Odiapua.com

ଧାମନଗର ବିଡିଓଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ପଂଚାୟତିରାଜ ନିର୍ଦ୍ଦେଶକଙ୍କ ନିକଟରେ ଫେରାଦ

ଭଦ୍ରକ,୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଧାମନଗର ବିଡିଓ ବନବିହାରୀ ଦିନ୍ଦାଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ବିଜୁ ଜନତା ଦଳର ସରପଂଚ, ସମିତି ସଭ୍ୟମାନେ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ଓ ପଂଚାୟତିରାଜ ନିର୍ଦ୍ଦେଶକଙ୍କ ନିକଟରେ ଫେରାଦ ହୋଇଛନ୍ତି। ବିଡିଓ ସରପଂଚ, ସମିତି ସଭ୍ୟ କି ବ୍ଲକ ଅଧ୍ୟକ୍ଷଙ୍କ ପରାମର୍ଶ ନ ନେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ମଞ୍ଜୁରୀ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟ ସଂସ୍ଥାକୁ ପଠାଉଥିବା ଅଭିଯୋଗ କରିଛନ୍ତି। ଜନ ପ୍ରତିନିଧିଙ୍କ ଅଭିଯୋଗ ଯେ, ରାଜ୍ୟ ଅର୍ଥ ଆୟୋଗ ଅନୁଦାନରେ ଖର୍ଚ୍ଚ ହେବାକୁ ଥିବା ପ୍ରକଳ୍ପ ତାଲିକା ଦେବା ଲାଗି ପଂଚାୟତିରାଜ ନିର୍ଦ୍ଦେଶକ ଜୁନ୍ ମାସରେ ଧାମନଗର ବ୍ଲକକୁ ଚିଠି କରିଥିଲେ। ହେଲେ ବିଡିଓ ପଂଚାୟତର ସରପଂଚ କି ସମିତି ସଭ୍ୟ କିମ୍ବା ଧାମନଗର ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ପରାମର୍ଶ ନ ନେଇ ନିଜଆଡୁ ପ୍ରକଳ୍ପ ତାଲିକା ପ୍ରଦାନ କରିଛନ୍ତି। ଖାଲି ଏତିକି ନୁହେଁ, ପୂର୍ବ ସରକାର ଅମଳରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଆସିଥିବା ଅନୁଦାନରେ ହେବାକୁ ଥିବା ପ୍ରକଳ୍ପ ତାଲିକାରେ ମଧ୍ୟ ପରିବର୍ତନ ପାଇଁ ସୁପାରିଶ କରିଛନ୍ତି ବୋଲି ଜନ ପ୍ରତିନିଧିମାନେ ଏହି ଅଭିଯୋଗରେ ଦର୍ଶାଇଛନ୍ତି। ପଂଚାୟତରେ କେଉଁ କେଉଁ ଉନ୍ନୟନମୂଳକ କାର୍ଯ୍ୟ ହେବ, ତାହା ପଲ୍ଲିସଭା ଓ ଗ୍ରାମସଭାରେ ମଞ୍ଜୁର ହେବାର ନିୟମ ରହିଛି। ସେହି ସବୁ ପ୍ରକଳ୍ପର ତାଲିକା ସରପଂଚଙ୍କ ପକ୍ଷରୁ ବ୍ଲକକୁ ଆସିଥାଏ। ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ସମ୍ମତିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ଦିଆଯାଇଥାଏ। ହେଲେ ବିଡିଓ ବନବିହାରୀ ଦିଣ୍ଡା ଏ ସବୁ ପ୍ରକଳ୍ପ ବାବଦରେ କାହା ସହ ଆଲୋଚନା ନ କରି ନିଜ ଅନୁସାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ପଠାଇ ଦେଇଛନ୍ତି ବୋଲି ଜନ ପ୍ରତିନିଧିମାନେ ଲେଖିତ ଅଭିଯୋଗ କରିଛନ୍ତି। ସରପଂଚ ଓ ସମିତି ସଭ୍ୟଙ୍କ ଅଭିଯୋଗ ଯେ, ପଂଚାୟତ ସମିତି ଆଇନ-୧୯୫୯ର ଧାରା ୧୯ ଅନୁସାରେ ବିଡିଓ ବ୍ଲକ ଅଧ୍ୟକ୍ଷ କିମ୍ବା ଅଧ୍ୟକ୍ଷାଙ୍କ ଆଦେଶ ଅନୁପାଳନ କରିବା କଥା। ବ୍ଲକର ଉନ୍ନୟମୂଳକ କାର୍ଯ୍ୟରେ ଜନ ପ୍ରତିନିଧିଙ୍କ ପରାମର୍ଶ ନେବା କଥା। ହେଲେ ବିଡିଓ କୌଣସି ସରପଂଚ କି ସମିତି ସଭ୍ୟଙ୍କୁ ନ ପଚାରି ନିଜଆଡୁ ପ୍ରକଳ୍ପ ତାଲିକା ପ୍ରଦାନ କରିଛନ୍ତି। ସେହିପିରି ପୂର୍ବ ସରକାର ଅମଳରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିର ଅନୁଦାନରେ ହେବାକୁ ଥିବା କେତେକ ପ୍ରକଳ୍ପକୁ ବାତିଲ କରି ଦେଇଛନ୍ତି। ତା ବଦଳରେ ନୂଆ ନୂଆ ପ୍ରକଳ୍ପକୁ ସାମିଲ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ କିମ୍ବା ପଂଚାୟତିରାଜ ବିଭାଗ ନିର୍ଦ୍ଦେଶକ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସମିତି ସଭ୍ୟ ଓ ସରପଂଚମାନେ ଚେତାବନୀ ଦେଇଛନ୍ତି। ଏନେଇ ବିଡ଼ିଓଙ୍କୁ ପଚାରିବାରୁ କୁହନ୍ତି; ଯାହା ହୋଇଛି ଆଇନ ଅନୁଯାୟୀ ହୋଇଛି।