Odiapua.com

ଧାମନଗର ଏନଏସି ସମ୍ମୁଖରେ ୱାର୍ଡ କୋଅଡିନେଟରଙ୍କ ଧାରଣା, ୨୯ ରେ ବିଧାନସଭା ଘେରାଉ

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହରାଂଚଳର ନାଗରିକମାନଙ୍କୁ ବିଭିନ୍ନ ସରକାରୀ ସେବା ସହାୟତା ଯୋଗାଇଦେବା ପାଇଁ ୨୦୨୨ ମସିହାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଶନ ଶକ୍ତି ଗ୍ରୁପ୍ ଜରିଆରେ ୱାର୍ଡ ଅଫିସ୍ ଗଠନ କରିବା ସହ ତାର ପରିଚାଳନା ପାଇଁ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦର କମିଶନର ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନୁଯାୟୀ ସହରାଂଚଳର ବିଭିନ୍ନ ୱାର୍ଡରେ କାର୍ଯ୍ୟରତ ମିଶନ ଶକ୍ତି ଗ୍ରୁପ୍ ବା ଏସ୍‌ଏଚ୍‌ଜିମାନେ ୱାର୍ଡ ଅଫିସ୍ ପାଇଁ ଜଣେ ଲେଖାଏଁ ୱାର୍ଡ କୋଅଡିନେଟରଙ୍କୁ ଶିକ୍ଷାଗତ ଯୋଗ୍ୟତା ଆଧାରରେ ସାକ୍ଷାତ୍‌କାର କରି ଚୟନ କରିଥିଲେ । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରକ୍ରିୟାରେ ହିଁ ୱାର୍ଡ କୋଅଡିନେଟରମାନଙ୍କୁ ବିଧିବଦ୍ଧ ଭାବେ ଚୟନ କରାଯାଇଥିଲା । ଦରମା ବାବଦରେ ବି ସଂପୃକ୍ତ ଏସଏଚ୍‌ଜିମାନଙ୍କୁ ମାସିକ ୧୨ ହଜାର ଟଙ୍କା ଦିଆଯିବ । ଏବଂ ସେମାନେ ସର୍ଭିସ୍ ଫି ବାବଦରେ ନିଜ ପାଖରେ ୨ ହଜାର ଟଙ୍କା ରଖି ବଳକା ୧୦ ହଜାର ଟଙ୍କା ସଂପୃକ୍ତ ୱାର୍ଡ କୋଅଡିନେଟରଙ୍କୁ ଦେବେ ବୋଲି ନିଷ୍ପତି ହୋଇଥିଲା । ତେବେ ଏମାନଙ୍କୁ ଦୀର୍ଘ ପ୍ରାୟ ୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚୟନ କରିବା ପରେବି ସେମାନେ ଅନିଶ୍ଚିତତା ଦେଇ ଗତି କରୁଛନ୍ତି । ସେମାନଙ୍କୁ ବିଭିନ୍ନ ସରକାରୀ କାମରେ ଅନପୌଚାରିକ ଭାବେ ଲଗାଯାଉଛି । ଟିକସ ଆଦାୟ ଠାରୁ ଆରମ୍ଭ କରି ନୂତନ ଭୋଟର ପରିଚୟ ପତ୍ର, ରାସନ କାର୍ଡ ପ୍ରସ୍ତୁତି, ଟ୍ରେଡ୍ ଲାଇସେନ୍ସ, ମାସିକ ଭତା ବଂଟନ, ନୂତନ ଏସଏଚ୍‌ଜି ଗଠନ, ପରିମଳ ଅନୁଧ୍ୟାନ, ଷ୍ଟ୍ରିଟ୍ ଲାଇଟ୍ ଅନୁଧ୍ୟାନ, ଗ୍ରେ ୱାଟର ନୋଟିସ୍ ବଂଟନ, ପିଏଚ୍‌ଡି ପାଣି ସଂକ୍ରାନ୍ତୀୟ ତଥ୍ୟ ପ୍ରଦାନ, ଆଇଏସ୍‌ଏଲ୍ ସର୍ଭେ ଭଳି ବିଭିନ୍ନ ପ୍ରକାର ସରକାରୀ ସେବାରେ ନିୟୋଜିତ କରାଯାଉଥିଲେ ମଧ୍ୟ ସେମାନଙ୍କୁ ପ୍ରତି ମାସରେ ନିର୍ଦ୍ଧାରିତ ଦରମା ବା ପାରିଶ୍ରମିକ ବାବଦରେ ଟଙ୍କାଟିଏ ବି ଦିଆଯାଉନାହିଁ । ଏହି ପରିପ୍ରେକ୍ଷୀରେ ସେମାନେ ନ୍ୟାୟ ସଂଗତ ଦାବିକୁ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ବିଧାନସଭାର ଆଗାମୀ ଅଧିବେଶନ ସମୟରେ ଅର୍ଥାତ୍ ଆସନ୍ତା ୨୯ ତାରିଖ ଦିନ ବିଧାନସଭା ଚାଲ ଅଭିଯାନ ଡାକରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ନିଷ୍ପତି ନେଇଛନ୍ତି । ଏ ନେଇ ୟୁନିୟନ୍ ପକ୍ଷରୁ ସମଗ୍ର ରାଜ୍ୟର ସହରାଂଚଳରେ ଥିବା ଏନଏସି, ପୌରପାଳିକା ଓ ମହାନଗର ନିଗମ ସମ୍ମୁଖରେ ନିଜ ଦାବି ସପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରି ନିର୍ବାହୀ ଅଧିକାରୀ ବା କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦାବିପତ୍ର ପ୍ରଦାନ ପୂର୍ବକ ତାହା ହାସଲ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ । ଏଥିନେଇ ଆଜି ଧାମନଗର ଏନଏସିର ବିଭିନ୍ନ ୱାର୍ଡର କୋଅଡିନେଟରମାନେ ସ୍ଥାନୀୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ଭଦ୍ରକ ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।