ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଆନନ୍ଦପୁର ପଂଚାୟତ ପାହାଡ଼ପୁର ଜେନା ସାହିରେ ଏକ ମର୍ମନ୍ତୁଦ ଓ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ବର୍ଷା ଜନିତ ବଡ଼ିପାଣି ମାଡ଼ିଆସିବାରୁ ଚାଷ କାମ କରିବାକୁ ଯାଇଥିବା ଜଣେ ଗରିବ ଦିନ ମଜୁରିଆ ନିଜ ଘରକୁ ଆଉ ଫେରିପାରିନାହାନ୍ତି। ୪ ଦିନର ତଲାସୀ ପରେ ତାଙ୍କର ମୃତଦେହ ନିକଟ ଏକ ପାଳ ରୁ କରାଯାଇଛି।ସୂଚନା ଥାଉକି ଗତ ୧୪ ତାରିଖ ସକାଳେ ପାହାଡ଼ପୁର ଜେନା ସାହିର ଗଣେଶ ଜେନା (୫୧) ନିଜର ଦିନ ମଜୁରିଆ କାମ ପାଇଁ ବିଲକୁ ଯାଇଥିଲେ। ସେହି ସମୟରେ ହଠାତ୍ ବଡ଼ି ପାଣି ମାଡ଼ି ଆସିବାରୁ ସେ ଆଉ ଘରକୁ ଫେରି ପାରି ନଥିଲେ। ଗ୍ରାମବାସୀ ଏବଂ ଓଡ୍ରାଫ ଟିମ୍ ମିଳିତ ଭାବେ ଖୋଜାଖୋଜି କରିଥିଲେ ହେଁ, ୪ ଦିନ ପରେ ସୋମବାର ଦିନ ଗଣେଶଙ୍କର ମୃତଦେହ ମିଳିଥିଲା। ଧାମନଗର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି। ମୃତଦେହ ଦେଖିବା ପରେ ଶହ ଶହ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା ଏବଂ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ମୃତ ଗଣେଶ ଜେନା ଥିଲେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି। ପରଘରେ ମଜୁରି କାମ କରି ସେ ନିଜର ୫ ପ୍ରାଣୀ କୁଟୁମ୍ବର ଭରଣପୋଷଣ କରୁଥିଲେ। ତାଙ୍କର ଏଭଳି ଅକାଳ ବିୟୋଗରେ ପରିବାରର ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ଘରେ ୮୫ ବର୍ଷର ବୃଦ୍ଧ ବାପା, ୭୬ ବର୍ଷର ମାନସିକ ଅସ୍ୱାଭାବିକ ମାଆ, ଜଣେ ମାନସିକ ବିକ୍ଷିପ୍ତ ଭାଇ, ଆଖି ଅପରେସନ୍ ହୋଇଥିବା ଅସହାୟ ସ୍ତ୍ରୀ ଏବଂ ମାତ୍ର ୧୪ ବର୍ଷର ପୁଅ ରହିଛନ୍ତି। ପରିବାରର ଏପରି ଦୟନୀୟ ଅବସ୍ଥା ଦେଖି ସ୍ଥାନୀୟ ଅଂଚଳର ପ୍ରତ୍ୟେକ ବ୍ୟକ୍ତିଙ୍କ ଆଖିରେ ଲୁହ ଆସିଯାଇଛି।ଘଟଣା ସୂଚନା ପାଇ ଧାମନଗର ତହସିଲଦାରଙ୍କ ନିର୍ଦେଶକ୍ରମେ ରାଜସ୍ୱ ଅଧିକାରୀ ଅଙ୍କିତ କୁମାର ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସରପଞ୍ଚ ପ୍ରତିନିଧି ଶରତ ମାଝୀ “ହରିଶ୍ଚନ୍ଦ୍ର ଯୋଜନା’ରୁ ଶବ ସଂସ୍କାର ପାଇଁ ତତ୍କାଳ ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି। ସେହିପରି ରେଡ୍ କ୍ରସ୍ ପକ୍ଷରୁ ଧାମନଗର ତହସିଲଦାର ଜ୍ଞାନ ରଞ୍ଜନ ସାହୁ ମୃତ ଗଣେଶଙ୍କ ପରିବାରକୁ ୨୦,୦୦୦ ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି। ଆନନ୍ଦପୁର ପଂଚାୟତର ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପତି କହିଛନ୍ତି ଯେ, ସରକାରୀ ନିୟମାନୁସାରେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ପରିବାରକୁ ଯେତେଦୂର ସମ୍ଭବ ଅଧିକରୁ ଅଧିକ ସରକାରୀ ସହାୟତା ଯୋଗାଇଦେବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ।