Odiapua.com

ଧାମନଗର ତହସିଲ ପରିସରରେ ପାନୀୟ ଜଳ ସମସ୍ୟା

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ କାର୍ଯ୍ୟାଳୟ ପରିସରରେ ପାନୀୟ ଜଳର ସଠିକ୍ ବ୍ୟବସ୍ଥା ନଥିବାରୁ ଗ୍ରୀଷ୍ମ ପ୍ରବାହ ସମୟରେ ଲୋକମାନେ ଭାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ବିଭିନ୍ନ ସରକାରୀ କାମ ପାଇଁ ତହସିଲ୍ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନେ ପାଣି ନମିଳିବାରୁ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ସହିତ ବାମ ପାର୍ଶ୍ୱରେ ଲଗାଯାଇଥିବା ଥଣ୍ଡା ପାନୀୟ ବ୍ୟବସ୍ତା ଦୀର୍ଘଦିନ ଧରି ଖରାପ ହୋଇ ପଡିଥିବାରୁ ଏହା ଚାଲୁ ଅବସ୍ଥାରେ ନାହିଁ। ପରିସର ମଧ୍ୟରେ ଅନ୍ୟ କୌଣସି ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ସାଧାରଣ ଲୋକଙ୍କ ଅସୁବିଧା ବଢ଼ୁଛି। ତହସିଲଦାରଙ୍କ କ୍ୱାର୍ଟର (ସରକାରୀ ବାସଭବନ) ନିକଟରେ ଥିବା ଟ୍ୟୁବୱେଲ୍ ଥିଲେ ମଧ୍ୟ ତାହା କ୍ୱାର୍ଟର ପାଇଁ ବ୍ୟବହୃତ ହେଉଥିବାରୁ ସାଧାରଣ ଲୋକମାନେ ସେଠାରୁ ପାଣି ନେବାକୁ ସଙ୍କୋଚ ବୋଧ କରୁଛନ୍ତି। ଏପଟେ ତହସିଲ୍ କାର୍ଯ୍ୟାଳୟ ଆଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଂଶୁଘାତ ସମ୍ବନ୍ଧୀୟ ସଚେତନତା ବ୍ୟାନର୍ ଲଗାଯାଇଥିଲେ ମଧ୍ୟ ପାନୀୟ ଜଳ ଭଳି ମୌଳିକ ସୁବିଧା ନଥିବାକୁ ନେଇ ସାଧାରଣ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକମାନେ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।