ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ବୟାଙ୍ଗଡିହି ଠାରେ ଅବସ୍ଥିତ ଉତ୍କଳମଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’ ଭାବରେ ଘୋଷଣା କରାଯାଇଛି। ଧାମନଗର ବ୍ଲକରେ ଦ୍ୱିତୀୟ ଥର ପାଇଁ ଏଭଳି ଏକ ମହତ୍ୱପୂର୍ଣ୍ଣ ଶିକ୍ଷାଭିମୁଖୀ ଘୋଷଣା ହୋଇଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ (ଭର୍ଚୁଆଲ) ମାଧ୍ୟମରେ ବିଦ୍ୟାଳୟର ଭିତିଭୂମି ବିକାଶ ପାଇଁ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଯୋଗ ଦେଇ ଅତିଥିମାନେ କହିଥିଲେ ଯେ, ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସହ ଯୋଡି ହୋଇପାରିବେ। ଏହି ବିଦ୍ୟାଳୟ ପିଲାମାନଙ୍କ ମଧ୍ୟରେ ସୃଜନଶୀଳତା ଓ ମେଧାର ବିକାଶ ପାଇଁ ଏକ କେନ୍ଦ୍ର ବିନ୍ଦୁ ପାଲଟିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଡ଼. ପ୍ରଫୁଲ୍ଲ ସାହୁ ଙ୍କ ସଭାପତିତ୍ୱ କରିଥିଲେ। ଅତିରିକ୍ତ ଶିକ୍ଷା ଅଧିକାରୀ ସତ୍ୟ ସୁନ୍ଦର ପରିଡ଼ା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ତିଳୋତମା ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଧାମନଗର ଅତିରିକ୍ତ ତହସିଲଦାର ପଲ୍ଲୀ ଭାରତ ମହାଳିକ, ଶିକ୍ଷାମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ କୁମାର ପୁହାଣ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନି ବାଳା ବିଶ୍ୱାଳ, ସମିତି ସଭ୍ୟା ଭାରତୀ ବେହେରା ଓ ଶିକ୍ଷକ ପ୍ରଶିକ୍ଷକ ନିର୍ମଳ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ବିଆରସିସି ଭୀମସେନ ହୋ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ଶିକ୍ଷକ, ସିଆରସିସି ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଅଂଶଗ୍ରହଣ କରିଥିଲେ।