Odiapua.com

ଧାମନଗର ଉପନିର୍ବାଚନ – ୨୧୮ ବୁଥ୍‌କୁ ଗଲେ ପୋଲିଂ ଦଳ, ୧୨୬ ବୁଥ୍‌ରେ ୱେବ କାଷ୍ଠିଂ ବ୍ୟବସ୍ଥା, ୩୦ ସେକ୍ଟର ଅଫିସର, ୧୧ ଜୋନାଲ ମାଜିଷ୍ଟ୍ରେଟ୍, ୧୧୦ ବୁଥ ଉତ୍ତେଜନା ପ୍ରବଣ

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଉପନିର୍ବାଚନରେ ନଭେମ୍ବର ୩ ତାରିଖରେ ମତଦାନ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଅନୁଯାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆଜି ୨୫୨ ବୁଥ୍ ରୁ ୨୧୮ ବୁଥ୍‌କୁ ପୋଲିଂ ଦଳମାନଙ୍କୁ ପ୍ରେରଣ କରାଯାଇଛି। ଅବଶିଷ୍ଟ ବୁଥ୍‌କୁ ଆସନ୍ତାକାଲି ପୋଲିଂ ଦଳ ପ୍ରେରଣ କରାଯିବ। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଡ଼ିସ୍‌ବରସାଲ ସେଣ୍ଟରରୁ ଇ.ଭି.ଏମ୍‌. ଓ ଅନ୍ୟ ସରଞ୍ଜାମ ସହ ପୋଲିଂ ଦଳମାନେ ଶୃଙ୍ଖଳାର ସହିତ ବୁଥ୍ ଅଭିମୁଖେ ଗମନ କରିଛନ୍ତି। ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ନିର୍ବାଚନ ଅଧିକାରୀ ଡ଼. ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ଆନୁସଙ୍ଗିକ ସମସ୍ତ କାର୍ଯ୍ୟ ଶୃଙ୍ଖଳାର ସହିତ ସମ୍ପାଦନ ପାଇଁ ତଦାରଖ କରିଥିଲେ। ଗଣମାଧ୍ୟମ ସାକ୍ଷାତକାରରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ ମତଦାନ ଗ୍ରହଣ ପାଇଁ ଥିବା ସମୁଦାୟ ୨୫୨ ବୁଥ୍ ପାଇଁ ୩୦ଜଣ ସେକ୍ଟର ଅଫିସର ଓ ୧୧ ଜଣ ଜୋନାଲ ମାଜିଷ୍ଟ୍ରେଟ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।

୧୨୬ ବୁଥ୍‌ରେ ୱେବ୍‌କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ୧୧୦ଟି ବୁଥ୍ ଉତ୍ତେଜନା ପ୍ରବଣ ଅଛି। ଏସ୍‌.ପି., ଭଦ୍ରକ, ଚରଣସିଂ ମୀନା ମଧ୍ୟ ଗଣମାଧ୍ୟମକୁ ସାକ୍ଷାତକାର ପ୍ରଦାନ ଅବସରରେ ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ କାରଯିବାକୁ ଥିବା ପୋଲିସ୍ ମୂତୟନ ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ଦେଇଥିଲେ। ପୋଲିଂ ଦଳ ସହିତ ୩୩୯ ଜଣ ପୋଲିସଙ୍କୁ ଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସମୁଦାୟ ନିର୍ବାଚନ ମଣ୍ଡଳୀକୁ ୭ଟି ପୋଲିସ୍ ସେକ୍ଟର ଓ ୩ଟି ଜୋନ୍‌ରେ ଭାଗ କରାଯାଇଛି। ୨୪ଟି ମୋବାଇଲ ପାର୍ଟି କରାଯାଇଛି। ୫୦ଟି ଅତି ଉତ୍ତେଜନା ପ୍ରବଣ ଓ ୬୦ଟି ଉତ୍ତେଜନା ପ୍ରବଣ ବୁଥ୍ ଅଛି। ଏହି ସବୁ ବୁଥ ପାଇଁ ସି.ଏ.ପି.ଏଫ୍ ର ୪ଟି କମ୍ପାନୀକୁ ମୂତୟନ କରାଯିବ। ସି.ଏପି.ଏଫ୍ ର ୪୪ଟି ଷ୍ଟେଟିଂ ଟିମ୍ ଓ ୨୨ ଟି ମୋବାଇଲ ଟିମ୍ ଉତ୍ତେଜନା ପ୍ରବଣ ବୁଥ୍‌ର ଦାୟିତ୍ୱରେ ରହିବେ। ୨୨ ପ୍ଲାଟୁନ୍ ରାଜ୍ୟ ଆର୍ମଡ଼୍ ଫୋର୍ସକୁ ମଧ୍ୟ ନିର୍ବାଚନ କାର୍ଯ୍ୟର ଶାନ୍ତି ଶୃଙ୍ଖଳା ପାଇଁ ମୂତନୟନ କରାଯିବ। ୩ ଜଣ ଅତିରିକ୍ତ ଏସ୍‌.ପି., ୧୦ଜଣ ଡ଼ି.ଏସ୍‌.ପି., ୧୮ ଜଣ ଇନିସ୍‌ପେକ୍ଟର, ୧୩୦ ପାଖାପାଖି ଏସ୍‌.ଆଇ. ଓ ଏ.ଏସ୍‌.ଆଇ ର‌୍ୟାଙ୍କର ଅଧିକାରୀ ନିର୍ବାଚନ କାର୍ଯ୍ୟ ପରିଚାଳନାରେ ନିୟୋଜିତ ହେବେ। ଅବାଧ, ମୁକ୍ତ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହିତ ଏହି ନିର୍ବାଚନ କାର୍ଯ୍ୟ ପରିଚାଳନାରେ ପୋଲିସ୍ ଓ ପ୍ରଶାସନକୁ ସହଯୋଗ କରିବା ପାଇଁ ଧାମନଗର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଜିଲ୍ଲାପାଳ ଓ ଏସ୍‌.ପି. ନିବେଦନ କରିଥିଲେ।