Odiapua.com

ଧାମନଗର-ଚୁଡ଼ାକୁଟି ରାସ୍ତା ରାପିତାଠାରୁ ମଦ ଦୋକାନ ହଟାଇବାକୁ ଦାବି , ପ୍ରତିଶ୍ରୁତି ପାଣିର ଗାର, ବଢୁଛି ଦୁର୍ଘଟଣା

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର-ଚୁଡ଼ାକୁଟି ମୁଖ୍ୟ ରାସ୍ତାର ରାପିତା ଠାରେ ଥିବା ସରକାରୀ ବାର୍ ଓ ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ଅଂଚଳରେ ଜନଅସନ୍ତୋଷ ତେଜିବାରେ ଲାଗିଛି। ଜନବସତି, ମନ୍ଦିର ଏବଂ ଜନଗହଳିପୂର୍ଣ୍ଣ ମୁଖ୍ୟ ରାସ୍ତା କଡ଼ରେ ଥିବା ଏହି ମଦ ଦୋକାନ ଯୋଗୁଁ ପ୍ରତିଦିନ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ତୁରନ୍ତ ଉଠାଇବା ପାଇଁ ବିଭିନ୍ନ ମହଲରୁ ଜୋରଦାର ଦାବି ହେଉଛି।ସୂଚନାଯୋଗ୍ୟ ଯେ, ପ୍ରାୟ ତିନି ବର୍ଷ ପୂର୍ବେ ଯେତେବେଳେ ଏହି ମଦ ଦୋକାନ ଓ ବାର୍ ଏଠାରେ ଖୋଲାଯାଇଥିଲା, ସେତେବେଳେ ସ୍ଥାନୀୟ ଜନସାଧାରଣ ଓ ମହିଳାମାନଙ୍କ ପକ୍ଷରୁ ଏହାକୁ ପ୍ରବଳ ବିରୋଧ କରାଯାଇଥିଲା। ମାତ୍ର ସେହି ସମୟରେ ଅବକାରୀ ଏବଂ ବିଭାଗୀୟ ଅଧିକାରୀମାନେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି କହିଥିଲେ ଯେ, ପରବର୍ତୀ ସମୟରେ ଲାଇସେନ୍ସ ନବୀକରଣ ବେଳେ ଏହି ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ। କିନ୍ତୁ ବର୍ତମାନ ପୁଣି ଥରେ ସରକାରୀ ସ୍ତରରେ ନବୀକରଣ ପ୍ରକ୍ରିୟା ଚାଲିଥିଲେ ହେଁ, ଦୋକାନ ହଟାଇବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଶାସନର ଏଭଳି ଆଭିମୁଖ୍ୟ ପୁରୁଣା ପ୍ରତିଶ୍ରୁତିକୁ ପାଣିର ଗାର ସଦୃଶ ପ୍ରମାଣିତ କରିଛି। ‘ରାପିତା’ରାସ୍ତା କଡ଼ରେ ମଦ ଦୋକାନ ଥିବାରୁ ଅଧିକାଂଶ ସମୟରେ ଚାଳକମାନେ ନିଶାସକ୍ତ ଅବସ୍ଥାରେ ବେପରୁଆ ଭାବେ ଗାଡ଼ି ଚଳାଉଛନ୍ତି। ଫଳରେ ଏହି ସ୍ଥାନରେ ଅନେକ ଛୋଟବଡ଼ ଦୁର୍ଘଟଣା ଘଟି ସାରିଲାଣି। ଏପରିକି ବିଗତ ଦିନରେ ଗାଡ଼ି ଧକ୍କାରେ କେତେକ ନିରୀହ ଯୁବକ ଅକାଳରେ ମୃତ୍ୟୁବରଣ କରିଥିବା ଭଳି ଦୁଃଖଦ ଘଟଣା ମଧ୍ୟ ଘଟିଛି। ଏହା ସତ୍ୱେ ପ୍ରଶାସନ କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି, ତାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ପାଖରେ ମନ୍ଦିର ଏବଂ ଜନବସତି ଥିବାରୁ ମହିଳା, ସ୍କୁଲ କଲେଜ ଛାତ୍ରଛାତ୍ରୀ ଏବଂ ଶ୍ରଦ୍ଧାଳୁମାନେ ଏହି ବାଟ ଦେଇ ଯାତାୟାତ କରିବା ସମୟରେ ସଂକୋଚ ଓ ଅସୁରକ୍ଷିତ ମଣୁଛନ୍ତି। ଯଦି ଚଳିତ ନବୀକରଣ ସମୟରେ ଏହି ମଦ ଦୋକାନକୁ ଜନବସତିଠାରୁ ଦୂରକୁ ସ୍ଥାନାନ୍ତର କରାନଯାଏ, ତେବେ ଆଗାମୀ ଦିନରେ ଅଂଚଳବାସୀ ବାଧ୍ୟ ହୋଇ ବ୍ୟାପକ ଆନ୍ଦୋଳନର ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ପ୍ରକାଶ ଥାଉକି ଏହି ମଦ ଦୋକାନକୁ ଲାଗି ଆଉ ଗୋଟେ ମଦ ଦୋକାନଘର ମଧ୍ୟ ନିର୍ମାଣ ହେଉଚି। ତେବେ ଉକ୍ତ ରାସ୍ତାରେ ବିଭିନ୍ନ ସମୟରେ ଅଘଟଣ ଘଟୁଥିବା ବେଳେ ସେଠାରେ ଏହି ମଦ ଦୋକାନ ହେଲେ ଅନେକ ଲୋକ ବିପଦରେ ପଡ଼ିବେ ବୋଲି ସ୍ଥାନୀୟ ଲୋକ ମାନେ ଅଭିଯୋଗ କରିଛନ୍ତି।