Odiapua.com

ଧାମନଗର ବିଜେଡ଼ି ନେତାଙ୍କ ବିଜେପିରେ ଯୋଗଦାନ

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକରେ ବିଜେଡ଼ି ଦଳର ସଂଗଠନକୁ ସୁଦୃଢ କରିବାପାଇଁ ରାଜ୍ୟ ସଭାପତି ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଦ୍ୱାରା ପ୍ରେରିତ ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟକୁ ସଂଗଠନ ପାଇଁ ଦାୟିତ୍ୱ ଦେଇଥିବାବେଳେ ଶ୍ରୀ ରାୟଙ୍କ ଦ୍ୱାରା ମଧ୍ୟ ଘନ ଘନ ବୈଠକ କରାଯାଇ ଦଳକୁ ସୁଦୃଢ କରାଯାଉଛି । ହେଲେ ଦୁଇଦିନ ତଳେ ବ୍ଲକର ତିନିଜଣ ଟାଣୁ ବିଜେଡ଼ି କର୍ମୀ ବିଜେପି ଦଳରେ ସାମିଲ ହୋଇଛନ୍ତି । ଗତ ବୁଧବାର ଧାମନଗର ବିଧାୟକ ତଥା ବିରୋଧିଦଳ ଉପନେତାଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ପରିସରରେ ଏକ ମିଶ୍ରଣ ପର୍ବରେ ବିଜେଡ଼ିର ପୂର୍ବତନ ଜିଲ୍ଳା ସମ୍ପାଦକ ଦିଲ୍ଲିପ କୁମାର ସାମଲ, କରଦା ପଂଚାୟତ ସରପଂଚଙ୍କ ଦିଅର ତଥା ବିଜେଡ଼ିର ଛାମୁଆ ସଂଗଠକ ରମେଶ ଆଚାର୍ଯ୍ୟ, କରଦା ପଂଚାୟତର ପୂର୍ବତନ ସମିତିସଭ୍ୟ ତଥା ବିଜେଡ଼ିର ଟାଣୁଆ ସଂଗଠକ ରବିନ୍ଦ୍ର ସେଠୀ ପ୍ରମୁଖ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ଦଳରେ ସାମିଲ ହୋଇଛନ୍ତି । ଧାମନଗରରେ ବିଜେଡ଼ିର ଦୁର୍ବଳ ନେତୃତ୍ୱ, ସଂଗଠନ ଏବଂ ଗୋଷ୍ଠୀ କନ୍ଦଳ ହେତୁ ଦଳ ଉପରେ ଆସ୍ଥା ହରାଇ ସେମାନେ ବିଜେପିର ଦୃଢ ନେତୃତ୍ୱ ତଥା ସ୍ଥାନୀୟ ବିଧାୟକ ବିଷ୍ଣୁ ସେଠୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଅଶୋକ କୁମାର ପୁହାଣ, ଜିଲ୍ଲା ଉପସଭାପତି ଚତୁର୍ଭୁଜ ନାୟକ, ଦୋବଲ ମଣ୍ଡଳ ସଭାପତି ଅରବିନ୍ଦ ପତି, ଜିଲ୍ଳା ପରିଷଦ ସଭ୍ୟ ମନୋରଂଜନ ମଲ୍ଳିକ, ବୁଧଦେବ ଜେନା, ମିଡ଼ିଆ ସେଲ୍‌ର ଅଧ୍ୟକ୍ଷ ବୈକୁଣ୍ଠନାଥ ସାହୁ, ଲିଗାଲ ସେଲର ଅଧ୍ୟକ୍ଷ ରଣଜିତ୍ ମହାନ୍ତି, ମଣ୍ଡଳ ସଭାପତି ଦୀପ୍ତିରଂଜନ ଜେନା, ରାମଚନ୍ଦ୍ର ମିଶ୍ର, ଅଜୟ କୁମାର ବଳ, ଶ୍ରୀକାନ୍ତ ନାୟକ, ଆଶିଷ ଜେନା ଓ ଶ୍ରୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଦଳରେ ସାମିଲ ହୋଇଥିବା ତିନିଜଣ ଛାମୁଆ କର୍ମୀଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ । ଏହି ସମୟରେ ବିଧାୟକ ଶ୍ରୀ ସେଠୀ ୩ଜଣକୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳରେ ସାମିଲ କରାଇଥିଲେ ।