Odiapua.com

ଧାମନଗରର ଝିଅ ଇପିସିତାଙ୍କ ସଫଳତା, +୨ ବିଜ୍ଞାନରେ ରଖିଲେ ୫୮୧ ନମ୍ବର, ଅଂଚଳରେ ଖୁସିର ଲହର

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ଗ୍ରାମର ଛାତ୍ରୀ ଇପିସିତା ପ୍ରିୟଦର୍ଶିନୀ ରାଉତ ଚଳିତ +୨ ବିଜ୍ଞାନ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରି ସମଗ୍ର ଧାମନଗର ଅଞ୍ଚଳ ତଥା ନିଜ ଗ୍ରାମର ଗୌରବ ବଢ଼ାଇଛନ୍ତି। ସେ ମୋଟ ୬୦୦ ନମ୍ବରରୁ ୫୮୧ ନମ୍ବର ରଖି ସର୍ବୋଚ୍ଚ ସଫଳତା ଅର୍ଜନ କରିଛନ୍ତି।ଅର୍ଜୁନପୁର ଗ୍ରାମର ରବୀନ୍ଦ୍ର ରାଉତ ଓ ମାତା ନିରୁପମା ରାଉତଙ୍କ ଏକମାତ୍ର କନ୍ୟା ଇପିସିତା କଟକର ପ୍ରସିଦ୍ଧ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲର +୨ ବିଜ୍ଞାନର ଛାତ୍ରୀ ଅଟନ୍ତି। ସୁଦୂର ମଫସଲ ଗ୍ରାମରୁ ଯାଇ କଟକ ଭଳି ସହରରେ କଠିନ ପରିଶ୍ରମ କରି ସେ ଏହି ଗୌରବମୟ ସଫଳତା ପାଇଛନ୍ତି। ଇପିସିତାଙ୍କ ଏହି କୃତିତ୍ୱ ପାଇଁ ତାଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ବାତାବରଣ ଖେଳିଯାଇଛି।ଛାତ୍ରୀଙ୍କର ଏଭଳି ଅଦ୍ଭୁତପୂର୍ବ ସଫଳତା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ ପୁହାଣ, ଅର୍ଜୁନପୁର ପଂଚାୟତର ସରପଂଚ ସରିତା ମହାନ୍ତି, ସମିତି ସଭ୍ୟ ବିଦ୍ୟାଧର ରାଉତ ଏବଂ ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀଧର ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ସେ ଜଣେ ସୁନାଗରିକ ହୋଇ ଦେଶ ଓ ଜାତିର ସେବା କରନ୍ତୁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଆଶା ପ୍ରକଟ କରିଛନ୍ତି।