ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅଧୀନ ଦୁଇଟି ବିଦ୍ୟାଳୟରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ତାଲା ଭାଙ୍ଗି ବିଦ୍ୟାଳୟ ଭିତରେ ପଶି ଚାଉଳ ସମେତ ବିଭିନ୍ନ ସାମଗ୍ରୀ ନେଇଯାଇଛନ୍ତି। ଏନେଇ ଉଭୟ ବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ସକାଳେ ଧାମନଗର ଥାନାରେ ଅଭିଯୋଗ ହୋଇଛି। ଧାମନଗର ବ୍ଲକ ଦଇପୁର ପଂଚାୟତ ବାବୁରି ଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚାଉଳ ରଖାଯାଇଥିବା ଘରର ତାଲା ଭାଙ୍ଗି ଚୋରମାନେ ୭ ବସ୍ତା ଚାଉଳ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଛନ୍ତି। ଏନେଇ ଶିକ୍ଷକ ସୁଧାଂଶୁ ଶେଖର ଜେନା ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଚୁଡ଼ାକୁଟି-ସୋରିଷଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗେଟ୍ ତାଲା ଭାଙ୍ଗି ଚୋରମାନେ ଭିତରକୁ ପଶିଥିଲେ। ଅଫିସ ଘରର ତାଲା ଭାଙ୍ଗି ୨ଟି ପାଲ ଓ କାଗଜପତ୍ର ନେଇଯିବା ସହ ଚାଉଳ ରଖାଯାଇଥିବା ଘରର ତାଲା ଭାଙ୍ଗି ୧୧ ବସ୍ତା ଚାଉଳ ଚୋରି କରିଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଧାନଶିକ୍ଷକ ପ୍ରେମାନନ୍ଦ ଜେନା ଥାନାରେ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି, ଚୁଡ଼ାକୁଟି-ସୋରିଷଡିହି ବିଦ୍ୟାଳୟରେ ଗତ ୨୧ ଜୁଲାଇ ୨୦୨୫ରେ ମଧ୍ୟ ସମାନ ଢଙ୍ଗରେ ଚୋରି ହୋଇଥିଲା। ଏନେଇ ପୁଣି ଚୋରି ହେବାରୁ ବିଦ୍ୟାଳୟର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଅଭିଯୋଗ ପାଇ ଧାମନଗର ପୁଲିସ ଉଭୟ ବିଦ୍ୟାଳୟରେ ପହଂଚି ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜ ଯାଂଚ କରା ଯାଉଅଛି।