Odiapua.com

ଧାମନଗର ବ୍ଲକରେ ମିଳିତ ଜନ ଶୁଣାଣି , ଜିଲାପାଳଙ୍କ ନିକଟରେ ଆଗତ ହେଲା ୬୦ଟି ଅଭିଯୋଗ

ଭଦ୍ରକ, ୧୧-୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ ସୋମବାର ଦିନ ଧାମନଗର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଏସ୍‌.ପି. ଚରଣ ସିଂ ମୀନାଙ୍କ ସହ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର, ବି.ଡ଼ି.ଓ., ଧାମନଗର ଦୁର୍ଗାଚରଣ ମୁର୍ମୁ ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ। ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା ସମୁଦାୟ ୬୦ଟି ଅଭିଯୋଗ ମଧ୍ୟରୁ ୫୦ଟି ବ୍ୟକ୍ତିଗତ ଓ ୧୦ଟି ଗ୍ରାମ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା। ୨ଟି ଅଭିଯୋଗ ତତ୍‌କାଳ ସମାଧାନ କରାଯାଇଥିଲା ବେଳେ ଅନ୍ୟ ଗୁଡ଼ିକର ସମାଧାନ ପାଇଁ ଉପସ୍ଥିତ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ସି.ଏମ୍‌.ଆର୍‌, ଏଫ୍‌. ଏବଂ ରେଡ଼କ୍ରସ ସମ୍ବନ୍ଧରେ କୌଣସି ଅଭିଯୋଗ ଆସି ନଥିଲା। ସରକାରୀ ଜାଗା ଅବରୋଧ, ଘରପୋଡ଼ି ସାହଯ୍ୟ ଟଙ୍କା ନ ମିଳିବା, ଡ଼୍ରେନ୍ ନଥିବାରୁ ପାଣି ଜମିବା ଯୋଗୁଁ ରାସ୍ତାକାମ ହୋଇ ନପାରିବା, କାଳିଆ ଯୋଜନାରେ ଟଙ୍କା ନମିଳିବା, ବିଧବା ଭତ୍ତା, ଇନ୍ଦିରା ଆବାସ ଯୋଜନା ଆଦି ସମ୍ବନ୍ଧରେ ଅଭିଯୋଗ ଥିଲା।