Odiapua.com

ଧାମନଗର ଏନଏସି କାର୍ଯ୍ୟାଳୟରେ ମହାଦୁର୍ନୀତି, ଅସହାୟ ନିର୍ବାହୀ ଅଧିକାରୀ, ସଫେଇ କର୍ମଚାରୀ ଅଧ୍ୟକ୍ଷାଙ୍କ ଡ୍ରାଇଭର ହୋଇ ଲକ୍ଷାଧିକ ଟଙ୍କା ନେଇଗଲେ, ଦରମା ବନ୍ଦ କଲେ ଅଧିକାରୀ

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟରେ ଦିନକୁ ଦିନ ଦୁର୍ନୀତି ସୀମା ଟପିଗଲାଣି । ପ୍ରକାଶ ଥାଉକି ଏଠାରେ ନୂଆକରି ପରିଷଦ ଗଠନ ପରେ କୋଟି କୋଟି ଟଙ୍କା ସରକାରୀ ଅର୍ଥ ଆସୁଥିବାବେଳେ ତାହା ବାଟମାରଣା ହେଉଛି । ପରିଷଦର ବିଭିନ୍ନ ୱାର୍ଡରେ ସଫେଇ କର୍ମଚାରୀ ଓ ୱାର୍ଡର କୋଡିନେଟର ନିଯୁକ୍ତିରେ ଦୁର୍ନୀତି ପଦାକୁ ଆସିଛି । ଏପରିକି ଜଣେ ସୁଇପର ତା କାମ ନକରି ପରିଷଦର ଅଧ୍ୟକ୍ଷାଙ୍କ ବ୍ୟକ୍ତିଗତ ଗାଡି ଡ୍ରାଇଭର ରହି କାର୍ଯ୍ୟାଳୟ ଗୋଟେ ବର୍ଷରେ ଲକ୍ଷାଧିକ ଟଙ୍କା ନେଇଥିବା ଅଭିଯୋଗ ପରେ ନୂଆକରି ଆସିଥିବା ଧାମନଗର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ଏ ବିଷୟରେ ଜିଲାପାଳ ଓ ପିଡିଙ୍କୁ ଅବଗତ କଲା ପରେ ଘଟଣା ଏବେ ଭିନ୍ନ ମୋଡ ନେଇଛି । ଏପରିକି ଏ ଦୁର୍ନୀତିକୁ ଧରିବା ପରେ ଅଧିକାରୀ ଶ୍ରୀ ନାୟକଙ୍କୁ ଧମକ ଦିଆଯାଇଛି ବୋଲି ନମାନିଲେ ବଦଳି କରାଯିବ । ତେବେ ଏପରି ଦୁର୍ନୀତି ଦେଖି ଏବେ ଅସହାୟ ହୋଇପଡିଛନ୍ତି ଅଧିକାରୀ । ଦିନକୁ ଦିନ ଏପରି ଦୁର୍ନୀତି ବଢିଚାଲିଛି । ପ୍ରକାଶ ଥାଉକି ପରିଷଦର ବିଭିନ୍ନ ୱାର୍ଡର ସଫେଇ କର୍ମଚାରୀ ଭାବେ ୫୭ ଜଣ ନିଯୁକ୍ତ ଦିଆଯାଇଛି । ସେଥିମଧ୍ୟରୁ ୪୦ ଜଣ କାର୍ଯ୍ୟରତ ଥିବାବେଳେ ୧୭ ଜଣ କୌଣସି ଦିନ ସଫେି କାର୍ଯ୍ୟ କରୁନାହାଁନ୍ତି ବୋଲି ଅଭିଯୋଗ ହୋଇଛି । ଏମାନେ ସରକାରୀ ଅର୍ଥ ଅତି ଚତୁର ସହ ଟଙ୍କା ହଡପ କରିଚାଲିଛନ୍ତି ବୋଲି ସୂଚନା ମିଳିଛି ।

ସେହିପରି ଟ୍ରାକ୍ଟର ଗୋଟିଏ ଏବଂ ଟାଟା ଅଟୋ ଗୋଟିଏ ଥିବା ବେଳେ ୨ଟା ଗାଡିରେ ଅଳିଆ ଆବର୍ଜନା ଦିନକୁ ୨ କିମ୍ବା ୩ ଟ୍ରିପ୍ କରି ୬ ଟ୍ରିପ୍ ହେଉଥିବା ସୂଚନା ମିଳିଥିବାବେଳେ କିନ୍ତୁ ଦିନକୁ ୧୪ ଟ୍ରିପ୍ ଟଙ୍କା ଉଠାଣ କରାଯାଉଛି ବୋଲି ସୂଚନା ମିଳୁଛି । ଦୁର୍ନୀତି ଏତିକିରେ ସରିନାହିଁ । ଜଣେ ଡ୍ରାଇଭର ସଫେଇ କର୍ମଚାରୀ ଭାବେ ନିଯୁକ୍ତ ହୋଇ କିନ୍ତୁ ନିଜ ସଫେଇ କାର୍ଯ୍ୟ କେବେବି କରୁନାହାଁନ୍ତି । ଅଧ୍ୟକ୍ଷାଙ୍କ ବ୍ୟକ୍ତିଗତ ଗାଡି ଚଳାଚଳ ଭାବେ କାର୍ଯ୍ୟ କରି ସରକାରୀ ଅର୍ଥ ମାସିକିଆ ହଡପ ନେଇଚାଲିଛନ୍ତି । ସେହିପରି ଧାମନଗରରେ ଥିବା ଆହାର କେନ୍ଦ୍ର ପାଇର୍ ସାମଗ୍ରୀ କିଣିବାରେ ସରକାରୀ ନିମୟକୁ ଉଲ୍ଲଂଘନ କରି ନିମ୍ନମାନର ଜିନିଷ କିଣାଯାଇଛି ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି । ତେବେ ଧାମନଗର ଏନଏସି କାର୍ଯ୍ୟାଳୟ ଠାରେ ମହାଦୁର୍ନୀତି ଅଭିଯୋଗର ନିରପେକ୍ଷତା ତଦନ୍ତ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳଙ୍କ ନିକଟରେ କେତେକ କାଉନସିଲର ଦାବି କରିଛନ୍ତି । ତେବେ ଘଟଣା ପ୍ରକାଶ ପରେ ସଫେଇ କର୍ମଚାରୀ ତଥା ଡ୍ରାଇଭରର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏପରି ଘଟଣାରେ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଯଥା ହସ୍ତକ୍ଷେପ କରୁଥିବା ଅଧିକାରୀ ସନ୍ତୋଷ ନାୟକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏ ସଂପର୍କରେ ଜିଲାପାଳଙ୍କ ସହ ଆଲୋଚନା କରିବି ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ଅପରପକ୍ଷରେ ଏନଏସିର କୌଣସି ଦୁର୍ନୀତି ହୋଇନାହିଁ, କେତେକ ବ୍ୟକ୍ତି ବଦନାମ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି ବୋଲି ଅଧ୍ୟକ୍ଷା ନିବେଦିତା ଜେନା ପ୍ରକାଶ କରିଛନ୍ତି । ତେବେ ଏପରି ବିବାଦ ପ୍ରତି ଜିଲାପାଳ ହସ୍ତକ୍ଷେପ ନକଲେ ଆଗାମୀ ଦିନରେ ଏକ ବଡଧରଣର ଉତ୍ତେଜନା ସୃଷ୍ଟି ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।