ଭଦ୍ରକ, ୩୧ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଉପରମୁଣ୍ଡରେ ବନ୍ୟା ଜଳ କମିଥିଲେ ମଧ୍ୟ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ବନ୍ୟାର କରାଳ ରୂପ ଏବେ ବି ଜାରି ରହିଛି। ବନ୍ୟା ଆସିବାର ଚାରି ଦିନ ବିତିଯାଇଥିଲେ ହେଁ, ଅନେକ ଅଂଚଳରୁ ଏବେ ବି ବନ୍ୟାପାଣି କମିବାର ନାଁ ନେଉନାହିଁ। ଫଳରେ ଲୋକମାନେ ଘରଦ୍ୱାର ଛାଡ଼ି ନଦୀବନ୍ଧ ଓ ସ୍କୁଲ ଘରେ ଆଶ୍ରୟ ନେଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ସୂଚନା ଥାଉକି ବମକୁରା, ରଇପୁର, କାଶୀନ୍ଧିପୁର, ଅସୁରାଳୀ, କୋଠର, କଟସାହି, ଅର୍ଜୁନପୁର, ପଧାନି, ହସନାବାଦ ଏବଂ ପାଳସାହି ଆଦି ବିଭିନ୍ନ ପଂଚାୟତରେ ଏବେ ବି ବନ୍ୟାଜଳ ଜମି ରହି ବ୍ୟାପକକ୍ଷତି ହୋଇଛି। ଗ୍ରାମଗୁଡ଼ିକରେ ଯାତାୟାତ ଓ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ବନ୍ୟା ନଦୀ ରୁ କମୁ ଥିବା ବେଳେ ରାମେଶ୍ୱରପୁର ମଲିକ ସାହି ରେ ଗେଙ୍ଗୁଟି ନଦୀ ବନ୍ଧ ଧସି ଥିବାର ସୂଚନା ମିଳିଛି।ବୈତରଣୀ ନଦୀ ର ଷଣ୍ଢପୁର ଠାରେ ହର ମୋହନ ଜେନା ଙ୍କ ଘରପାଖରେ ବନ୍ଦ ଧସିଥିବା ବେଳେ ଜଳସେଚନ ବିଭାଗ ର ଅଧିକାରି ମାନେ ପହଂଚି ତୁରିତ୍ ମରାମତି କରିଥିଲେ। ଏହି ବନ୍ୟା ରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ୫୦ ହଜାର ପାଣି ବୋତଲ ବିଭିନ୍ନ ଗ୍ରାମ ଓ ସ୍କୁଲ କୁ ଯୋଗାଇ ଦିଆ ଯାଇଛି।ଏହି ବନ୍ୟା ବିଭୀଷିକା ଭିତରେ ଫତେପୁର ପଂଚାୟତର ସାହୁସାହି ଗ୍ରାମରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ନୃସିଂହ ସାହୁଙ୍କ ୭ ବର୍ଷର ସାନ ଝିଅ ଜ୍ୟୋତି ସାହୁ ବନ୍ୟାଜଳରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଜ୍ୟୋତି ତାଙ୍କ ବଡ଼ ଭଉଣୀଙ୍କ ସହିତ ପାଖରେ ଗାଧୋଇବାକୁ ଯାଇଥିବା ବେଳେ ହଠାତ୍ ପାଣିର ସ୍ରୋତ ରେ ପୋଖରୀ କୁ ଭାସି ଯାଇଥିଲେ। ବଡ଼ ଭଉଣୀ କୌଣସିମତେ ଉଦ୍ଧାର ହୋଇଥିବାବେଳେ ସାନ ଝିଅ ଜ୍ୟୋତି ପାଣିରେ ଖସିଯାଇ ନିଖୋଜ ହୋଇଯାଇଥିଲେ।ଘଟଣାସ୍ଥଳରେ ସ୍ଥାନୀୟ ସରପଂଚ ରଞ୍ଜନ ପଣ୍ଡା ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ମାତ୍ର ପ୍ରଶାସନିକ ଟିମ୍ ପହଂଚିବା ପୂର୍ବରୁ ସ୍ଥାନୀୟ ଗ୍ରାମବାସୀମାନେ ନିଜେ ସାହସିକତା ପ୍ରଦର୍ଶନ କରି ପାଣିରୁ ଶିଶୁଟିର ମୃତଦେହ ଉଦ୍ଧାର କରିଥିଲେ। ଏହି ଅଭାବନୀୟ ଘଟଣାରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି।