Odiapua.com

ଧାମନଗର ଏନଏସିର ସୀମା ବୃଦ୍ଧି ଓ ପୌରପରିଷଦ ଗଠନ ପାଇଁ ପ୍ରସ୍ତୁତି, ଧାମନଗରର ରୂପରେଖ ବଦଳିବା ପାଇଁ ପ୍ରଶାସନର ପ୍ରସ୍ତୁତି

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ପଂଚାୟତ କୁ ଭାଙ୍ଗି ଦିଆଯାଇ ଏନଏସି ଗଠନ ହୋଇ ଥିଲା ଏବେ ଧାମନଗର ର ଆକାର ବୃଦ୍ଧି ପାଇବ। ଏହାର ସୀମା ବଢ଼ିବା ସହ ପୌରପରିଷଦ ରେ ରୂପାନ୍ତରିତ ହେବାକୁ ଯୋଜନା ଆରମ୍ଭ ହୋଇଛି । ଏଥିଲାଗି ପ୍ରାଥମିକ ସର୍ବେକ୍ଷଣ ସରିଛି। ସୁଚନା ଥାଉକି ଧାମନଗର ଏନଏସି ରେ ପୂର୍ବରୁ ଧାମନଗର ତହସିଲର ୫ ଟି ମୌଜା ସାମିଲ ହୋଇଥିଲା। ଏବେ ଆଉ ୧୮ ଟି ରାଜସ୍ୱ ମୌଜା କୁ ଅନ୍ତର୍ଭୁକ୍ତ କରାଯିବ। ବର୍ତମାନର ଏନ୍‌ଏସି ରେ ୨୦୧୧ ଜନଗଣନା ଅନୁସାରେ ଲୋକସଂଖ୍ୟା ୨୨ ହଜାର ୯୨୦ ରହିଛି। ନୂଆ ରାଜସ୍ୱ ମୌଜା ଯୋଡ଼ି ହୋଇଗଲେ ଜନସଂଖ୍ୟା ୩୫ ହଜାର ୭୬୦ ହେବ। ଓଡ଼ିଶା ପୌର ପରିଷଦ ଆଇନ-୧୯୫୦ ଅନୁସାରେ ପୌର ପରିଷଦ ମାନ୍ୟତା ପାଇଁ ସେହି ଅଂଚଳରେ ଜନସଂଖ୍ୟା ୨୫ ହଜାରରୁ ଅଧିକ ରହିବା ବିଧେୟ। ଏଣୁ ନୂଆ ୧୮ ଟି ମୌଜା କୁ ମିଶାଇ ଦେଲେ ଧାମନଗର ଏନଏ ସି ପୌରପରିଷଦର ମାନ୍ୟତା ପାଇଯିବ। ପୂର୍ବରୁ ଧାମନଗର ଓ ଜୟନଗର ପଂଚାୟତ ସହ ରାଧାବଲ୍ଲଭପୁର ପଂଚାୟତ ର ତାଳପଦା ରାଜସ୍ୱ ଗ୍ରାମକୁ ନେଇ ଏନ ଏ ସି ଗଠିତ ହୋଇଥିଲା। ଏବେ ଭଗବାନପୁର ପଂଚାୟତ ର ପଳିକିରି ଓ ଅନହରପୁର,ଭଗବାନପୁର, କଲ୍ୟାଣୀ ପଂଚାୟତର ବନସର, ମୁସ୍ତଫାପୁର ପଂଚାୟତର ଗଉଡ଼ବିଶି ନୂଆପଡ଼ା, ଦୋବଲ ପଂଚାୟତ ର ଇଟୁଆ , ରାଧାବଲ୍ଲଭପୁର ପଂଚାୟତର ରାଧାବଲ୍ଲଭପୁର, ବନ୍ଧଟିଆ, ମିରିଜାପୁର ଓ ଅବଶିଷ୍ଟ ତାଳପଦା ଗାଁକୁ ସାମିଲ କରାଯାଇଛି। ଏହାସହ ଚକସପୁର, ଦାମୋଦରପୁର, ହାଜିପୁର, ଜୟକୃଷ୍ଣପୁର, କୃଷ୍ଣଦାସପୁର, ମଉଜଖଣ୍ଡି, ପରମାନନ୍ଦପୁର, ଶାହାବାଜପୁର ଗାଁକୁ ସାମିଲ କରାଯିବାକୁ ଯୋଜନା ହୋଇଛି। ଏନ ଏ ସି ର କଳେବର ବୃଦ୍ଧି ଲାଗି ୨୦୨୩ ଜାନୁଆରି ୬ ତାରିଖରେ ସର୍ବେକ୍ଷଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏହାପରେ ଆରବୀ ଆସୋସିଏଟସ ପକ୍ଷରୁ ଜିଆଇଏସ /ଜିଆରଏସ ସର୍ଭେ କରାଯାଇଥିଲା। ସର୍ଭେ ପରେ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବୁଧବାର ଏନେଇ ଧାମନଗର ଏନ ଏ ସି କାଉନୁସିଲର, ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, କାର୍ଯ୍ୟନିର୍ବାହୀ ଅଧିକାରୀ, ଧାମନଗର ତହସିଲଦାର, ବିଡିଓ, ବିଇଓ, କୃଷି ଅଧିକାରୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, ଭଦ୍ରକ ସାଂସଦଙ୍କ ପ୍ରତିନିଧି ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଏନ ଏ ସି ପ୍ରତିନିଧିଙ୍କ ସହ ବୈଠକ ହୋଇଥିଲା। ଏଥିରେ ଭଦ୍ରକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଜନ ପ୍ରତିନିଧିଙ୍କ ମତାମତ ଆହ୍ୱାନ କରିଛନ୍ତି। ଫେବ୍ରୁଆରି ୧୫ ସୁଦ୍ଧା ମତାମତ ଦେବାକୁ କୁହାଯାଇଛି। ତେବେ ଧାମନଗର ଏନ ଏ ସି କଳେବର ବୃଦ୍ଧିକୁ ରାଧାବଲ୍ଲଭପୁର, ଭଗବାନପୁର ଓ ମୁସ୍ତଫାପୁର ର ଜନ ପ୍ରତିନିଧି ବିରୋଧ କରିଛନ୍ତି। ଭଗବାନପୁର ପଂଚାୟତ ରୁ ତିନି ପ୍ରମୁଖ ରାଜସ୍ୱ ଗାଁ ଅନହରପୁର, ପଳିକିରି ଓ ଭଗବାନପୁର ଏନ ଏ ସି ରେ ସାମିଲ ହେଲେ ଏହାର ସ୍ୱତନ୍ତ୍ରତା ନଷ୍ଟ ହୋଇଯିବ। ଗାଁ ଲୋକେ ଅଯଥା ଟ୍ୟାକ୍ସ ବୋଝ ସହିବେ ବୋଲି ଭଗବାନପୁର ପଂଚାୟତ ର ସମିତି ସଭ୍ୟ ସୁଦୀପ୍ତ ଖଟୁଆ କହିଛନ୍ତି। ସେହିପରି ଏନ ଏ ସି ମୁସ୍ତଫାପୁରର ଗଉଡ଼ବିଶି ନୂଆପଡ଼ା ରାଜସ୍ୱ ଗ୍ରାମକୁ ସାମିଲ କରାଗଲେ ତୀବ୍ର ବିରୋଧ କରାଯିବ ବୋଲି ସ୍ଥାନୀୟ ସମିତି ସଭ୍ୟ ତଥା ଧାମନଗର ବ୍ଲକ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ, ମୁସ୍ତଫାପୁର ପଂଚାୟତର ଗଉଡ଼ବିଶି ନୂଆପଡ଼ା ମୌଜାରେ ୫ ଟି ୱାର୍ଡ ରହିଛି। ତାହା ଏନ ଏ ସି ରେ ମିଶିଲେ ମୁସ୍ତଫାପୁରର ପଂଚାୟତ ବିଲୋପ ହେବ ବୋଲି ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ସେହିପରି ରାଧାବଲ୍ଲଭପୁର ପଂଚାୟତ ରୁ ପ୍ରଥମ ଦଫାରେ ତାଳପଦା କୁ ନିଆଯାଇଥିଲା। ଏବେ ଅବଶିଷ୍ଟ ତାଳପଦା, ରାଧାବଲ୍ଲଭପୁର, ବନ୍ଧଟିଆ ଓ ମିରିଜାପୁର କୁ ନିଆ ଯିବା ପାଇଁ ପ୍ରସ୍ତାବ ରହିଛି। ଫଳରେ ପଂଚାୟତ ବିଲୋପ ହୋଇଯିବ। ହେଲେ ଏହି ପଂଚାୟତର ୨ ଟି ୱାର୍ଡ ରହିଥିବା ଷୋଳଗାଁ ର ଭାଗ୍ୟ କଣ ହେବ। ଏହି ଗାଁର ଗୋଟିଏ ୱାର୍ଡ ବୟାଙ୍ଗଡିହି ପଂଚାୟତରେ ଥିବାବେଳେ ୨ ଟି ୱାର୍ଡ ରାଧାବଲ୍ଲଭପୁର ରେ ଥିଲା। ଏଣୁ ଏ ଦୁଇଟି ୱାର୍ଡ ଏବେ କୁଆଡ଼େ ଯିବ ବୋଲି ରାଧାବଲ୍ଲଭପୁର ପଂଚାୟତ ର ସମିତିସଭ୍ୟ ସୂର୍ଯ୍ୟକାନ୍ତ ନାୟକ ପ୍ରଶ୍ନ କରିଛନ୍ତି। ତେବେ ଧାମନଗର ଏନ ଏ ସି ରୁ ପୌରପରିଷଦ ହେଲେ ଅନେକ ଉନ୍ନତିମୂଳକ କାର୍ଯ୍ୟ ସହ ରୁପ ରେଖ ବଦଳି ଯିବ ବୋଲି ସମାଜ ସେବୀ କୈଳାସ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି। ଅପର ପକ୍ଷ ରେ ଜନସାଧାରଣ ଓ ଲୋକ ପ୍ରତିନିଧି ଙ୍କ ମତାମତ ଲୋଡା ଯାଇ କାର୍ଯ୍ୟକ୍ରମ ଆଗକୁ ବଡାଯିବ ବୋଲି ଧାମନଗର ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ ପ୍ରକାଶ କରିଛନ୍ତି।