Odiapua.com

ଧାମନଗର ଡାକ୍ତରଖାନାରେ ୩ କରୋନା ପଜିଟିଭ୍

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଧାମନଗର ଥାନାରେ ଥାନାଧିକାରୀଙ୍କ ସମେତ ୬ ଜଣଙ୍କର କରୋନା ପଜିଟିଭ୍ ବାହାରିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏହି ଭୟ ଲୋକଙ୍କ ମନକୁ ସତେଜ ରଖିଥିବାବେଳେ ଆଜି ପୁଣି ଧାମନଗର ଡାକ୍ତରଖାନାର ଦୁଇଜଣ ଡାକ୍ତରଙ୍କ ସମେତ ଜଣେ କର୍ମଚାରୀଙ୍କର ପଜିଟିଭ୍ ବାହାରିଛି । ସେମାନଙ୍କୁ ଆଜି ସନ୍ଧ୍ୟାରେ ଭଦ୍ରକ କୋଭିଡ୍ ଡାକ୍ତରଖାନାକୁ ନିଆଯାଇଛି । ୪୮ ଘଣ୍ଟା ପାଇଁ ଏଥିପାଇଁ ଧାମନଗର ଡାକ୍ତରଖାନାକୁ ନିଷିଧାଞ୍ଚଳ ଘୋଷଣା କରାଯାଇଛି । ଏହି ସମୟରେ ରୋଗୀ ତଥା ଜନସାଧାରଣ ଡାକ୍ତରଖାନାକୁ ଯିବାକୁ ବାରଣ କରାଯାଇଛି । ଅନୁରୂପ ଧାମନଗର ଥାନାକୁ ଆଜି ସାନିଟାଇଜେସନ୍ କରାଯାଇଛି । ଧାମନଗର ଥାନା ପରିସରକୁ ୭ ଦିନ ପାଇଁ ନିଷିଧାଞ୍ଚଳ ଘୋଷଣା କରାଯିବା ସହ ସାଧାରଣଙ୍କ ଅଭିଯୋଗ ତଥା ଏଫଆଇଆର ଭଣ୍ଡାରିପୋଖରୀ ଥାନାରେ ଦେବା ପାଇଁ ଜିଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଆଜି ଲକଡାଉନ୍ ନିୟମକୁ ମାନୁନଥିବା ଅମାନିଆଁଙ୍କ ଠାରୁ ୮ ହଜାର ୫ ଶହ ଟଙ୍କା ଧାମନଗର ତହସିଲଦାର ରାଧାକାନ୍ତ ବାରିକ ଜରିମାନା ବାବଦ ଆଦାୟ କରିଛନ୍ତି ।