ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରାଜୟର ପ୍ରାୟ ୨ ବର୍ଷ ପରେ ଧାମନଗର ବିଧାନସଭା ଆସନକୁ ନେଇ ଚେତିଛି ବିଜେଡି । ନିର୍ବାଚନ ମଣ୍ଡଳୀର ଦୁଇ ପ୍ରମୁଖ ନେତା ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ରାଜେନ୍ଦ୍ର ଦାସଙ୍କୁ ସାଙ୍ଗଠନିକ ବ୍ୟବସ୍ଥାରୁ ହଟାଇ ୧୧ ଜଣିଆ କମିଟି ହାତରେ ସଙ୍ଗଠନ ଦାୟିତ୍ୱ ହସ୍ତାନ୍ତର କରିଛି । କମିଟିରେ ପୂର୍ବତନ ବ୍ଲକ ସଭାପତି ତଥା ବର୍ତମାନର ପଂଚାୟତସମିତି ଅଧକ୍ଷ ଅଶୋକ ନାୟକଙ୍କ ସହିତ ବର୍ତମାନର ବ୍ଲକ ସଭାପତି ତଥା ବରିଷ୍ଟ ବିଜେଡି ନେତା ରଘୁନାଥ ଲେଙ୍କାଙ୍କ ସହିତ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ହରେକୃଷ୍ଣ ପାଢୀ,ପ୍ରଦୀପ ମଲ୍ଲିକ,ନାରାୟଣ ସାହୁ,ଶୁଶାନ୍ତ ରାଉତ,ସେଖ ଜାଫର,ଅତିସ ନନ୍ଦ,ପ୍ରତାପ ସାମଲ ଏବଂ ଶରତମହାନ୍ତି ଙ୍କୁ ସାମିଲ କରାଯାଇଛି । ନିର୍ବାଚନ ମଣ୍ଡଳୀରେ ଦଳିୟ କାର୍ଯ୍ୟକ୍ରମ ହେଉ ଅଥବା ଯେକୌଣସି ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଗ୍ରହଣ କରିବା କ୍ଷେତ୍ରରେ ହେଉ ଏହି କମିଟିକୁ କ୍ଷମତାପ୍ରାପ୍ତ କରାଯାଇଥିବା ବେଳେ କମିଟିରେ ମୁକ୍ତି ଏବଂ ରାଜେନ୍ଦ୍ରଙ୍କ ହସ୍ତକ୍ଷେ‘କୁ ବାରଣ କରାଯାଇଛି । ହାଇକମାଣ୍ଡଙ୍କ ଏହି ନିଷ୍ପତି ଧାମନଗର ବିଜେଡି ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିଛି । ଆଗକୁ ଏନଏସି ଏବଂ ଏହା ପଛକୁ ଗୁରୁତ୍ୱପୁର୍ଣ୍ଣ ପଂଚାୟତ ନିର୍ବାଚନ ଆସୁଥିବା ବେଳେ ନିର୍ବାଚନ ମଣ୍ଡଳୀରେ ଦଳିୟ ଅସନ୍ତୋଷ ଏବଂ ଗୋଷ୍ଟି କନ୍ଦଳ ହଟାଇବାକୁ ଯାଇ ହାଇକମାଣ୍ଡ ଏହି ନିଷ୍ପତି ଗ୍ରହଣ କରିଥିବା କୁହାଯାଉଛି । ଭଦ୍ରକ ଜିଲ୍ଲାରେ ଅନ୍ୟାନ୍ୟ ଆସନ ଭଳି ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ବେଶ ଶକ୍ତିଶାଳି ସାବ୍ୟସ୍ତ ହୋଇ ଆସୁଥିଲେ ମଧ୍ୟ ଦଳିୟ ନେତାଙ୍କ ମଧ୍ୟରେ କ୍ଷମତାକୈନ୍ଦ୍ରିକ ତିବ୍ର ଗୋଷ୍ଟି କନ୍ଦଳ ଯୋଗୁ ଦଳକୁ ଉଭୟ ପଂଚାୟତ ଏବଂ ବିଧାନସଭା ନିର୍ବାଚନରେ ହାତ ଧୋଇବାକୁ ପଡିଥିଲା । ଦଳିୟ ଗୋଷ୍ଟି କନ୍ଦଳ ଯୋଗୁ ଗତ ପଂଚାୟତ ନିର୍ବାଚନରେ ଦଳକୁ ୪ ଟି ଯାକ ଜିଲ୍ଲାପରିଷଦ ଜୋନ ହରାଇବାକୁ ପଡିଥିବା ବେଳେ ଗତ ସାଧାରଣ ନିର୍ବାଚନରେ ମଧ୍ୟ ଅନୁରୁପ ସ୍ଥିତି ଯୋଗୁ ଦଳିୟ ପ୍ରାର୍ଥିଙ୍କର ଜିତିବାର ସମସ୍ତ ସମ୍ଭାବନା ଥାଇ ମଧ୍ୟ ଧାମନଗର ବିଧାନସଭା ଆସନକୁ ଦଳ ହାତଛଡା କରିଥିଲା । ଦଳିୟ ନେତାଙ୍କର ପରସ୍ପର ବିରୋଧି ଆତ୍ମଘାତୀ କାର୍ଯ୍ୟ ଯୋଗୁ ଦଳକୁ ଏହି ନିର୍ବାଚନରେ ପରାଜୟ ବରଣ କରିବାକୁ ପଡିଥିଲା । ପରାଜୟ ପରେ ମଧ୍ୟ ଦଳକୁ ଗୋଷ୍ଟିକନ୍ଦଳ ପିଛା ଛାଡି ନଥିଲା । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଆଗରେ ଦଳିୟ ନେତା ମାନେ ପରସ୍ପରଙ୍କୁ ଦୋଷାରୋପ କରିବା ଛାଡି ନଥିଲେ । ପରାଜୟ ସତ୍ୱେ ଦଳିୟ ନେତୃତ୍ୱ କାହା ଉପରେ ରହିବ ତାକୁ ନେଇ ଦଳ ମଧ୍ୟରେ ରୀତିମତ ଟଣାଓଟରା ଲାଗି ରହିବା ପରେ ଶେଷରେ ଦଳିୟ ପର୍ଯ୍ୟବେକ୍ଷକଙ୍କ ଇଙ୍ଗିତରେ ଦଳର ପରାଜିତ ପ୍ରାର୍ଥି ରାଜେନ୍ଦ୍ର ଙ୍କ ହାତରେ ଦଳିୟ ସଙ୍ଗଠନ ଛଡାଯାଇଥିଲା । ହେଲେ ଦଳପାଇଁ ଏହା ଲାଭଦାୟକ ସାବ୍ୟସ୍ତ ହୋଇପାରି ନପାରିନଥିଲା । ଫଳରେ କ୍ଷମତାର ବିକେନ୍ଦ୍ରିକରଣ କୁ ଦୃଷ୍ଟିରେ ରଖି ହାଇକମାଣ୍ଡଙ୍କ ନିର୍ଦ୍ଧେଶମତେ ୧୧ ଜଣିଆ କମିଟି ହାତରେ ଦଳର ପରିଚାଳନା ଭାର ନ୍ୟସ୍ତ କରାଯାଇଛି । ଯାହାକି ଧାମନଗର ବିଜେଡି ରାଜନୀତିକୁ ଏକ ନୂଆ ଦିଗ୍ ଦର୍ଶନ ଦେଇଥିବା ଚର୍ଚା ହେଉଛି । ଗଠିତ କମିଟିରେ ସିଧାସଳଖ ଭାବେ ରାଜୁ ଏବଂ ମୁକ୍ତି ରହିନଥିଲେ ମଧ୍ୟ ଉଭୟ ଙ୍କ ସମର୍ଥକ ଙ୍କୁ ନେଇ ଏହି କମିଟି ଗଠିତ ହୋଇଥିବାରୁ ଏହା ଏକ ସନ୍ତୁଳିତ କମିଟି ବିବେଚନା କରାଯାଉଛି । ତେବେ ଦଳର ଏହି ବ୍ୟବସ୍ଥା ଧାମନଗର ବିଧାନସଭା କ୍ଷେତ୍ରରେ ଦଳକୁ ମଜଭୁତ କରିବା ସକାସେ ଉଦ୍ଧିଷ୍ଟ ଅଥବା ଧାମନଗର ବିଜେଡି ରାଜନୀତିରୁ ମୁକ୍ତି ଏବଂ ରାଜେନ୍ଦ୍ରଙ୍କୁ ହଟାଇବାର ଏକ ସୁଚିନ୍ତିତ ପ୍ରୟାସ ତାହା ଏବେ ରାଜନୈତିକ ମହଲରେ ଚର୍ଚାର ବିଷୟ ହୋଇଛି ।