Odiapua.com

ଧାମନଗର: ବନ୍ୟାପରେ ନଦୀବନ୍ଧରେ ବାଲି ବସ୍ତା ପକାଇ ସରକାରୀ ଅର୍ଥ ହରିଲୁଟ୍ ଉଦ୍ୟମ

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ଧାମନଗର ବ୍ଳକରେ ୨୦ଟି ପଂଚାୟତ ଚାଷ ଜମି ଜଳମଗ୍ନ ହୋଇଥିବାବେଳେ ସରକାରୀ ଭାବରେ ବ୍ଲକର ୧୭ଟି ପଂଚାୟତ ଜଳମଗ୍ନ ହୋଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ଧାମନଗର ବ୍ଲକର ବିଭିନ୍ନ ପଂଚାୟତରେ ବନ୍ୟାଜଳ ପ୍ରବେଶ କରି ଚାଷ ଜମି ସମେତ ରାସ୍ତାଘାଟ ବୁଡ଼ି ରହିଥିବାବେଳେ ଆନନ୍ଦପୁର, ସୋହଡ଼ା, ଖଡ଼ିପଦା, କରଦା, ପଧାନୀ, ଦଳାଙ୍ଗ, ଅର୍ଜ୍ଜୁନପୁର, ନଦୀଗାଁ ଆଦି ପଂଚାୟତର ବିଭିନ୍ନ ରାସ୍ତାଘାଟ ଓ ଚାଷ ଜମିରେ ଧିରେ ଧିରେ ବନ୍ୟାଜଳ ହ୍ରାସ ପାଇଥିବାବେଳେ ହସନାବାଦ, ପାଳସାହି, ରଇପୁର, କୋଠାର, ଫତେପୁର, କଟ୍ଟସାହି, ବୟାଂଡ଼ିହ ଆଦି ପଂଚାୟତ ମାନଙ୍କରେ ଚାଷଜମି ମାନଙ୍କରେ ବନ୍ୟାପାଣି କମିନାହିଁ । ହସନାବାଦ ପଂଚାୟତର ସମିତିସଭ୍ୟ ପ୍ରଦୀପ ମଲ୍ଲିକ, ଭଦ୍ରକ ଜିଲ୍ଳାପାଳ ଓ ଅତିରିକ୍ତ ଜିଲ୍ଳାପାଳଙ୍କ ସହିତ ହସନାବାଦ ପଂଚାୟତର ବିଭିନ୍ନ ଗ୍ରାମର ବନ୍ୟା ବିପନ୍ନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ଅତିରିକ୍ତ ତହସିଲଦାର ଅନୁପ ବେହେରା ପ୍ରମୁଖ ପଂଚାୟତର ବିଭିନ୍ନ ଗ୍ରାମ ବୁଲି ବିପନ୍ନଙ୍କ ସମସ୍ୟା ସମ୍ପର୍କରେ ବୁଝିଥିଲେ ଏବଂ ଦୁଇଦିନ ମଧ୍ୟରେ ତହସିଲ ପକ୍ଷରୁ ସର୍ବେପରେ ସରକାରୀ ସହାୟତା ଯୋଗାଇ ଦିଆଯିବବୋଲି ବିଡ଼ିଓ ଶ୍ରୀ ମୁର୍ମୁ ପ୍ରକାଶ କରିଥିଲେ । ତେବେ ବନ୍ୟା ଛାଡ଼ିବାପରେ ଧାମନଗର ବ୍ଲକର କେତେକ ବ୍ୟକ୍ତି ସରକାରୀ ଅର୍ଥ ଲୁଟିବା ପାଇଁ ସଜାଗ ହୋଇଗଲେଣି । ସୂଚନା ଥାଉକି ସରକାରଙ୍କ ପକ୍ଷରୁ କୋଚିଳା ନଦୀବନ୍ଧ ସମେତ ବିଭିନ୍ନ ନଦୀବନ୍ଧର ସୁଦୃଢି କରଣ ପାଇଁ ପ୍ରାୟ ୩ଶହ କୋଟି ଟଙ୍କା ବ୍ୟୟରେ ବନ୍ଧ ସୁଦୃଢି କରଣ ହୋଇଛି ।

କିନ୍ତୁ ପ୍ରତିବର୍ଷ ବନ୍ୟାର ଆଳଦେଖାଇ ବିଭିନ୍ନ ବନ୍ଧ ମାନଙ୍କରେ ମନ୍ୟୁଷ୍ୟକୃତ ଘାଇ କରାଇ କେତେକ ଠିକାଦାର ଜଳସେଚନ ବିଭାଗର ଯନ୍ତ୍ରୀ ମାନଙ୍କ ସହିତ ସଲାସୂତୁରା ରଖି ଲକ୍ଷ ଲକ୍ଷ ଟଙ୍କା ଫଲ୍ସବିଲ୍ କରୁଥିବାବେଳେ ନଦୀବନ୍ଧ ସୁଦୃଢି କରଣ ପରେ ଆଉ ଫଲ୍ସବିଲ୍ ହୋଇପାରୁନାହିଁ । ତେବେ ଠିକାଦାର ମାନେ ଅନ୍ୟଏକ ଚାଲକରି କୋଚିଳା ନଦୀବନ୍ଧର ଡ଼ାହାଣ ପାଶ୍ୱର୍ରେ ତରାଇସାହି, ଲେଙ୍କାସାହି, ଉପରସଇଲ, କୋଚିଳା ମୁହାଣ, ମମାଦିଲା, ଦାସପାରୀ ଆଦି ସ୍ଥାନମାନଙ୍କରେ ଦୁଇଦିନ ହେବ ବନ୍ୟା ଛାଡ଼ିବା ପରେ ସେହି ସ୍ଥାନମାନଙ୍କରେ ଆଜି ବାଲି ବସ୍ତା ପକାଯାଉଛି । ଯେଉଁଠାରେକି ନଦୀବନ୍ଧ ସମ୍ପୂର୍ଣ୍ଣ ଭାବେ ସୁଦୃଢିକରଣ ହୋଇସାରିଛି । ଏ ସମ୍ପର୍କରେ ଧାମନଗର ଜଳସେଚନ ବିଭାଗର ଏସ୍‌ଡ଼ିଓଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ ଆମ ବିଭାଗ ପକ୍ଷରୁ ସେପରି ବାଲି ବସ୍ତା ପକାଇବା ପାଇଁ କାହାକୁ କୁହାଯାଇନାହିଁ । ତେବେ ତରବରିଆ ଭାବରେ ବନ୍ୟା ଛାଡ଼ିବାପରେ ଏପରି ବାଲି ବସ୍ତା ପକାଇବା କାହା ସ୍ୱାର୍ଥରେ ବୋଲି ଧାମନଗର ବ୍ଲକ କଂଗ୍ରେସ ସଭାପତି ଅଭିଷେକ ରାଉତ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ କେତେକ ଠିକାଦାରଙ୍କର ନୀତିଦିନିଆ ଏପରି ବେପାର କରି ଜଳସେଚନ ବିଭାଗ ଅର୍ଥ ତୋଷାର ପାତ କରିବାପାଇଁ ଯୋଜନା କରୁଛନ୍ତି । ଏ ଦୀଗରେ ଜିଲ୍ଳାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।