ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ପ୍ରତୀକ ହେଉଛି ଆମର ଲୋକ କଳା। ଏହି ପାରମ୍ପରିକ କଳାକୁ ବଂଚାଇ ରଖିବା ଏବଂ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ‘ଲୋକ କଳା ଦିବସ’ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗତକାଲି (୧୦ ତାରିଖ) ଧାମନଗର ପଂଚାୟତ ସମିତି ପକ୍ଷରୁ ସ୍ଥାନୀୟ ପଂଚାୟତ ସେମିତି ସମ୍ମିଳନୀକକ୍ଷରେଏହି ଦିବସ ପାଳିତ ହୋଇଯାଇଛି। ମାତ୍ର କାର୍ଯ୍ୟକ୍ରମର ପରିଚାଳନା ଓ ଆୟୋଜନକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଗ୍ରାମାଞ୍ଚଳରେ ଲୁପ୍ତପ୍ରାୟ ହେବାକୁ ବସିଥିବା ଲୋକ କଳାର ପ୍ରଚାର ପ୍ରସାର କରିବା ଏବଂ ନୂତନ ପିଢ଼ିକୁ ଏହା ସହ ଯୋଡ଼ିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଧାମନଗରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଳାକାର ଯୋଗ ଦେଇଥିଲେ ମଧ୍ୟ ପ୍ରକୃତ ଉଦ୍ଦେଶ୍ୟ ସଫଳ ହୋଇପାରିନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ କଳା ପ୍ରେମୀମାନେ ଅଭିଯୋଗ କରିଛନ୍ତି। କାର୍ଯ୍ୟକ୍ରମ ସମ୍ପର୍କରେ ବହୁ ଲୋକକଳାକାର ଓ ସାଧାରଣ ଜନତା ଅବଗତ ନଥିଲେ, ଯାହା ଫଳରେ ଏହା କେବଳ ଏକ ସରକାରୀ ଔପଚାରିକତାରେ ସୀମିତ ରହିଗଲା। ଲୋକ କଳାକୁ ଉଦଜୀବିତ କରିବା ପାଇଁ ଯେଉଁ ପ୍ରକାର ମଂଚ ଓ ଆନୁଷଙ୍ଗିକ ବ୍ୟବସ୍ଥା ଆବଶ୍ୟକ ଥିଲା, ତାହା ଦେଖିବାକୁ ମିଳିନଥିଲା। କଳାର ମୂଲ୍ୟବୋଧ ଓ ଏହାର ଐତିହ୍ୟ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ପ୍ରଶାସନ ବିଫଳ ହୋଇଥିବା କୁହାଯାଉଛି।ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ କେବଳ ଗୋଟିଏ ଦିନ ଉତ୍ସବ ପାଳନ କରିବା ଯଥେଷ୍ଟ ନୁହେଁ। ଯଦି ପ୍ରକୃତ କଳାକାରଙ୍କୁ ସମ୍ମାନ ଓ କଳାର ବିକାଶ ପାଇଁ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନିଆନଯାଏ, ତେବେ ସରକାରୀ ଅର୍ଥର ବ୍ୟୟ କେବଳ ପ୍ରହସନ ପାଲଟିବ। ଆଗାମୀ ଦିନରେ ଏହିପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଗୁଡ଼ିକୁ ଅଧିକ ବ୍ୟାପକ ଏବଂ ଅଭିମୁଖ୍ୟ ଭିତିକ କରିବାକୁ ସାଧାରଣରେ ଦାବି ହୋଇଛି।ତେବେ ଶୁକ୍ରବାର ଦିନ ଧାମନଗର ବ୍ଳକ ପ୍ରଶାସନ ପକ୍ଷରୁ ପଂଚାୟତ ସମିତି ସଭାଗୃହ ପରିସରରେ ଓଡ଼ିଆ ପକ୍ଷ-୨୦୨୬ ଅବସରରେ “ଲୋକକଳା ପାଇଁ ଦିନଟିଏ” ପାଳନ କରାଯାଇଥିଲା। ଏହି ଅବସରରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଆଶୋକ ପୁହାଣ, ସାଂସଦଙ୍କ ବ୍ଲକ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ, ଏବିଡ଼ିଓ ଶର୍ମିଷ୍ଠା ମଲ୍ଲିକ ଓ ବ୍ଲକ ସହକାରୀ କାର୍ଯକ୍ରମ ଅଧିକାରୀ (ଏପିଓ) ପୀୟୁଷ ରଞ୍ଜନ ରାଉତ ଉପସ୍ଥିତ ରହିଥିଲେ। ତରବରିଆ ଭାବେ କିଛି ବ୍ୟକ୍ତୀଙ୍କୁ ସମ୍ବର୍ଦ୍ଧନା ଜଣାଇ ସେମାନଙ୍କର ଲୋକକଳା ପ୍ରତି ଅବଦାନକୁ ସ୍ୱୀକାର କରାଯାଇଥିଲା। ତେବେ ପ୍ରତି ଥର ସରକାର ଙ୍କ ଦ୍ୱାରା ଲୋକକଳା ଗ୍ରାମ ବନ୍ଧଟିଆ ରେ ପାଳନ ହେଉଥିବା ବେଳେ ତରବରିଆ ଭାବରେ କାହାକୁ କିଛି ନ ଜଣାଇ ଏପରି କାର୍ଯ୍ୟକ୍ରମ ପ୍ରହସନ ବୋଲି ବ୍ଲକ ଲୋକକଳା ସଙ୍ଘ ର ଉପ ସଭାପତି ସୁବାସ ମଲିକ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି। ଏହି ସଙ୍ଗ ର ବିଡ଼ିଓ ସଭାପତି ଥିବା ବେଳେ ତାଙ୍କ ଅନୁପସ୍ଥିତ ରେ ଏହି କାର୍ଯ୍ୟକ୍ରମ ହୋଇଥିଲା ଏବଂ ବିଡ଼ିଓ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲା ।