Odiapua.com

ଧାମନଗର ବିଧାୟକଙ୍କ ବିବାଦୀୟ ମନ୍ତବ୍ୟକୁ ନିନ୍ଦା – ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସଂଘର ବିକ୍ଷୋଭ

ବାଲେଶ୍ୱର, ୧୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ବକ୍ତବ୍ୟ ମାଧ୍ୟମରେ ଧାମନଗର ବିଧାୟକ ବିଷ୍ଣୁ ସେଠୀ ମହିଳାମାନଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ବିରୋଧରେ ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ସ୍ଥାନୀୟ ଫାଣ୍ଡିଛକଠାରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ମହିଳା ସଂଗଠନର ସଭାପତି ହରପ୍ରିୟା ଜେନା ଓ ସମ୍ପାଦିକା ମମି ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭ ସମାବେଶରେ ରାଜ୍ୟ ସମ୍ପାଦିକା ସଂଧ୍ୟା ଦାସ ମଜୁମଦାର ଯୋଗଦେଇ ବିଧାୟକ ବିଷ୍ଣୁ ସେଠୀଙ୍କ ଅଶାଳୀନ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଥିଲେ। ମହିଳାଙ୍କୁ ସମ୍ମାନ ଦେବା ଶିଖି ନଥିବା ବିଧାୟକଙ୍କୁ ତୁରନ୍ତ ଗିରଫ ପାଇଁ ସେ ଦାବି କରିଥିଲେ। ନାରୀନେତ୍ରୀ ଇଶାଣୀ ଆଚାର୍ଯ୍ୟ, ମମତା ନାୟକ, ସୁମିତା ସୋରେନ୍‌, ସାବିତ୍ରୀ ନାୟକ ପ୍ରମୁଖ ଏଥିରେ ଯୋଗଦେଇ ମହିଳାଙ୍କ ପ୍ରତି ବିଧାୟକଙ୍କ ଏଭଳି ମନ୍ତବ୍ୟ ପ୍ରଦାନ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଥିଲେ। ତାଙ୍କୁ ତୁରନ୍ତ ଦଳରୁ ବହିଷ୍କାର ସହ ଗିରଫ ପାଇଁ ସଂଘର କର୍ମକର୍ତ୍ତାମାନେ ଦାବି କରିଥିଲେ। ବିଧାୟକ ଶ୍ରୀ ସେଠୀଙ୍କ ବିରୋଧରେ ପୂର୍ବରୁ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲଇ ସେମାନେ ଚେତବାନୀ ଦେଇଛନ୍ତି।