Odiapua.com

ଧାମନଗର ଖାନକା ସରିଫ ପଦବିକୁ ନେଇ ବିବାଦ,ଉଭୟ ପକ୍ଷରୁ ୧୨୦ ଜଣଙ୍କ ନାମରେ ମାମଲା

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଠାରେ ଥିବ ବିଶ୍ୱ ପ୍ରସିଦ୍ଧ ପିର ବାବା ହଜୁର ମୂଜାହିଦ ଇ ମିଲତ ଙ୍କ ଆସ୍ତାନସ୍ଥଳଧାମନଗର ଖାନକା ସରିଫ ଠାରେ ବିବାଦ ଉପୁଜିଛି ଯାହାକୁ ନେଇ ଧାମନଗର ଥାନା ରେ ୪ ଟି ମାମଲା ରୁଜୁ ହୋଇ ଥିବା ସୂଚନା ମିଳିଛି। ସେଠାରେ ଥିବା ପରିଚାଳନା କମିଟି କୁ ନେଇ କିଛି ବିବାଦ ସୃଷ୍ଟି ହୋଇଛି। କମିଟି ପରିଚାଳନା ଓ ୱାକଫ୍ ବୋର୍ଡର ନିଯୁକ୍ତିକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ଏବେ ଉଗ୍ର ରୂପ ନେଇଛି। ମସଜିଦ ପରିସରରେ ସଂଘବଦ୍ଧ ଆକ୍ରମଣ , ଅଫିସ ଡ୍ରୟରରୁ ୫୦ ହଜାର ଟଙ୍କା ଗାୟବ ହୋଇଥିବା ଅଭିଯୋଗକୁ ନେଇ ଧାମନଗର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି।ପ୍ରଥମ ମାମଲା କେସ ନମ୍ବର ୩୨୫/୨୦୨୬ରେ ୨୧ ଜଣ ନାମିତ ଓ ୫୦ ଜଣ ଅଜ୍ଞାତଙ୍କ ସମେତ ମୋଟ ୭୧ ଜଣଙ୍କ ବିରୋଧରେ ଏତଲା ହୋଇଛି। ଅନ୍ୟ ମାମଲା କେସ ନମ୍ବର ୩୨୬/୨୦୨୬ରେ ୪ ଜଣଙ୍କୁ ନାମିତ କରାଯାଇଛି। ଦୁଇ ମାମଲାକୁ ମିଶାଇ ୨୫ ଜଣ ନାମିତ ଓ ୫୦ ଜଣ ଅଜ୍ଞାତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଏତଲା ଅନୁଯାୟୀ, ସୟଦ ମହମ୍ମଦ ହବିବ ଦୀର୍ଘଦିନ ଧରି ଖାନକାହା ମସଜିଦର ମତୱଲି ଭାବେ କାର୍ଯ୍ୟ କରିଆସୁଥିଲେ। ୱାକଫ୍ ବୋର୍ଡରେ ହୋଇଥିବା ଅଭିଯୋଗ ପରେ ମଧ୍ୟ ଅଗଷ୍ଟ ୪ ତାରିଖରେ ଓଡ଼ିଶା ୱାକଫ୍ ବୋର୍ଡ ପକ୍ଷରୁ ତାଙ୍କୁ ପୁନର୍ବାର ମତୱଲି ଭାବେ ନିଯୁକ୍ତ କରାଯାଇଥିବା ଏତଲାରେ ଦର୍ଶାଯାଇଛି।ଅଗଷ୍ଟ ୬ ତାରିଖ ଦିନ ହବିବ ନିଜ ସମର୍ଥକଙ୍କ ସହ ଅଫିସ ପରିସରକୁ ଯାଇଥିବା ବେଳେ ଏକ ଗୋଷ୍ଠୀ ସେମାନଙ୍କୁ ଘେରି ଠେଙ୍ଗା, ଭୁଜାଲି, ଲୁହା ରଡ୍ ଓ ଦାଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ୪ରୁ ୫ ଜଣ ଆହତ ହୋଇଥିବା ଏବଂ ଜୀବନରୁ ମାରିଦେବାକୁ ଧମକ ମିଳିଥିବା ଏତଲାରେ ଉଲ୍ଲେଖ ରହିଛି। ଏହି ମାମଲାରେ ବିଏନଏସ ୧୨୬(୨), ୨୯୬, ୧୧୫(୨), ୧୦୯, ୩୫୧(୨) ଓ ୩(୫) ଧାରା ଲାଗିଛି।ଅନ୍ୟପକ୍ଷରେ, ଦାରୁଲ ଉଲୁମ ମୁଜାନ୍ଦର ପିଅନ ମହମ୍ମଦ ଗୋଲାମ ରବାନୀଙ୍କ ଅଭିଯୋଗକୁ ନେଇ ରୁଜୁ ହୋଇଥିବା ଦ୍ୱିତୀୟ ମାମଲାରେ ଅଫିସ ଡ୍ରୟରରୁ ୫୦ ହଜାର ଟଙ୍କା ଗାୟବ ହୋଇଥିବା ଅଭିଯୋଗ ରହିଛି। ରବାନୀ ଅସୁସ୍ଥତା କାରଣରୁ ଚିକିତ୍ସିତ ହୋଇ ଫେରିବା ପରେ ଅଫିସରେ ଯୋଗଦେଇ ଡ୍ରୟର ଖୋଲିବା ବେଳେ ଟଙ୍କା ନଥିବା ଜାଣିଥିବା ଏତଲାରେ କହିଛନ୍ତି। ଏହି ମାମଲାରେ ୪ ଜଣଙ୍କୁ ନାମିତ କରାଯାଇ ବିଏନଏସ ୩୦୩(୨) ଓ ୩(୫) ଧାରାରେ ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣା ଥମୀ ନଥିବା ବେଳେ ୧୨ ତାରିଖ ସନ୍ଧ୍ୟା ରେ ପୁଣି ଦୁଇ ଗୋଷ୍ଠି ମଧ୍ୟ ରେ ବିବାଦ ସୃଷ୍ଟି ହୋଇଛି। ମତୱଲି ଖାନକା ଅଫିସ କୁ ଯିବା ବେଳେ ଦୁଇ ଗୋଷ୍ଠି ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ଥିଲେ । ଏ ନେଇ ମତୱଲି ଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନମ୍ବର ୩୩୮/୨୬ ରେ ମାମଲା ରୁଜୁ କରିଥିବା ବେଳେ ମହମ୍ମଦ ଅ୍ୱଦୁଲ ମନାନ ଙ୍କ ଅଭିଯୋଗ କ୍ରମେ କେସ ନମ୍ବର ୩୩୯/୨୬ ରେ ଅନ୍ୟ ଏକ ମାମଲା ରୁଜୁ କରାଯାଇଛି।ତେବେ ଧାମନଗର ପୋଲିସ ଏହି ଘଟଣା କୁ ନେଇ ୪ ଗୋଟି କେସ କରି ଘଟଣା ର ତଦନ୍ତ କରୁଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ଥାନା ଅଧିକାରୀ ଶୁଭ୍ରଜିତ ଦାସ କହିଛନ୍ତି।ତେବେ ଉକ୍ତ ପୀଠ ବିଶ୍ୱ ପ୍ରସିଦ୍ଧ ହୋଇ ଥିବାବେଳେ ପ୍ରତିବର୍ଷ ଉର୍ସ ଉତ୍ସବ ରେ ଭାରତ ତଥା ଭାରତ ବାହାରୁ ମଧ୍ୟ ଭକ୍ତ ମାନେ ଆସି ଥାଆନ୍ତି ।ତେବେ ଏପରି ଶାନ୍ତିପ୍ରିୟ ସ୍ଥାନରେ ଅଶାନ୍ତି ସୃଷ୍ଟି ନକରିବାକୁ ଧାମନଗର ଥାନା ଅଧିକାରୀ ଶ୍ରୀ ଦାସ ନିବେଦନ କରିଛନ୍ତି।