Odiapua.com

ଧାମନଗର ଜଳସେଚନ ବିଭାଗର ବ୍ୟାପକ ଦୁର୍ନୀତି, ବିନା ସୂଚନା ଫଳକରେ ସୁଇସ୍ ଗେଟ୍ ମରାମତି କରି ଲକ୍ଷାଧିକ ଟଙ୍କା ନେଇଗଲେ ଠିକାଦାର

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଜଳସଂପଦ ବିଭାଗର ସେଣ୍ଢପୁର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବୈତରଣୀ ନଦୀର ବାମପାଶ୍ୱର୍ରେ ଥିବା କଣ୍ଟାପାରିସ୍ଥିତ ମଧୁମାହାରା ସୁଇସ୍ ଗେଟ୍ ମରାମତିରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ଏଠାରେ ସୂଚନା ଥାଉକି ଓଡ଼ିଶା ସରକାରଙ୍କ ଜଳସଂପଦ ବିଭାଗର ଯାଜପୁର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ଧାମନଗର ଜଳସଂପଦ ବିଭାଗ ରହିଛି । ନଦୀ, ବନ୍ଧବାଡ ନିର୍ମାଣ ବେଳେ ଅଧିକାଂଶ ସମୟରେ ଯାଜପୁର କାର୍ଯ୍ୟାଳୟ ଉପରେ ଏହା ନିର୍ଭର କରିଥାଏ । ଏହି ଅଂଚଳରେ ହେଉଥିବା କାର୍ଯ୍ୟର ଅଭିଯୋଗ କରିବାକୁ ହେଲେ ଯାଜପୁର ଯିବାକୁ ପଡିଥାଏ । ମାତ୍ର ଧାମନଗରରୁ ଯାଜପୁର ଅଧିକ ଦୂର ହେଉଥିବାରୁ ଅଭିଯୋଗ କରିବାକୁ କେହି ଯାଉପାରୁନାହାଁନ୍ତି । ଫଳରେ ଧାମନଗର ଅଧୀନସ୍ଥ ଷେଣ୍ଢପୁର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ବୈତରଣୀ ନଦୀର ବାମପାଶ୍ୱର୍ରେ ନଦୀବନ୍ଧ ମରାମତିରେ ବ୍ୟାପକ ଦୁର୍ନୀତି ହୋଇଚାଲିଛି । ନିକଟରେ ସୋହଡା ପଞ୍ଚାୟତ କଣ୍ଟାପାରିସ୍ଥିତ ମଧୁଆ ମାହାରା ସୁଇସ୍ ଗେଟ୍ ମରାମତି ହୋଇଥିବାବେଳେ ବିନା ସୂଚନା ଫଳକରେ କାମ କରାଯାଇଛି । ପୁରୁଣା ପଥର ସାଙ୍ଗକୁ କିଛି ନୂଆ ଓ ଛୋଟ ଛୋଟ ପଥର ବ୍ୟବହାର କରାଯାଇଛି । ଯାହାକି ସାମାନ୍ୟ ପାଣିରେ ଧୋଇଯିବାର ସମ୍ଭାବନା ରହିଛି । ଏହି ପଥର ସନ୍ଧିରେ ମାଟି ଛିଞ୍ôଚ ପୁରୁଣା ପଥରକୁ ଲୁଚାଇ ଦିଆଯାଇଛି । ଯାହାକି କାର୍ଯ୍ୟର ମାନ ଅତ୍ୟନ୍ତ ନିମ୍ନମାନର ବୋଲି ଜଣାପଡିଛି । ସବୁଠାରୁ ବଡକଥା ହେଲା ଲୋକଙ୍କ ଦୃଷ୍ଟି ଆଢୁଆଳରେ ବିନା ସୂଚନା ଫଳକରେ ଏହି କାମ କରି ଲକ୍ଷାଧିକ ଟଙ୍କା ହଡପ କରାଯାଇଛି । ଏ ଦିଗରେ ଧାମନଗର ଜଳସଂପଦ ବିଭାଗର ଏସ୍‌ଡିଓ ବିଜୟ ସେଠୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେପରି ଅଭିଯୋଗ କିଛି ଆସିନାହିଁ ବୋଲି ସେ ଗଣମାଧ୍ୟମକୁ କହିବା ସହ ତଥାପି ଘଟଣାସ୍ଥଳକୁ ଯାଇ କାର୍ଯ୍ୟର ତଦନ୍ତ କରାଯିବ ବୋଲି କହିଛନ୍ତି । ତେବେ ଏହି ନିମ୍ନମାନର କାର୍ଯ୍ୟ ପ୍ରତି ଜିଲାପାଳ ଦୃଷ୍ଟିଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।