ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକ ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତର ଅବସ୍ଥିତ ଐତିହାସିକ ‘ଜଗନ୍ନାଥ ହାଟ’ର ଆଧୁନିକୀକରଣ ନାଁରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ୧୫୦ଟି ହାଟ ପିଣ୍ଡି ନିର୍ମାଣ ପାଇଁ କାମ ଆରମ୍ଭ ହୋଇଛି ସତ, ହେଲେ କୌଣସି ଯୋଜନା ବା ବ୍ଲୁ-ପ୍ରିଣ୍ଟ ନଥାଇ ଜାଗା ସଂକୁଚିତ କରାଯାଇ ନିର୍ମାଣ କରାଯାଉଛି। ହାଟ ସମ୍ପ୍ରସାରଣ ପାଇଁ ପ୍ରଚୁର ସରକାରୀ ଜମି ଥିଲେ ମଧ୍ୟ ସେଗୁଡ଼ିକୁ ଜବରଦଖଲ ମୁକ୍ତ ନକରି, ମାତ୍ର ୪୦ ମିଟର ଲମ୍ବ ଏବଂ ୮ ମିଟର ଓସାରର ଏକ ସୀମିତ ଜାଗା ଭିତରେ ୧୨୦ଟି ପିଣ୍ଡିକୁ ଜୋରଜବରଦସ୍ତ ଆଡଜଷ୍ଟ କରାଯାଉଛି। ସବୁଠାରୁ ସାଂଘାତିକ କଥା ହେଉଛି, ବୈତରଣୀ ସେତୁର ପ୍ରାୟ ୩୦ ଫୁଟ୍ ଉଚ୍ଚ ଆପ୍ରୋଚରୋଡ କୁ ଲାଗି ଏହି ପିଣ୍ଡିଗୁଡ଼ିକ ତିଆରି ଚାଲିଛି। ଆପ୍ରୋଚ ରୋଡ ରୁ ହାଟ ପର୍ଯ୍ୟନ୍ତ ଗଡ଼ାଣି ସମ୍ପୂର୍ଣ୍ଣ ତୀଖ ଥିବାରୁ ପୋଲ ଉପରେ କୌଣସି ଦୁର୍ଘଟଣା ଘଟିଲେ ଗାଡ଼ି ସିଧାସଳଖ ହାଟ ଭିତରକୁ ମାଡ଼ିଯିବାର ଏବଂ ବ୍ୟାପକ ଜୀବନ ହାନି ହେବାର ଆଶଙ୍କା ଦେଖାଦେଇଛି। ନିର୍ମାଣ କାର୍ଯ୍ୟର ମାନ ମଧ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନିୟମ ଅନୁଯାୟୀ ପିଣ୍ଡି ତଳେ ମଜବୁତ ପ୍ଲେନ ସିମେଣ୍ଟ କଂକ୍ରିଟ ଏବଂ ବଡ଼ ମେଟାଲ ବ୍ୟବହାର ହେବା କଥା, ହେଲେ ଏଠାରେ ମାତ୍ର ୨ ଇଞ୍ଚର ୪୦ ଏମ୍ଏମ୍ ମେଟାଲ ଦେଇ ନାମକୁ ମାତ୍ର କଂକ୍ରିଟ କରାଯାଉଛି। ସିମେଣ୍ଟ ଓ ବାଲିର ମିଶ୍ରଣ ମଧ୍ୟ ଅତି ଦୁର୍ବଳ। ପିଣ୍ଡି ପାଇଁ ବ୍ୟବହାର ହେଉଥିବା ଫ୍ଲାଏ ଆଶ ଇଟାଗୁଡ଼ିକ ସମ୍ପୂର୍ଣ୍ଣ କଞ୍ଚା ଓ ନିମ୍ନମାନର ହୋଇଥିବାରୁ ନିର୍ମାଣ ସରିବା ପୂର୍ବରୁ ହିଁ ତାହା ଭାଙ୍ଗିବାକୁ ବସିଲାଣି।ଜଗନ୍ନାଥ ହାଟ ଟି ୨୦୧୮-୧୯ରେ ବୈତରଣୀ ନଦୀ ସେତୁ ନିର୍ମାଣ ପରେ ସଂକୁଚିତ ହୋଇଯାଇଥିଲା, ଯାହାପାଇଁ ଚାଷୀମାନେ ବାରମ୍ବାର ନୂଆ ପିଣ୍ଡି ପାଇଁ ଦାବି କରିଆସୁଥିଲେ। ନୂଆ ସରକାର ଆସିବା ପରେ ଏହି ଜନହିତକର ପଦକ୍ଷେପ ନିଆଯାଇଥିଲେ ହେଁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିବାକୁ ଯାଉଛି।ନିୟମ ଅନୁଯାୟୀ, ଦୁଇଟି ପିଣ୍ଡି ଲାଇନ୍ ମଧ୍ୟରେ ସର୍ବନିମ୍ନ ୮ ରୁ ୧୦ ଫୁଟର ପ୍ରଶସ୍ତ ଚଲାପଥ ରହିବା ଆବଶ୍ୟକ, ଯେପରି ଗ୍ରାହକ ଓ ବ୍ୟବସାୟୀ ସହଜରେ ଯା’ଆସ କରିପାରିବେ। ପ୍ରତ୍ୟେକ ପିଣ୍ଡି ପାଇଁ କଂକ୍ରିଟ୍ ର ମଜବୁତ ଆଧାର ସହ ଉପରେ ଛାତ, ପାନୀୟ ଜଳ ଏବଂ ପରିବା ଧୋଇବା ପାଇଁ ଡ୍ରେନେଜ୍ ବ୍ୟବସ୍ଥା ରହିବା କଥା। ମାତ୍ର ଏଠାରେ ଦୁଇଟି ଲାଇନ ମଧ୍ୟରେ ମାତ୍ର ସାଢ଼େ ୬ ଫୁଟ୍ (୨ ମିଟର) ସ୍ଥାନ ଛଡ଼ାଯାଇଛି ଏବଂ ପ୍ରତି ଲାଇନରେ ୪୦ ଜଣ ବିକ୍ରେତା ବସିବା ଭଳି ଏକ ଅଣଓସାରିଆ ୨୍ଠ୨”ମିଟର” ର ପିଣ୍ଡି କରାଯାଉଛି। ଏତେ କମ୍ ଜାଗା ଯୋଗୁଁ ବ୍ୟବସାୟୀମାନେ ପରିବା ଗାଡ଼ି ଅନଲୋଡ୍ କରିପାରିବେ ନାହିଁ କି ଗ୍ରାହକମାନେ ଭିତରକୁ ଯାଇପାରିବେ ନାହିଁ। ଏହି ୮୦ ଜଣଙ୍କ ପାଖକୁ ଲାଗି ଆଉ ୪୦ ଜଣଙ୍କ ପାଇଁ ପିଣ୍ଡି ତିଆରି ହେଲେ ଭିତରକୁ ପଶିବା ପାଇଁ ବାଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ପୂର୍ବରୁ ବିନା ପ୍ଲାନିଂରେ ନିର୍ମିତ ଏକ ଡ୍ରାମା ପେଣ୍ଡାଲ ଯୋଗୁଁ ଜାଗା ଅଦରକାରୀ ହୋଇ ପଡ଼ିଥିବା ବେଳେ ଏହି ନୂଆ ପିଣ୍ଡି ମଧ୍ୟ କୌଣସି କାମରେ ଆସିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି।ସୂଚନାଯୋଗ୍ୟ ଯେ, ଭଦ୍ରକ ଓ ଯାଜପୁର ଜିଲ୍ଲାର ସୀମାନ୍ତରେ ଥିବା ଏହି ହାଟ ଉପରେ ଭଣ୍ଡାରିପୋଖରୀର ବିରୋଳି, ଦାଣ୍ଡକୂଳ, ତିଖିଲିଆ, ସୋଲାପାରି, ସଠଗାଁ, ମାଳଦା ଏବଂ ଯାଜପୁରର ଦଶରଥପୁର ଓ ଧାମନଗର ବ୍ଲକର ଶତାଧିକ ଚାଷୀ, ବ୍ୟବସାୟୀ ଓ ଗ୍ରୋସରୀ ଦୋକାନୀ ନିର୍ଭର କରନ୍ତି। ସୋମବାର ଓ ଶୁକ୍ରବାର ସକାଳ ୫ଟାରୁ ଦିପହର ୨ଟା ପର୍ଯ୍ୟନ୍ତ ବସୁଥିବା ଏହି ବଜାରରୁ ହଜାର ହଜାର ଗ୍ରାହକ ପରିବା କିଣିଥାନ୍ତି। ଆଞ୍ଚଳିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏହି ନିମ୍ନମାନର କାମକୁ ବନ୍ଦ କରି, ଜବରଦଖଲ ଉଚ୍ଛେଦ ପୂର୍ବକ ସ୍ଥାନ ସମ୍ପ୍ରସାରଣ କରି ଏକ ସୁବ୍ୟବସ୍ଥିତ ଲେ-ଆଉଟ୍ ପ୍ଲାନ୍ ଅନୁଯାୟୀ ହାଟ ପିଣ୍ଡି ନିର୍ମାଣ କରିବାକୁ ଦୃଢ଼ ଦାବି ହୋଇଛି। ଏ ଦିଗରେ ବୀଭାଗିୟ ଯନ୍ତ୍ରୀ ଙ୍କ ଯୋଗା ଯୋଗ କରିଥିଲେ ମଧ୍ୟ ଫୋନ ଧରି ନଥିଲେ ।