Odiapua.com

ଧାମନଗର ବ୍ଲକରେ ବନ୍ୟା ସ୍ଥିତି, ୧୫ ଦିନ ହେଲା ଜଳବନ୍ଦୀ ତଳିଆ ଅଂଚଳ, ଗାଁ ଦାଣ୍ଡରେ ଚାଲିଛି ଡଙ୍ଗା

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପର ମୁଣ୍ଡରେ ବନ୍ୟା ଜଳ କମିଥିଲେ ହେଁ ଧାମନଗର ବ୍ଲକର ତଳିଆ ଅଂଚଳରେ ବନ୍ୟା ସ୍ଥିତି ଏବେ ବି ଅପରିବର୍ତିତ ରହିଛି। ଗତ ୧୫ ଦିନ ହେବ ଦୁର୍ଦ୍ଦିନ କାଟୁଛନ୍ତି ବନ୍ୟାଂଚଳର ଜନସାଧାରଣ। ଗାଁ ଦାଣ୍ଡରେ ଏବେ ବି ଡଙ୍ଗା ଯାତାୟାତ କରୁଥିବା ବେଳେ ଲୋକେ ଜଳକଷ୍ଟ ଓ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକର ରଇପୁର, ପାଳସାହି, ହସନାବାଦ, କୋଠର, ଫତେପୁର, କାଶୀମିପୁର, ବମକୁରା, ବୟାଙ୍ଗଡିହି ଏବଂ କୋଠର ପଂଚାୟତର ବିଭିନ୍ନ ଅଂଚଳ ଏବେ ମଧ୍ୟ ବନ୍ୟାଜଳ ଘେରରେ ରହିଛି। ବିଶେଷକରି ହସନାବାଦ ପଂଚାୟତର ୯, ୧୦, ୧୧ ଓ ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ଅନଲଡିହି, ତଳଅସ୍ତକ, ମଲିକସାହି ଏବଂ ଜେନାସାହିର ଅବସ୍ଥା ସବୁଠାରୁ ଶୋଚନୀୟ ହୋଇପଡ଼ିଛି। ଘରଦ୍ୱାର ପାଣିରେ ବୁଡ଼ି ରହିଥିବାରୁ ଲୋକେ ବି ଦୟନୀୟ ଅବସ୍ଥା ରେ ରହିଛନ୍ତି।ତେବେ ଏହି ଜଟିଳ ପରିସ୍ଥିତିରେ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ହସନାବାଦ ପଂଚାୟତର ସରପଂଚ ଅଜୟ ମଲିକ ନିଜେ ଡଙ୍ଗା ଧରି ବନ୍ୟା ବିପନ୍ନଙ୍କ ପାଖରେ ପହଂଚୁଛନ୍ତି। ତାଙ୍କ ସହିତ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନଙ୍କୁ ଡଙ୍ଗାରେ ବସାଇ ଜଳବନ୍ଦୀ ଥିବା ଅଂଚଳକୁ ନେଇ ସ୍ୱାସ୍ଥ୍ୟ ସେବା ଏବଂ ରିଲିଫ୍ ସାମଗ୍ରୀ ଯୋଗାଉଛନ୍ତି।ଦୀର୍ଘ ଦିନ ହେଲା ପାଣି ଜମି ରହିବାରୁ ଏବେ ପିଇବା ପାଣିର ସମସ୍ୟା ସୃଷ୍ଟି ହେବା ସହ ନାନାକାର ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ତେଣୁ ତଳିଆ ଅଞ୍ଚଳର ଏହି ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କୁ ଜରୁରୀକାଳୀନ ଭିତିରେ ଅଧିକ ସହାୟତା, ବିଶୁଦ୍ଧ ପାନୀୟ ଜଳ ଏବଂ ଡାକ୍ତରୀ ଦଳ ନିୟୋଜିତ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।