ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କ୍ଷେତ୍ରରେ ଏକ ସଂଘାତିକ ଦାୟିତ୍ୱହୀନତା ସାମ୍ନାକୁ ଆସିଛି। ଜଣେ ଜ୍ୱର ପୀଡ଼ିତ ରୋଗୀଙ୍କୁ ସାଧାରଣ ଇଞ୍ଜେକ୍ସନ ବଦଳରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଥିବା ନେଇ ଏକ ଗମ୍ଭୀର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସରକାରୀ ମେଡିକାଲର ସୁରକ୍ଷା ଓ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ, ଧାମନଗର ବ୍ଲକ ଦଳାଙ୍ଗ ଗ୍ରାମର ସାଇକୃଷ୍ଣ ତ୍ରିପାଠୀ(୧୨) ପ୍ରବଳ ଜ୍ୱର ଏବଂ ମୁଣ୍ଡବିନ୍ଧାରେ ଆକ୍ରାନ୍ତ ହୋଇ ଗୁରୁବାର ଦିନ ଧାମନଗର ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ମଜ ମାଝୀ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଜ୍ୱର ଉପଶମ ପାଇଁ ଔଷଧ ସହିତ ଏକ ଇଞ୍ଜେକ୍ସନ ଲେଖିଥିଲେ। ଏହାପରେ ସାଇକୃଷ୍ଣ ଇଞ୍ଜେକ୍ସନ ନେବା ପାଇଁ ସେଠାରେ ଥିବା ନିର୍ଦ୍ଦିଷ୍ଟ କକ୍ଷକୁ ଯାଇଥିଲେ। କକ୍ଷରେ କାର୍ଯ୍ୟରତ ଥିବା ନର୍ସ ସୁବାସିନୀ ଜେନା ଡାକ୍ତରଙ୍କ ପ୍ରେସକ୍ରିପସନକୁ ସଠିକ୍ ଭାବେ ନଦେଖି ଅତ୍ୟନ୍ତ ବେପରୁଆ ଭାବେ ସାଇକୃଷ୍ଣଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଦେଇଥିଲେ। ଏହି ଭୁଲ ଇଞ୍ଜେକ୍ସନ ନେବା ପରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ତାଙ୍କର ମୁଣ୍ଡ ବୁଲାଇବା ସହ ଜ୍ୱରର ପ୍ରକୋପ ଆହୁରି ବଢ଼ିଯାଇଥିବା ସେ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରଥମେ ସେ ଘରକୁ ଯାଇଥିଲେ ମଧ୍ୟ ପରବର୍ତୀ ସମୟରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଏହି ଘଟଣା ପ୍ରସାରିତ ହେବା ପରେ ଭୁଲ ଇଞ୍ଜେକ୍ସନ ଦେଇଥିବା ସମ୍ପୃକ୍ତ ନର୍ସଙ୍କ ବିରୁଦ୍ଧରେ ସିଡିଏମଓ କାରଣ ଦର୍ଶାଅ ନୋଟିସ ସହ ଭଦ୍ରକ ଏନଏଚଏମ ପକ୍ଷରୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।