ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର କୋର୍ଟ ଓ ତହସିଲ ପାଇଁ ନୂତନ ସରକାରୀ ଓକିଲଙ୍କ ନାମ ଘୋଷଣା ହୋଇଯାଇଛି। ରାଜ୍ୟରେ ନୂତନ ସରକାର ଆସିବା ପରେ ପ୍ରଶାସନିକ ଓ ନ୍ୟାୟିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି କ୍ରମରେ ଦୀର୍ଘ ଦିନରୁ ଦାୟିତ୍ୱ ତୁଲାଉଥିବା ପୁରୁଣା ସରକାରୀ ଓକିଲ ଙ୍କୁ ବାଦ୍ ଦେଇ ସରକାର ସମ୍ପୂର୍ଣ୍ଣ ନୂତନ ଭାବେ ବିଶେଷ କରି ଯୁବ ପିଢ଼ିର ଆଇନଜୀବୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି। ସରକାରଙ୍କ ଘୋଷଣା ଅନୁଯାୟୀ, ଧାମନଗର ଗ୍ରାମ ନ୍ୟାୟାଳୟ ପାଇଁ ଅଜିତି ଦାସ ଓ ସୂଦର୍ଶନ ସାମଲଙ୍କୁ ନିଯୁକ୍ତି ମିଳିଛି। ଜମିଜମା ସମ୍ପର୍କିତ ମାମଲା ପରିଚାଳନା ପାଇଁ ନିରାକାର ଯେନା ଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ଫୌଜଦାରୀ ମାମଲା ପାଇଁ ଅମର ମହାନ୍ତି ଓ ରଞ୍ଜିତ ମହାନ୍ତିଙ୍କୁ ସରକାରୀ ଓକିଲ ଭାବେ ଚୟନ କରାଯାଇଛି। ସେହିପରି ଧାମନଗର ତହସିଲ ପାଇଁ ସ୍ମୃତି ରଞ୍ଜନ ପଣ୍ଡା ଓ ବିଜୟ ରାମ ଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି।ସେହି ପରି ଧାମନଗର ଅଂଚଳ ରୁ ଭଦ୍ରକ କୋର୍ଟରେ ମଧ୍ୟ ଧାମନଗର ଅଂଚଳର ଦୀପ୍ତି ରଞ୍ଜନ ଜେନା, ଗଣେଶ ଦାସ, ସୁବୋଧ ସାହୁ ଓ ଦେବକୀ ନନ୍ଦନ ମହାପାତ୍ରଙ୍କୁ ବିଭିନ୍ନ ମାମଲା ପରିଚାଳନା ପାଇଁ ନିଯୁକ୍ତ କରାଯାଇଛି।ସୂଚନା ଯୋଗ୍ୟ ଯେ, ୨୦୧୪ ମସିହାରେ ଧାମନଗରରେ କୋର୍ଟ ଖୋଲିବା ପରଠାରୁ ଅମରେନ୍ଦ୍ର ମହାନ୍ତି ସରକାରୀ ଓକିଲ ଭାବେ କାର୍ଯ୍ୟ କରିଆସୁଥିଲେ। ୨୦୨୪ରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ପରେ ମଧ୍ୟ ତାଙ୍କ ଉପରେ ଭରସା କରାଯାଇଥିଲା। ମାତ୍ର ୨୦୨୫ ଡିସେମ୍ବର ୩୦ରେ ହୋଇଥିବା ଏହି ନୂତନ ଘୋଷଣାରେ ପରିବର୍ତନର ଝଲକ ଦେଖିବାକୁ ମିଳିଛି। ଅନେକ ଦଳୀୟ ଆଶାୟୀ ଏହି ପଦବୀ ପାଇଁ ଦୌଡ଼ରେ ଥିଲେ ମଧ୍ୟ ସରକାର ଯୁବ ଓ ଦକ୍ଷ ଆଇନଜୀବୀଙ୍କୁ ପ୍ରାଧାନ୍ୟ ଦେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତଘଟାଇଛନ୍ତି।