Odiapua.com

ଧାମନଗରର ୮ ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍‌ରେ ୮ଟି ହାଇସ୍କୁଲରେ ଯୁକ୍ତ ଦୁଇ କଲେଜ ଖୋଜିବାକୁ ଯାଉଛି । ଗଣଶିକ୍ଷା ବିଭାଗର ଅନୁମୋଦନ ମିଳିଲେ ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ର ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ଶ୍ରେଣୀ ଖୋଲିବ । ଏହାସହ ପାଠପଢା ମଧ୍ୟ ଆରମ୍ଭ ହେବ । ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଡିହୁଡି ଆନନ୍ଦପୁର ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା ଦେବା ଲାଗି ଜିଲା ଶିକ୍ଷା ଅଧିକାରୀ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକଙକ୍‌ୁ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାରଙ୍କ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଆଧାରରେ ଗୋଟିଏ କ୍ୟାମ୍ପସରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ରଖିବା ଉଦ୍ଦେଶ୍ୟ ନେଇ ଜିଲା ଶିକ୍ଷା ବିଭାଗ ଏହି ପଦକ୍ଷେପ ନେଇଛନ୍ତି । ଗୋଟିଏ କ୍ୟାମ୍ପସରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିଲେ ଏହା ଏକୀକୃତ ପରିଚାଳନାରେ ରହିବ । ଜଣେ ପ୍ରଧାନଶିକ୍ଷକ କିମ୍ବା ଅଧ୍ୟକ୍ଷଙ୍କ ଅଧୀନରେ ସମସ୍ତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ କାମ କରିବେ । ଏହାସହ ଶିକ୍ଷକ ମାନଙ୍କୁ ତାଲିମ ଦେବାରେ ସୁବିଧା ହେବ । କ୍ୟାମ୍ପସରେ ଶୃଙ୍ଖଳା ରହିବ, ପିଲାଙ୍କ ଦକ୍ଷତା ବିକାଶ ହୋଇପାରିବ ।

ଏହି ଲକ୍ଷ୍ୟନେଇ ଉଚ୍ଚ ବିଦ୍ୟାଳୟ ଗୁଡିକୁ ଅପଗ୍ରେଡ୍ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । ମାନଦଣ୍ଡକୁ ନଜରରେ ରଖି ଜିଲା ଶିକ୍ଷା ବିଭାଗ କେତେକ ସ୍କୁଲର ନାଁ ସୁପାରିଶ କରିଛନ୍ତି । ଯେଉଁସ୍କୁଲ ଅପଗ୍ରେଡ୍ ହେବ, ସେହି ସ୍କୁଲରେ କେଉଁ ଶ୍ରେଣୀରୁ କେଉଁ ଶ୍ରେଣୀ ଯାଏ ରହିଚି, ମୋଟ କେତେ ପିଲା ପାଠ ପଢୁଛନ୍ତି, ଦଶମ ଶ୍ରେଣୀରେ ଗତ ଶିକ୍ଷାବର୍ଷରେ କେତେ ଜଣ ନାଁ ଲେଖାଇଥିଲେ, ସ୍କୁଲର ଜମି କେତେ ରହିଛି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତଦୁଇ ଖୋଲିଲେ କେତୋଟି ଗାଁର ପିଲା ଆସି ପଢିବେ । ଯୁକ୍ତଦୁଇର କେତୋଟି ଷ୍ଟ୍ରିମ୍ ଖୋଲାଯିବ ଓ ମୋଟ କେତେ ଜଣ ପିଲା ନାଁ ଲେଖାଇବା ସମ୍ଭାବନା ରହିଛି, ସେନେଇ ସୂଚନା ଦିଆଯିବାକୁ ବ୍ୟବସ୍ଥା ରହିଛି । ତା ଛଡା ଅପଗ୍ରେଡ୍ ହେବାକୁ ଥିବା ସ୍କୁଲ ଠାରୁ କେତେ ଦୂରରେ ରହିଛି ନିକଟତମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ଏସବୁ ସୂଚନା ସହ ଜିଲା ଶିକ୍ଷା ବିଭାଗ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ନାଁ ସୁପାରିଶ କରିଛି । କେବଳ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ନୁହଁ, ଧାମନଗର ବ୍ଲକ୍‌ର ୮ ଟି ସ୍କୁଲକୁ ଅପଗ୍ରେଡ୍ କରିବାକୁ ସୁପାରିଶ କରାଯାଇଛି । ବମକୁରା ନୋଡାଲ ହାଇସ୍କୁଲ, ଚୁଡାକୁଟୀର ଇନ୍ଦ୍ରଗୋବିନ୍ଦ ନୋଡାଲ ହାଇସ୍କୁଲ, ସୋହଡା ପଂଚାୟତ ବାଲିପଡାର ବୈତରଣୀ ହାଇସ୍କୁଲ, ବନ୍ଧଟିଆର ଉତ୍କଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ପଳିକିରିର ପଳିକିରି-ଭଗବାନପୁର ହାଇସ୍କୁଲ ନାଁ ମଧ୍ୟ ସୁପାରିଶ କରାଯାଇଛି । ତେବେ ଭୌଗୌଳିକ ଦୃଷ୍ଟିକୋଣ ଓ ନିକଟସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୂରତାକୁ ଦେଖିଲେ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ବାଲିପଡାର ବୈତରଣୀ ହାଇସ୍କୁଲ, ନଦୀଗାଁ ହାଇସ୍କୁଲ ଅପଗ୍ରେଡ୍ ହେବା ପାଇଁ ସମସ୍ତ ମାନଦଣ୍ଡ ପୂରଣ କରୁଛି । ତେବେ ଯୁକ୍ତ ଦୁଇ ଖୋଲିଲେ ଗ୍ରାମାଂଚଳରେ ଅନେକ ଗରିବ ଛାତ୍ରଛାତ୍ରୀ ଶିକ୍ଷିତ ହୋଇପାରିବେ ବୋଲି ସାଧାରଣରେ ଆଲୋଚନା ହୋଇଛି ।