ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ପ୍ରଶାସନ ଜନ ପ୍ରତିନିଧି ମାନଙ୍କୁ ଅବହେଳା, ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ବିରୁଦ୍ଧରେ ଧାମନଗର ବ୍ଲକ ବିଜୁ ଜନତା ଦଳ ତରଫରୁ ଧୁସୁରୀ ଠାରେ ସାମ୍ବାଦିକ ସମ୍ମିଳନୀ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି।ରାଜ୍ୟ ସରକାର ଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନା ଉକ୍ତ ଯୋଜନାରେ ପ୍ରତ୍ୟେକ ପଞ୍ଚାୟତ ରୁ ୧୫ ଟି ଗରିବ, ଭିନ୍ନକ୍ଷମ, ଅସହାୟ ମହିଳା, ଦୁରାରୋଗରେ ପୀଡ଼ିତ ବ୍ୟକ୍ତିକୁ ଛାତ ଘର ଯୋଗାଇ ଦେବା ପାଇଁ ସରକାରଙ୍କ ନୀତି ଓ ନିୟମାବଳୀ ଥିଲେ ମଧ୍ୟ ଧାମନଗର ବ୍ଲକରେ ଜନ ପ୍ରତିନିଧି ମାନଙ୍କ ପରାମର୍ଶ କୁ ଅଣଦେଖା କରି କୌଣସି କ୍ଷେତ୍ର ପରିଦର୍ଶନ ନ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ସଠିକ ଚିହ୍ନଟ ନ କରି ଧାମନଗର ବିଡ଼ିଓ ଦଳୀୟ ଭିତିରେ ଦୁଇ ମହଲା ବିଶିଷ୍ଟ କୋଠା ଘର ଓ ସରକାରୀ ଚାକିରୀ କରିଥିବା ପରିବାରକୁ ଯୋଜନାରେ ଚୟନ କରି ଅଛନ୍ତି। “ଦାନା” ରେ ଅନିୟମିତତା ।ବିଗତ ବାତ୍ୟା ଦାନାରେ ଅନୁମୋଦିତ ହୋଇଥିବା କାର୍ଯ୍ୟ ଗୁଡ଼ିକ ପଂଚାୟତ ପ୍ରତିନିଧି ମାନଙ୍କ ଅଗୋଚରରେ ହୋଇଥିବା ବେଳେ ରାସ୍ତା, ବିଦ୍ୟାଳୟ , ଅଙ୍ଗନୱାଡ଼ି କେନ୍ଦ୍ର, ପଂଚାୟତ ଗୃହ ଓ ଗୋଷ୍ଟି କେନ୍ଦ୍ରର ମରାମତି କାର୍ଯ୍ୟ ଦଳୀୟ କର୍ମୀଙ୍କ ଦ୍ୱାରା ଅତି ନିମ୍ନମାନର କରାଯାଇଅଛି । ତଦାରଖ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ମାନେ କ୍ଷେତ୍ର ପରିଦର୍ଶନ କରିବାକୁ ନଯାଇ ମୋଟା ଅଙ୍କର ପିସି ନେଇ ଘରେ ବସି ବିଲ ନେଇ କରୁଛନ୍ତି। ବ୍ଲକର ଜନୈକ କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ ସାମଲ ଧୁଷୁରି, ପଧାନୀ, କାସିମପୂର ଓ ଦଇପୂର ପଂଚାୟତର ବହୁ ଉନ୍ନତି ମୂଳକ କାର୍ଯ୍ୟରେ ଅନିୟମିତତା କରିବା ସହ ଫଲ୍ସ ବିଲ ମଧ୍ୟ କରି ଅଛନ୍ତି। ତାଙ୍କ ଅଧିନରେ ଧୁଷୁରୀ ପଂଚାୟତର ୨୦୧୯ – ୨୦ ଆର୍ôଥକ ବର୍ଷରେ “ବୁଲ ବୁଲ” ବାତ୍ୟାର ଏକ ପୁରୁଣା କାର୍ଯ୍ୟ “ସାହାଜି ପାଟଣା ଅଙ୍ଗନୱାଡ଼ି କେନ୍ଦ୍ରର ମରାମତି କରଣ ” ଉକ୍ତ ସ୍ଥାନରେ ନ ହୋଇ ନଦୀଗାଁ ପଂଚାୟତ ଅଧୀନ ଅଂଚଳରେ ଦର୍ଶାଇ ମିଥ୍ୟା ବିଲ ହୋଇ ଅଛି। ଯାହାକି ତଦନ୍ତ ସାପେକ୍ଷ। ନୂତନ ସରକାରର ଦଶ ମାସ ନପୁରୁଣୁ ଧାମନଗରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଅଛି। ଧାମନଗର ଅଧିନରେ ଦୁଇଟି ଥାନା ଯଥା ଧାମନଗର ଓ ଧୂଷୁରୀ ଥାନା ରେ ଦୁଇ ଯୋଗ୍ୟ ଥାନାଧିକାରୀ ଥିଲେ ମଧ୍ୟ ସରକାରୀ ଦଳର ନେତାଙ୍କ ଅସହ୍ୟ ଚାପ ପ୍ରୟୋଗ କରି ଅନୈତିକ କାର୍ଯ୍ୟକଳାପ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି । ବିଭିନ୍ନ ସ୍ଥାନରେ ଚୋରୀ, ଡକାୟତି , ଗୋଷ୍ଠୀ ବିବାଦ ବଢ଼ି ଚାଲିଛି। ବେଆଇନ ଗୋ ଚାଲାଣ, କୋଇଲା ଚୋରା ଚାଲାଣ, ଧଳା ଜହର ର ପେଣ୍ଠସ୍ଥଳୀ ପାଲଟି ଗଲାଣି। ଏନେଇ ଆଗାମୀ ଦିନରେ ବିଜେଡ଼ି ପକ୍ଷରୁ ଗଣ ତାନ୍ତ୍ରିକ ଉପାୟରେ ପ୍ରତିବାଦ କରାଯିବ ବୋଲି ଗୁରୁବାର ଦିନ ଦଳପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ବ୍ଲକ ବିଜେଡ଼ି ସଭାପତି ଉମେଶ ମହାନ୍ତିଙ୍କ ସଭାପତିତ୍ୱରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଟୁନିବାଳା ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦିପ ମଲ୍ଲିକ, ସାରଦା ପ୍ରସନ୍ନ ସାହୁ, ବରିଷ୍ଠ ନେତୃତ୍ୱ ପ୍ରତାପ ସାମଲ, ନଗର ବିଜେଡି ସଭାପତି ଶୁଶାନ୍ତ ରାଉତ, ଯୁବ ବିଜେଡି ସଭାପତି ଭାରତ ବିଜୟ ଦଳାଇ, ସରପଂଚ ନରେନ୍ଦ୍ର ନାରାୟଣ ନାୟକ, ଅଜୟ ମଲିକ, ଜଗତା ନନ୍ଦ ସେଠୀ, ସୀତାକାନ୍ତ ମିଶ୍ର, ଅକ୍ଷୟ ଜେନା ,ସରସ୍ୱତୀ ସାହୁ,ଅଜୟ କୁମାର ମଲିକ, ସମିତି ସଭ୍ୟା ବୈଦେହି ବେହେରା, ପୂର୍ବତନ ସରପଂଚ ଶୁଶାନ୍ତ ନାୟକ, ଧୁସୁରି ସେବା ସମବାୟ ସମିତି ସଭାପତି ସନ୍ଦୀପ ଶଙ୍କର ସ୍ୱାଇଁ, ଯୁବ ନେତା ପ୍ରକାଶ କେଶ ସମେତ ଅଧିକାଂଶ ପଂଚାୟତ ସଭାପତି, ସରପଂଚ , ସମିତି ସଭ୍ୟ ଓ ବରିଷ୍ଠ କର୍ମୀ ମାନେ ସାମିଲ ହୋଇଥିଲେ ।