ଧ ଏବଂ ବାସୁଦେବ ମନ୍ଦିର ବନ୍ଧରୁ ଶୈଲ ପାଣିଟାଙ୍କି ପର୍ଯ୍ୟନ୍ତ ଦୁଇଟି ରାସ୍ତାର ମରାମତି ଓ ଉନ୍ନତିକରଣ ପାଇଁ ହେଉଥିବା ଏଫ୍ଡିଆର୍ କାର୍ଯ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। କାର୍ଯ୍ୟସ୍ଥଳରେ ଲଗାଯାଇଥିବା ଫଳକର ଲେଖାକୁ ଲିଭାଇବାକୁ ନେଇ ପଂଚାୟତ ସଭାପତି ଅଧର ପରିଡ଼ା ଓ ରୁଦ୍ର କିଶୋର ନାୟକଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଉତେଜନା ହୋଇଥିଲା। ପରବର୍ତୀ ସମୟରେ ପରିସ୍ଥିତି ଉତପ୍ତ ହୋଇ ମାରପିଟ ରେ ପରିଣତ ହୋଇଥିଲା। ଏହି ଘଟଣା ପରେ ଧାମନଗର ବ୍ଲକରେ ଶାସକ ଦଳର ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ବ୍ଲକର ବିଭିନ୍ନ ପଂଚାୟତରେ ଦଳ ଭିତରେ ଏକାଧିକ ଗୋଷ୍ଠୀ ସକ୍ରିୟ ରହିଥିବା ବେଳେ ପଦପଦବୀ ବଂଟନ, ଦଳୀୟ କାର୍ଯ୍ୟକ୍ରମର ନେତୃତ୍ୱ ଓ ବିକାଶ କାର୍ଯ୍ୟର ଶ୍ରେୟ ନେବାକୁ ନେଇ ଅସନ୍ତୋଷ ବଢ଼ୁଥିବା ଚର୍ଚ୍ଚା ହେଉଛି। ତେବେ ଏପର୍ଯ୍ୟନ୍ତ ଏହି ମତଭେଦ ଦଳ ଭିତରେ ସୀମିତ ରହିଥିଲେ ମଧ୍ୟ ଅର୍ଜୁନପୁର ଘଟଣା ତାହାକୁ ସର୍ବସମ୍ମୁଖକୁ ଆଣିଛି।ଅର୍ଜୁନପୁରର ଘଟଣା ପରେ ବ୍ଲକ ବିଜେପି ରେ ସମନ୍ୱୟ ଅଭାବ ଏବଂ ନେତୃତ୍ୱର କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଛି। ଦଳ ଭିତରେ ଦେଖାଦେଇଥିବା ଏହି ଅନ୍ତର୍ଦ୍ୱନ୍ଦ୍ୱକୁ ନେତୃତ୍ୱ କିପରି ସମାଧାନ କରୁଛି ଓ ଆଗାମୀ ଦିନରେ ସଂଗଠନକୁ କିପରି ଏକଜୁଟ ରଖୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଧାମନଗର ରାଜନୀତିରେ ଅର୍ଜୁନପୁର ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ, ବିଜେପିର ଅନ୍ତର୍ଦ୍ୱନ୍ଦ୍ୱ ଆଗାମୀ ଦିନରେ କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।