ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ଛକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୪ ହଜାର ୩୮୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଫଳରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ୱିତ ହେବ। ଏହାସହ ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଟି ହେବ। ତା ସହିତ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ। ଏଥିଲାଗି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ ଯୋଗେ ଧନ୍ୟବାଦ ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ଓ ସ୍ଥାନୀୟ ଯୁବଗୋଷ୍ଠୀ ଏହି ପ୍ରକଳ୍ପ ଦ୍ୱାରା ବିଶେଷ ରୂପେ ଲାଭାନ୍ୱିତ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ଧାମନଗର ଛକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ଏଥିପାଇଁ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ରଖିଥିଲେ। ଇଣ୍ଡିଆନ ଅଏଲ କର୍ପୋରେସନ ସହାୟତାରେ ଧାମନଗର ଛକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ହେବ ବୋଲି ସେତେବେଳେ ଧର୍ମେନ୍ଦ୍ର କହିଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ଓଡ଼ିଶାର ବିକାଶ ରହିଥିବାରୁ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ଲାଗି କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଗତ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଡବଲ ଇଞ୍ଜିନ ସରକାର, ଦ୍ୱିଗୁଣା ବିକାଶର ନାରାକୁ ଜୋର୍ ଦେଇଥିଲେ। ଏଣୁ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପ୍ରକଳ୍ପକୁ ନିକଟରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ ସମୀକ୍ଷା କରିଥିଲେ। ଏହାସହ ପ୍ରକଳ୍ପ ନିର୍ମାଣକୁ ତ୍ୱରାନ୍ୱିତକୁ ପ୍ରାଧାନ୍ୟ ଦେଇଥିଲେ। ତା ପରେ ରାଜ୍ୟ ସରକାର ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ଟେକ୍ସଟାଇଲ ପାର୍କ ପାଇଁ ପାରାଦୀପଠାରେ ଥିବା ଇଣ୍ଡିଆନ ଅଏଲର ରିଫାଇନାରୀରୁ କଂଚା ମାଲ୍ ଆସିବ। ଏଠାରେ ଟେକ୍ସଟାଇଲ ଉତ୍ପାଦ ପ୍ରସ୍ତୁତ ପରେ ଧାମରା ବନ୍ଦର ଦେଇ ଦେଶ ବିଦେଶକୁ ରପ୍ତାନୀ ହେବ ବୋଲି କୁହାଯାଇଛି। ଫଳରେ ଭଦ୍ରକ ଜିଲ୍ଲାରେ ଆନୁସଂଗିକ ଶିଳ୍ପ ମଧ୍ୟ ଗଢ଼ି ଉଠିବ। ଏହାଫଳରେ ଜିଲ୍ଲା ଶିଳ୍ପ ସମୃଦ୍ଧ ହେବ। ଭଦ୍ରକ ଓ ଏହାର ଆଖପାଖ ଜିଲ୍ଲାରୁ ଶହ ଶହ ଲୋକ ଗୁଜୁରାଟର ସୁରତ, ତାମିଲନାଡୁର ତିର୍ଚି, ତିରୁଚିରାପଲି, ତିରୁପୁର, ପଶ୍ଚିମବଙ୍ଗର କୋଲକାତା ଓ କେରଳର କୋଚି ଭଳି ସହରକୁ ଯାଇ ସୂତାକଳ ଓ ବୟନ ଶିଳ୍ପ କାରଖାନାରେ କାମ କରୁଛନ୍ତି। ଏଭଳି କୁଶଳୀ ଯୁବକଯୁବତୀଙ୍କୁ ନିଜ ଅଂଚଳରେ ରୋଜଗାର ସୁବିଧା ଯୋଗାଇଦେବା ଲାଗି ଭଦ୍ରକରେ ବୟନ ଶିଳ୍ପ ପ୍ରତିଷ୍ଠା ଲାଗି ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲା। ଦିବଂଗତ ବିଜେପି ନେତା ବିଷ୍ଣୁ ଚରଣ ସେଠୀ ଏ ନେଇ ରାଜ୍ୟ ବିଧାନସଭାରେ ବାରମ୍ବାର ଦାବି କରି ଆସିଥିଲେ। ତୁରନ୍ତ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ। ଏହାସତ୍ୱେ ପୂର୍ବତନ ସରକାର ଏନେଇ କୌଣସି ପଦକ୍ଷେପ ନେଇନଥିଲେ। ହେଲେ ଗତ ସାଧାରଣ ନିର୍ବାଚନରେ ଧାମନଗରରୁ ପ୍ରାର୍ଥୀ ହୋଇଥିବା ସୂର୍ଯ୍ୟବଂଶୀ ସୂରଜ ଏହାକୁ ନିର୍ବାଚନ ପ୍ରସଙ୍ଗ କରିଥିଲେ। ରାଜ୍ୟରେ ବିଜେପି ସରକାର ଆସିଲେ ପ୍ରଥମ ବର୍ଷରେ ହିଁ ଧାମନଗର ଛକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଉ ଏଥିରେ ଭଦ୍ରକର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବ ବୋଲି ସେ କହୁଥିଲେ।