ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର କଲେଜରୁ ଭଣ୍ଡାରିପୋଖରୀ ବ୍ଲକର କୋରିଗାଁକୁ ସଂଯୋଗ କରୁଥିବା ଧାମନଗର-ନୂଆପଡା ଗ୍ରାମ୍ୟ ଉନ୍ନୟନ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଥିଲା । ବର୍ଷା ଦିନରେ ଉକ୍ତ କଚା ରାସ୍ତାଟି କାଦୁଆ ହେବା ସହିତ ବନ୍ୟା ସମୟରେ ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡୁଛି । ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରି ଆସୁଥିବା ବେଳେ ଏବେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରି ରାସ୍ତା ପିଚୁ କରିବା ପାଇଁ ସଂପୃକ୍ତ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଛି । ଏବେ ଉକ୍ତ ରାସ୍ତା ନିର୍ମାଣ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି । ପ୍ରଥମେ ରାସ୍ତା ନିର୍ମାଣ ପାଇଁ ବ୍ୟୟ ଅଟକଳର ସୂଚନା ଫଳକ ନଲଗାଇ କାର୍ଯ୍ୟ ଆରମ୍ଭ ହେଉଛି । ସାଧାରଣ ଲୋକ କାର୍ଯ୍ୟର ମାନ ସଂପର୍କରେ ଜାଣିପାରିବେ ନାହିଁ ସେଥିପାଇଁ ଠିକାଦାର ରାତି ଅଧିଆ କାମ କରୁଛି । ସ୍ତର ଅନୁଯାୟୀ ପ୍ରଥମେ ମାଟି, ବାଲି, ନାଲିମାଟି, ମେଟାଂଲ ଓ ମହରମ ପକାଇ ଭ୍ରାଇବ୍ରେଟିଂ ରୋଲିଂ କରାଯାଉନାହିଁ । ଯେଉଁ ମେଟାଂଲ ପଡୁଛି ତାହା ଅତି ନିମ୍ନମାନର । ଡଷ୍ଟ ପରେ ପାଣି ଦେଇ ରୋଲିଂ ମଧ୍ୟ କରାଯାଉନାହିଁ । ରାସ୍ତାର ଉଭୟ ପାଶ୍ୱର୍ ଯେଉଁ ମାଟି ପକାଯାଉଛି, ତାହା ସେହି ରାସ୍ତାକଡରୁ ଉଠାଯାଇ ପାଶ୍ୱର୍ ରାସ୍ତାରେ ପକାଯାଉଛି । ଫଳରେ ବର୍ଷା ହେଲେ ସେହି ମାଟି ଧୋଇ ରାସ୍ତା ବିପର୍ଯ୍ୟସ୍ତ ହେବାର ସମ୍ଭାବନା ରହିଛି । ଏହି ରାସ୍ତା ଭଣ୍ଡାରିପୋଖରୀ ଓ ଧାମନଗରକୁ ସଂଯୋଜ କରୁଥିବାରୁ ପ୍ରତଦିନ ଶହଶହ ଲୋକ ଯାତାୟତ କରିଥାନ୍ତି । ଏପରିକି ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ ଧାମନଗର ମହାବିଦ୍ୟାଳୟକୁ ଯାତାୟତ କରିଥାନ୍ତି । ଏଥିସହ ଏକ ବାଳିକା ହଷ୍ଟେଲ, ଅଙ୍ଗନବାଡି କେନ୍ଦ୍ର ରହିଥିବାରୁ ରାସ୍ତା ପ୍ରତି ଗୁରୁତ୍ୱ ରହିଛି । ରାସ୍ତା କାମ ନିମ୍ନମାନର ସଂପର୍କରେ ସ୍ଥାନୀୟ ଲୋକ ଠିକାଦାରଙ୍କୁ ପଚାରିଲେ ସେ ଓଲଟି ସେମାନଙ୍କୁ ନାଲିଆଖି ଦେଖାଉଛନ୍ତି । ତୁମେ ବିଭାଗକୁ କୁହ, ମୋତେ କାହିଁକି ପଚାରୁଛ ବୋଲି ସେମାନଙ୍କୁ କହିବା ସହିତ ବିଭିନ୍ନ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି । ହେଲେ ସଂପୃକ୍ତ ଠିକାଦାର ମନମୁଖୀ ଭାବେ ଏଷ୍ଟିମେଟଂ ଅନୁଯାୟୀ କାର୍ଯ୍ୟ ନକରି ଅତି ନିମ୍ନମାନର କାର୍ଯ୍ୟ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏସଂପର୍କରେ ବିଭାଗୀୟ ଯନ୍ତ୍ରୀ ସୁବାସ ସାହୁ କହନ୍ତି, ରାସ୍ତା ଏବେ ନିର୍ମାଣଧୀନ ଚାଲିଛି । ଏଦିଗରେ ସଚେତନ ରହି ଏଷ୍ଟିମେଟଂ ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଛନ୍ତି ।