Odiapua.com

ଧାମନଗର ବ୍ଲକ୍‌ରେ ମିଳିତ ଜନଶୁଣାଣି ଶିବିର

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଯୁଗ୍ମ ଜନାଭିଯୋଗ ଶୁଣାଣି ଶିବିର ଆଜି ଧାମନଗର ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୬୩ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ୬୦ଟି ବ୍ୟକ୍ତିଗତ ସମସ୍ୟା ମୂଳକ ଓ ୦୩ଟି ସାମୂହିକ ସମସ୍ୟା ଭତ୍ତିକ ଅଭିଯୋଗ ଥିଲା । ଭଦ୍ରକ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ସି.ଡ଼ି.ଏମ୍‌.ଓ. ଡ଼ା ସନ୍ତୋଷ କୁମାର ପାତ୍ର, ଧାମନଗର ବି.ଡ଼ି.ଓ. ବନ ବିହାରୀ ଦିଣ୍ଡା ପ୍ରମୁଖ ମଧ୍ୟ ଏହି ଶିବିରରେ ଯୋଗ ଦେଇଥିଲେ । ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଉକ୍ତ ବ୍ଲକ୍‌ସ୍ତରୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ସମାଧନ ପାଇଁ ଜିଲ୍ଲାପାଳଙ୍କ ଆବଶ୍ୟକତା ମତେ ସହଯୋଗ କରିଥିଲେ । ଏ.ବି.ଡ଼ି.ଓ. ଶର୍ମିଷ୍ଠା ମଲ୍ଲିକ୍ , ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ହେମ୍ରମ୍ ଏହି ଶିବିର ଆୟୋଜନ ଓ ପରିଚାଳନାରେ ଆନୁସଂଗିକ ସହଯୋଗ କରିଥିଲେ । ସହାୟକ ଜିଲ୍ଲାପାଳ ଚିତ୍ତରଂଜନ ସେଠୀ ଅଭିଯୋଗ ଉପସ୍ଥାପନାରେ ସହଯୋଗ କରିଥିଲେ । ସାମାଜିକ ସୁରକ୍ଷା ଯୋଜନାରେ ୨ଟି ତିନି ଚକିଆ ସାଇକେଲ୍ ଓ ଗୋଟିଏ ହୁଇଲ୍ ଚେୟାର ବଣ୍ଟନ କରାଯାଇଥିଲା ।