Odiapua.com

ଧାମନଗରରେ ସରିଲା ନିର୍ବାଚନ, କଟସାହି ପଂଚାୟତର ୧ନମ୍ବର ବୁଥ୍‌ରେ ଏଜେଣ୍ଟ ବ୍ୟାଲେଟ ପେପର ନେଇଗଲେ, ୨ଅଟକ, ବୁଥ୍‌ର‌୍ୟାଗିଂ ନେଇ ଧୂଷୁରୀ ଓ ଧାମନଗର ଥାନା ଆଗାରେ ରାସ୍ତାରୋକ

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଜି ଶେଷ ପର୍ଯ୍ୟାୟ ଥିବାବେଳେ ୭୬.୮୫ମତଦାନ ହୋଇଛି । କଟସାହି ପଂଚାୟତର ୧ନମ୍ବର ବୁଥ୍‌ରେ ବ୍ୟାଲେଟ ପେପର ଛଡ଼ାଇନେବା ଘଟଣାରେ ସେଠାରେ ଭୋଟ ବାତିଲ ହୋଇଥିବାବେଳେ ପୁନର୍ବାର ସେଠାରେ ଭୋଟ କରାଯିବ । ପ୍ରକାଶ ଥାଉକି ଆଜି ସକାଳେ ସେଠାରେ ୪୫୨ ଭୋଟର ମତଦାନ ଦେବାର ଥିବାବେଳେ ମାତ୍ର ୩୬ଖଣ୍ଡ ଭୋଟ ଗ୍ରହଣ ସରିଥିବାବେଳେ ଏହି ସମୟରେ ସେଠାରେ ପୁଲିଂ ଏଜେଣ୍ଟ ନୃସିଂହ ଚରଣ ଜେନା ଓ ଦିବ୍ୟରଂଜନ ସାହୁ ସରପଂଚ ପ୍ରାର୍ଥୀ ପାଇଁ ଉଦ୍ଦିଷ୍ଟ ବ୍ୟାଲେଟ ପେପରକୁ ସେଠାରୁ ଛଡ଼ାଇ ଦୌଡ଼ି ପଳାଇଥିଲେ । ଏହି ସମୟରେ ହୋହାଲ୍ଲା ମଧ୍ୟରେ ଉକ୍ତ ଏଜେଣ୍ଟକୁ କାବୁ କରିବା ସହିତ ଅଧାଚିରା ବ୍ୟାଲେଟ ପେପରକୁ ମଧ୍ୟ ଜବତ କରିଥିଲେ । ଖବରପାଇ ଭଦ୍ରକ ଆରକ୍ଷୀ ଅଧିକ୍ଷକ ଚରଣସିଂ ମୀନା, ଏସ୍‌ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ର, ତହସିଲଦାର କ୍ଷୀରୋଦ ପଣ୍ଡା ଓ ଅତିରିକ୍ତ ତହସିଲଦାର ଅନୁପ କୁମାର ବେହେରା ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ସେଠାରୁ ବୁଥ ପାଟିଙ୍କୁ ବ୍ଲକକୁ ନେଇଆସିବା ସହିତ ସେଠାରେ ଏହି ନିର୍ବାଚନ ବନ୍ଦ କରାଯାଇଥିଲା । ବିଡ଼ିଓଙ୍କ ନିର୍ଦ୍ଦେଶ ପରେ ସେଠାରେ ପୁନର୍ବାର ନିର୍ବାଚନ କରାଯିବ ।

ସୂଚନା ଥାଉକି କଟସାହିପଂଚାୟତ ବିଜେଡ଼ିର ୨ଗୋଷ୍ଠୀ ମଧ୍ୟରେ ଅସନ୍ତୁଷ୍ଟ ଥିବାରୁ ସେଠାରେ ବିଜେଡ଼ି ସମର୍ଥୀତ ରଘୁନାଥ ଲେଙ୍କାଙ୍କ ପ୍ରାର୍ଥୀ ଦିଆଯାଇଥିବାବେଳେ ବିଜେଡ଼ିରୁ ଅସନ୍ତୁଷ୍ଟହୋଇ ସୁଶାନ୍ତ କୁମାର ପଣ୍ଡାଙ୍କ ସମର୍ଥୀତ ପ୍ରାର୍ଥୀ ଦେଇ ନିର୍ବାଚନ ଲଢୁଥିବାରୁ ଉକ୍ତ ପଂଚାୟତର ଉଭୟ ଗୋଷ୍ଠୀର ଛକାପଞ୍ଝା ଯୋଗୁ ସେଠାରେ କିଛିଦିନ ହେବ ଅପ୍ରିତିକର ପରିସ୍ଥିତି ଓ ଗୋଷ୍ଠୀବିବାଦ ହୋଇ ଆଜି ସେଠାରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ଅର୍ଜ୍ଜୁନପୁର ପଂଚାୟତର କେତେକ ବୁଥ୍‌ରେ ର‌୍ୟାଗିଂ ହୋଇଥିବା ଦାବିକରି ଧୂଷୁରୀ ଜୋନ୍‌ର ବିଜେପି ସମର୍ଥୀତ ଜିଲ୍ଲାପରିଷଦ ପ୍ରାର୍ଥୀ ଚତୃର୍ଭୂଜ ନାୟକ ଭଦ୍ରକ- ଆଖଣ୍ଡଳମଣୀ ରାସ୍ତାର ଧୂଷୁରୀ ଠାରେ ତାଙ୍କ ସମର୍ଥୀତଙ୍କ ସହ ଶତାଧିକ ବ୍ୟକ୍ତି ରାସ୍ତାରୋକ କରିଛନ୍ତି । ଅପରପକ୍ଷେ ପଧାନୀ ପଂଚାୟତର କଇଥାଡ଼ିହ ୨ନମ୍ବର ବୁଥ୍‌ରେ ବୁଥ୍ ର‌୍ୟାଗିଂ ହେଉଥିବା ଅଭିଯୋଗରେ କଂଗ୍ରେସ ଓ ବିଜେଡ଼ି ସମର୍ଥୀତ ସରପଂଚ ପ୍ରାର୍ଥୀ ଶରତ ସାହୁ ସେଠାକୁ ଯାଇଥିବାବେଳେ ତାଙ୍କୁ ବିଜେପିର କେତେକ କର୍ମୀ ସହ ବିଜେପି ସମର୍ଥୀତ ସରପଂଚପ୍ରାର୍ଥୀ ଅଶୋକ କୁମାର ପୁହାଣ ମାଡ଼ମାରିଥିବା ଅଭିଯୋଗନେଇ ଆଜିସନ୍ଧ୍ୟାରେ କଂଗ୍ରେସ ଓ ବିଜେଡ଼ି ସମର୍ଥୀତ ପ୍ରାର୍ଥୀ ଶ୍ରୀ ସାହୁଙ୍କ ସମେତ ଶତାଧିକ ତାଙ୍କ ସମର୍ଥକ ଧାମନଗର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ।

ଖବରପାଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ କୁମାର ପଣ୍ଡା ଘଟଣା ସ୍ଥଳରେ ପହଂଚି ରାସ୍ତାରୋକ କରିଥିବା ବ୍ୟକ୍ତିଙ୍କ ସହିତ ଆଲୋଚନା କରିଥିଲେ ଏବଂ ଦୁଇଦିନ ସମୟ ନେଲାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବି ଏବଂ ଉକ୍ତ ପଂଚାୟତରେ ପୋଲିସ ପେଟ୍ରୋଲିଂ କରାଯିବବୋଲି ପ୍ରତିଶୃତି ଦେଲାପରେ ଆନ୍ଦୋଳନକାରୀମାନେ ରାସ୍ତାଉପରୁ ଉଠିଯାଇଥିଲେ । ସୂଚନାଥାଉକି ପଧାନୀ ପଂଚାୟତରେ ଦାସପାରି ବୁଥ୍‌ରେ କଂଗ୍ରେସ ଓ ବିଜେଡ଼ି କର୍ମୀମାନେ ବୁଥ୍ କବଜା କରିଥିଲେ । ପୁନର୍ବାର କଇଥାଡ଼ିହ ବୁଥ୍‌ରେ ମଧ୍ୟ କବଜା କରିବାକୁ ଉଦ୍ୟମ କରୁଥିବାବେଳେ ଉଭୟଦଳର କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେଇପାରିଥାଏ । ତେବେ ଏଥିରେ ମୋର କୌଣସି ସମ୍ପୃକ୍ତି ନାହିଁ ସବୁପ୍ରକାର ତଦନ୍ତକୁ ସହଯୋଗ କରିବୁବୋଲି ବିଜେପି ସମର୍ଥୀତ ସରପଂଚ ପ୍ରାର୍ଥୀ ଅଶୋକ କୁମାର ପୁହାଣ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ କାଁ ଭାଁ କେତେକ ବୁଥ୍‌ରେ ଗଣ୍ଡଗୋଳ ହୋଇଥିବାବେଳେ ଅନ୍ୟବୁଥ୍‌ମାନଙ୍କରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ହୋଇଛି । କେବଳ କଟସାହି ପଂଚାୟତର ୧ନମ୍ବର ବୁଥ୍‌ରେ ପୁନର୍ବାର ନିର୍ବାଚନ ହେବ ବୋଲି ବିଡ଼ିଓ ଶ୍ରୀ ଦୁର୍ଗାଚରଣ ମୁର୍ମୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।