Odiapua.com

ଧାମନଗର ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସମାରୋହ

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଏନ୍‌ଏସି ଅନ୍ତର୍ଗତ ଅବଦୁଲକାଲାମ ପାଠାଗାର କେନ୍ଦ୍ର ପରିସରରେ ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଆଗାମୀ ଡ଼ିସେମ୍ବର ମାସରେ ସ୍ୱାସ୍ତ୍ୟ ଓ ଚକ୍ଷ୍ୟୁ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହୋଇଥିବାବେଳେ ଏହି କ୍ରମରେ ପରିଷଦ ତରଫରୁ ୬ଟି ସର୍ବଭାରତୀୟ ସ୍ତରର ମେଧା ପରୀକ୍ଷାରେ ସଫଳତାପାଇଥିବା ଓ କୃତିତ୍ୱ ଅର୍ଜନ କରବା ସହ ନିଟ୍ ପରୀକ୍ଷାରେ ଶତକଡ଼ା ୯୮.୪ ନମ୍ବର ରଖି ଓଡ଼ିଶା ସ୍ତରରେ ୫ମ ସ୍ଥାନ ଅଧିକାର କରି ଧାମନଗର ଅଂଚଳ ସମେତ ରାଜ୍ୟର ନାମ ଉଜ୍ୱଳ କରିଥିବା ମେଧାବୀ ଛାତ୍ର ସାଇଜ୍ୟୋତି ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଜି ପୂର୍ବାହ୍ନରେ ପରିଷଦର ସଭାପତି ଘଂଟେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଧାମନଗର ଥାନା ଆଇଆଇସି ପ୍ରଦୀପ ମହନ୍ତ ମୁଖ୍ୟଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସାଇଜ୍ୟୋତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ ଧାମନଗର ଜିଲ୍ଳାପରିଷଦ ତଥା ପରିଷଦର ବରିଷ୍ଠ ସଦସ୍ୟ ସୁରଥଚନ୍ଦ୍ର ସେଠୀ, ଶିକ୍ଷାବିତ୍‌, କବି ତଥା ଶିଶୁ ସାହିତ୍ୟିକ କାହ୍ନୁଚରଣ ପାଣିଗ୍ରାହୀ, ପରିଷଦର କୋଷାଧ୍ୟକ୍ଷ ନିରାକାର ଧଳ, ମୁରଲୀଧର ସାହୁ, ବିଦ୍ୟାଧର ରାଉତ, ଜ୍ଞାନରଂଜନ ରାଉତ, ମହେଶ୍ୱର ସ୍ୱାଇଁ, ଅଭିମନ୍ୟୁ ମଲ୍ଲିକ, ଦଶରଥ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଷଦର କର୍ମକର୍ତା ମାନେ ସାଇଜ୍ୟୋତିଙ୍କୁ ତାଙ୍କ କୃତିତ୍ୱ ପାଇଁ ଉତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ କୃତିଛାତ୍ର ତଥା ସମ୍ବର୍ଦ୍ଧିତ ପ୍ରତିଭା ସାଇଜ୍ୟୋତି କର୍ତବ୍ୟ, ଉତ୍ସାହ, ପିତାମାତାଙ୍କ ପ୍ରେରଣା ଓ ଗୁରୁଜନଙ୍କ ଆଶୀର୍ବାଦହିଁ ଜଣେ ଛାତ୍ରର ସଫଳତା ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ପ୍ରତିଭା ତଥା ମେଧାବୀ ଛାତ୍ର ସାଇଜ୍ୟୋତିଙ୍କ ପିତା ବ୍ରଜକିଶୋର ମଲ୍ଲିକ, ମାତା ମଞ୍ଜୁଲତା ମହାପାତ୍ରଙ୍କ ସମେତ ପରିଷଦର ସଦସ୍ୟ ମାନେ ଯୋଗଦେଇ ସମ୍ବର୍ଦ୍ଧନା ସମାରୋହରେ ଭାଗନେଇଥିଲେ ।