Odiapua.com

ଧାମନଗର:୮ଟି ବାଲି ଓ ଇଟ୍ଟା ବୋଝେଇ ଗାଡି ଜବତ

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅଂଚଳରେ ଦିନକୁ ଦିନ ବେଆଇନ ଭାବେ ବାଲି ଓ ଇଟା ଚୋରା ଚାଲାଣ ହେଉଥିବା ବେଳେ ଦୁଇଦିନ ଧରି ତହସିଲ ପକ୍ଷରୁ ଚଢଉ କରାଯାଇଛି । କେତେକ ବାଲି ମାଫିଆ ମାନେ ଚୋରାରେ ନଦୀରୁ ବାଲି ଉତ୍ତୋଳନ କରି ଚଢା ଦରରେ ବିକ୍ରି କରୁଛନ୍ତି । ତହସିଲର କେତେକ କର୍ମଚାରୀ ଓ ରାଜସ୍ୱ ନିରୀକ୍ଷକଙ୍କୁ ହାତ କରି ଏହି ମାଫିଆ ମାନେ ଚୋରାରେ ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ବୈତରଣୀ ନଦୀର ଷେଣ୍ଢପୁର ଘାଟରୁ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ତହସିଲଦାର ରାଧାକାନ୍ତ ବାରିକ ଜବତ କରିଥିବା ବେଳେ ଆଜି ଅନ୍ୟ ୬ଟି ବାଲି ବୋଝେଇ ଗାଡି ଓ ଗୋଟିଏ ଇଟା ବୋଝେଇ ଟ୍ରକକୁ ମଧ୍ୟ ଜବତ କରାଯାଇଛି । ଏହିସବୁ ଗାଡି ଗୁଡିକ ଥାନାରେ ରଖାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା କୌଣସି ଗାଡି ମାଲିକ ପହଞ୍ଚିନଥିବାରୁ ସେମାନଙ୍କ ଠାରୁ ଜୋରିମାନା ଆଦାୟ ହୋଇପାରିନାହିଁ ବୋଲି ତହସିଲଦାର ଶ୍ରୀ ବାରିକ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ସୋହଡା ପଂଚାୟତ ବୈତରଣୀ ନଦୀର କଣ୍ଟାପାରି ଠାରେ ବେଆଇନ ଭାବେ ବାଲି ନଦୀରୁ ଉତ୍ତୋଳନ କରି ସେଠାରେ ରଖାଯାଇ ଚଡା ଦାମରେ ବିକ୍ରି ହେଉଛି । ସେହିପରି ନଦୀଗାଁ ରାଜସ୍ୱ ଅଧିନରେ ଥିବା ଫଳପୁରସ୍ଥିତ ଗେଙ୍ଗୁଟି ନଦୀପଟାରୁ ମଧ୍ୟ କେତେକ ବାଲି ମାଫିଆ ବାଲି ଉତ୍ତୋଳନ କରି ଚଢା ଦରରେ ବିକ୍ରି କରୁଥିବା ବେଳେ ରାଜସ୍ୱ ନିରୀକ୍ଷକ ଦୁଇଟି ଗାଡିକୁ ଜବତ କରି ପରେ ଛାଡି ଦେଇଥିବା ଶୁଣିବାକୁ ମିଳୁଛି । ବୈତରଣୀ, କୋଚିଳା ଓ ଗେଙ୍ଗୁଟି ନଦୀରୁ ଦୈନିକ ଶହଶହ ବେଆଇନ ଭାବେ ଚୋରା ବାଲି ଉତ୍ତୋଳନ କରାଯାଇ ବିକ୍ରି କରାଯାଉଥିବା ବେଳେ ରାଜସ୍ୱ ବିଭାଗ ସବୁ ଜାଣି ଚୁପ ବସିଥିବାରୁ ସରକାର ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହରାଉଛି । ଏଥିପ୍ରତି ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।