Odiapua.com

ଧାମନଗରର ବନ୍ୟା ପ୍ରଭାବିତ ଅଂଚଳର ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ, ଡାକ୍ତର ଅଭାବ ଦୂର କରିବା ସହ ଚିକିତ୍ସା ସେବା ସୁଦୃଢ଼ କରିବାକୁ ନିର୍ଦ୍ଦେଶ

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ପାଣି ଛାଡ଼ିବା ପରେ ସମ୍ଭାବ୍ୟ ଜଳବାହିତ ରୋଗର ମୁକାବିଲା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ସ୍ୱାସ୍ଥ୍ୟ ସେବାର ବାସ୍ତବ ସ୍ଥିତିର ସମୀକ୍ଷା ପାଇଁ ଗୁରୁବାର ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଧାମନଗର ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରିଥିଲେ। ବନ୍ୟା ପରବର୍ତୀ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଜଳବାହିତ ରୋଗ ରୋକିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ସ୍ୱାସ୍ଥ୍ୟ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ମଧ୍ୟାହ୍ନରେ ମନ୍ତ୍ରୀ ଧାମନଗର ବଡ଼ବଜାରରେ ପହଂଚିବା ପରେ ସ୍ଥାନୀୟ ଜନପ୍ରତିନିଧି ଓ ବିଜେପି କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ସେ ଏନ୍‌ଏସିର ୧୦ ନମ୍ବର ୱାର୍ଡ ସମେତ ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ବୁଲି ଲୋକଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କ ସମସ୍ୟା ବୁଝିଥିଲେ। ବନ୍ୟା ପାଣି ଛାଡ଼ିବା ପରେ ପାନୀୟ ଜଳର ଗୁଣବତା, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଏବଂ ସଂକ୍ରାମକ ରୋଗ ନିୟନ୍ତ୍ରଣର ବାସ୍ତବ ସ୍ଥିତି ସମ୍ପର୍କରେ ଅଧିକାରୀଙ୍କଠାରୁ ତଥ୍ୟ ନେଇଥିଲେ। ଗସ୍ତ ସମୟରେ ବିଭିନ୍ନ ଗ୍ରାମର ନଳକୂପ ଓ ଟ୍ୟୁବୱେଲରୁ ପାଣିର ନମୁନା ସଂଗ୍ରହ, ଜଳ ପରୀକ୍ଷା ଏବଂ ବିଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ନିଜେ ତଦାରଖ କରିଥିଲେ। ଡାଇରିଆ, ଜଣ୍ଡିସ୍‌, ଛାଡ଼ବାନ୍ତି ସମେତ ଅନ୍ୟାନ୍ୟ ଜଳବାହିତ ରୋଗ ଯେପରି ମହାମାରୀ ରୂପ ନ ନିଏ, ସେଥିପାଇଁ ପ୍ରଭାବିତ ଅଂଚଳରେ ନିୟମିତ ସ୍ୱାସ୍ଥ୍ୟ ଶିବିର, ଘରକୁ ଘର ସ୍ୱାସ୍ଥ୍ୟ ସର୍ଭେ, ଆବଶ୍ୟକ ଔଷଧ ମହଜୁଦ, ଓଆରଏସ୍ ଓ କ୍ଲୋରିନ୍ ଟାବଲେଟ୍ ବଂଟନ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପରେ ମନ୍ତ୍ରୀ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ବନ୍ୟା ପରବର୍ତୀ ସ୍ୱାସ୍ଥ୍ୟ ସେବାର ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଅଭାବ, ଔଷଧର ଉପଲବ୍ଧତା, ଜରୁରୀକାଳୀନ ଚିକିତ୍ସା, ନୂତନ ହସ୍ପିଟାଲ ଭବନ ନିର୍ମାଣ, ରୋଗୀ ସେବାର ମାନ ବୃଦ୍ଧି ଏବଂ ଆଗାମୀ ଦିନରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଅଧିକ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ମନ୍ତ୍ରୀ କହିଥିଲେ ଯେ, ବନ୍ୟା ସମୟରେ ସରକାରଙ୍କ ସମନ୍ୱିତ ପଦକ୍ଷେପ ଯୋଗୁଁ କୌଣସି ଜନହାନି ଘଟିନାହିଁ। ବିଶେଷକରି ଅପହଂଚ ଅଂଚଳରେ ଉଦ୍ଧାର ଓ ଚିକିତ୍ସା ସେବା ପହଂଚାଇବାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଥିଲେ। ସେହିପରି ବନ୍ୟା ସମୟରେ ଆଶାକର୍ମୀ, ଏଏନ୍‌ଏମ୍‌, ଡାକ୍ତର ଏବଂ ମେଡିକାଲ ଟିମ୍‌ର ନିଷ୍ଠାପର ସେବାକୁ ଭୂୟସୀ ପ୍ରଶଂସା କରିଥିଲେ। ୧୭ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସଫଳ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ। ବନ୍ୟା ପରେ ଦୂଷିତ ପାଣି ଯୋଗୁଁ କୌଣସି ସଂକ୍ରାମକ ରୋଗ ନ ବ୍ୟାପିବା ପାଇଁ ସମସ୍ତ ନଳକୂପ ଓ ଟ୍ୟୁବୱେଲରେ ବିଶୋଧନକାରୀ ଔଷଧ ପ୍ରୟୋଗ, ନିୟମିତ ପାଣି ପରୀକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ସେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଲୋକମାନଙ୍କୁ ଫୁଟା ପାଣି ପିଇବା, ପରିଷ୍କାର-ପରିଚ୍ଛନ୍ନତା ରକ୍ଷା କରିବା ଏବଂ ସାମାନ୍ୟ ଅସୁସ୍ଥତା ଦେଖାଦେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଏହାପରେ ମନ୍ତ୍ରୀ ଧୂଷୁରୀ ଏରିଆ ହସ୍ପିଟାଲ ପରିଦର୍ଶନ କରି ସେଠାରେ ଥିବା ଭିତିଭୂମିଗତ ଓ ଚିକିତ୍ସା ସମ୍ବନ୍ଧୀୟ ସମସ୍ୟାର ସମୀକ୍ଷା କରିଥିଲେ। ହସ୍ପିଟାଲରେ ରୋଗୀ ସେବାକୁ ଆହୁରି ଉନ୍ନତ କରିବା, ଆବଶ୍ୟକ ଜନବଳ ଓ ଚିକିତ୍ସା ସାମଗ୍ରୀର ଉପଲବ୍ଧତା ସୁନିଶ୍ଚିତ କରିବା ସହ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ କହିଥିଲେ। ଗସ୍ତରେ ସ୍ୱାସ୍ଥ୍ୟ ବିଭାଗର ଡାଇରେକ୍ଟର ଡା. ନୀଳକଣ୍ଠ ମିଶ୍ର, ଭଦ୍ରକ ଜିଲ୍ଲାପାଳ ସୁମେଶ ଉପାଧ୍ୟାୟ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜ, ଉପଜିଲ୍ଲାପାଳ ସରୋଜ ଦତ, ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନମୟ ସାମନ୍ତ ସିଂହାର, ତହସିଲଦାର ଜ୍ଞାନରଞ୍ଜନ ସାହୁ, ବିଡିଓ ବନବିହାରୀ ଦିଣ୍ଡାଙ୍କ, ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ଆଶୋକ ପୁହାଣ, ଭଦ୍ରକ ସାଂସଦଙ୍କ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ, ଜିଲା ସଧାରଣ ସମ୍ପାଦକ ଅରବିନ୍ଦ ପତି, ନଗର ପ୍ରତିନିଧି କୈଳାଶ ମହାପାତ୍ର, ସାଂସଦଙ୍କ ପ୍ରତିନିଧି ସରୋଜ ମହାପାତ୍ର, କାଉନସିଲର ଅନୁସୟା ମଲ୍ଲିକ୍‌,ସ୍ୱପ୍ନା ବେହୁରିଆ, ପ୍ରସାନ୍ତ ପରିଡା, ଚିତରଂଜନ ଜେନା, ନାୟରଣ ରାଉତ୍‌, ଦୟାନିଧି ରାଉତ୍‌, ଶ୍ରୀକାନ୍ତ ମଲ୍ଲିକ୍‌, ସେକ ହମିଦ, ସେକ ମନୁ ସମେତ ବହୁ ବିଜେପି କର୍ମୀ ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।