ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ତାଳପଦା ପଂଚାୟତ ୨ ନମ୍ୱର ୱାର୍ଡ ଜେନାସାହି ରେ ଗଣେଷ ଭସାଣି ର ପୂର୍ବ ରାଗକୁ କେନ୍ଦ୍ର କରି ଗୁରୁବାର ଦିନ ଦୁଇ ଗୋଷ୍ଠି ମଧ୍ୟରେ ଘମାଘୋଟ ଗଣ୍ଡଗୋଳ ଘଟିଯାଇଛି। ଏହି ହିଂସାକାଣ୍ଡରେ ଉଭୟ ପକ୍ଷରୁ ମୋଟ ୬ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଗଣ୍ଡଗୋଳରେ ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ରବୀନ୍ଦ୍ର ଜେନା, ପ୍ରତାପ ଜେନା, ବିଳାସ ଜେନା, ନିତ୍ୟାନନ୍ଦ ଜେନା, ଅଭିଷେକ ଜେନା ଏବଂ ଜୀବନ ଜେନା। ପ୍ରଥମେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଧାମନଗର ମେଡିକାଲରେ ଭର୍ତି କରାଯାଇଥିଲା। ପରେ ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଘଟଣା ସମ୍ପର୍କରେ ଖବର ପାଇବା ପରେ ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାସଙ୍କ ନିର୍ଦ୍ଦେଶକ୍ରମେ ଏସ.ଆଇ. ନାରାୟଣ ଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଉଭୟ ପକ୍ଷରୁ ଅଭିଯୋଗ ଆସିଥିବା ବେଳେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ତଦନ୍ତ ସରିବା ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳିଯାଇଥିବାବେଳେ ପୋଲିସ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ସୂଚନା ଥାଉକି ବୁଧବାର ଦିନ ଉଭୟ ଗୋଷ୍ଟି ଙ୍କ ଗଣେଶ ଭସାଣି ବେଳେ ସାମାନ୍ୟ ବଚଷା ହୋଇଥିଲା। ତେବେ ପୂର୍ବ ଘଟଣା କୁ ନେଇ ଗୁରୁବାର ଘଟଣା ଉଗ୍ର ରୁପ ନେଇଥିଲା।