Odiapua.com

ଧାମନଗର ଥାନାରେ କରୋନା : ନିୟମ ହେଲା କଡାକଡି

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନାର କାୟା ବଢିଚାଲିଥିବା ବେଳେ ତାକୁ ମୁକାବିଲା ପାଇଁ ବି ପ୍ରଶାସନ ସଜାଗ ରହିଛି। ହେଲେ ଏହି କରୋନାକୁ ମୁକାବିଲା ପାଇଁ ରାତିଦିନକୁ ଏକ କରିଥିବା ପୁଲିସ୍‌କୁ କରୋନା ନେଇ ଧାମନଗର ଅଂଚଳରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ଧାମନଗର ବ୍ଲକ୍‌ର ପୂର୍ବରୁ ୫୮ ଜଣ କରୋନା ପଜିଟିଭ୍ ବାହାରିଥିବାବେଳେ ଆଜି ୧୮ ଜଣଙ୍କର କରୋନା ପଜିଟିଭି ବାହାରିଛି। ସେଥିମଧ୍ୟରୁ ଧାମନଗର ଥାନାର ଆଇଆଇସିଙ୍କ ସମେତ ଥାନାର ୬ ଜଣ, ଆଦର୍ଶ ବିଦ୍ୟାଳୟରୁ ୧ ଜଣ, ଏନଏନସି ଅଂଚଳରେ ୨ ଜଣ, ମୁସ୍ତାଫାପୁରରୁ ୧ ଜଣ, ଦୋବଲରୁ ୬ ଜଣ ଓ ଆନନ୍ଦପୁରରୁ ୨ ଜଣଙ୍କର ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଆଜି ଭଦ୍ରକ କୋଭିଡ୍ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସ୍ଥାନୀୟ ଅଂଚଳର କରୋନା ରୋଗ ସଂକ୍ରମିତ ହେଉଥିବାରୁ ଜିଲାପାଳ ଧାମନଗର ଏନଏସିକୁ ଲକଡାଉନ୍ ଘୋଷଣା କରିଛନ୍ତି। ଏହି ଲକଡାଉନ୍‌କୁ କଟକଣାରେ ୨୦ ତାରିଖ ଠାରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ। ସକାଳ ୫ ଟା ଠାରୁ ଦିନ ୧ଟା ପର୍ଯ୍ୟନ୍ତ କେତେକ ନିର୍ଦ୍ଦିଷ୍ଟ ଦୋକାନ ବଜାର ଖୋଲା ରହିବ। ଦିନ ୨ଟା ପରେ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ତେବେ ଲକଡାଉନ୍ ସତ୍ୱେ ବଳବତ୍ତର ରହିବ ସାପ୍ତାହିକ ସଡଡାଉନ୍। ଏହି ସମୟରେ ଯଦି କୌଣସି ଦୋକାନ କିମ୍ବା ଅନୁଷ୍ଠାନ ଖୋଲା ରହିବ ତେବେ ସେମାନଙ୍କ ଦୋକାନ କିମ୍ବା ଅନୁଷ୍ଠାନକୁ ୭ ଦିନ ପାଇଁ ସିଲ୍ କରାଯିବା ସହ ଜରିମାନା ଆଦାୟ କରାଯିବ। ଅମାନିଆଙ୍କୁ ସାବାଡ କରିବା ପାଇଁ ପାଟ୍ରୋଲିଂ ଓ ଏନଫୋର୍ସମେଣ୍ଟ ଜୋରଦାର କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ତେବେ ଧାମନଗର ଥାନାରେ ୬ ଜଣଙ୍କର କରୋନା ପଜିଟିଭି ବାହାରି ଥିବାରୁ ଥାନାକୁ ନିସିଧାଞ୍ଚଳ ଘୋଷଣା କରାଯାଇଛି।