ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମହରମ ଅବସରରେ ଧାମନଗର ଅଂଚଳରେ ଧାର୍ମିକ ଓ ସାମ୍ପ୍ରଦାୟିକ ସଦ୍ଭାବର ପରିବେଶ ମଧ୍ୟରେ ଜୁଲୁସ ଶୋଭାଯାତ୍ରା ଏବଂ ପାରମ୍ପରିକ ଆଖାଡା ଖେଳ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି। ଇସଲାମିକ୍ ନବବର୍ଷ ତଥା ହଜରତ ଇମାମ ହୋସେନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଉଦେଶ୍ୟରେ ଏହି ପର୍ବ ପାଳନ କରାଯାଇଥିଲା। ଧାମନଗରର ଫକିରସାହି, ଭଣ୍ଡାରୀସାହି ସମେତ ବିଭିନ୍ନ ସାହି ଓ ଗ୍ରାମରୁ ଜୁଲୁସ ଏବଂ କାଫଲା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଖାନକା ଶରିଫରେ ପହଂଚି ଚାଦର ଚଢ଼ାଇବା ସହ ପୀରବାବାଙ୍କ ଦର୍ଶନ କରିଥିଲେ। ପରେ ସମସ୍ତେ ନିଜ ନିଜ ଅଂଚଳକୁ ଫେରିଥିଲେ। ଏହି ଅବସରରେ ବିଭିନ୍ନ ସାହିରୁ ୧୭ର ଆଖାଡା ଦଳ ନିଜ ନିଜ ଖଲିଫା ଓ ଗ୍ରାମ ମୁଖିଆଙ୍କ ନେତୃତ୍ୱରେ କରବଲା ମଇଦାନକୁ ପହଂଚିବା ପରେ ବଡ଼ବଜାର ଟ୍ରେକର ଷ୍ଟାଣ୍ଡ ଓ ସାନବଜାର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ନିକଟରେ ବାଡ଼ି ଖେଳ, କୁସ୍ତି, ବନୋଟି ସମେତ ବିଭିନ୍ନ ପାରମ୍ପରିକ ଆଖାଡା କୌଶଳ ପ୍ରଦର୍ଶନ କରିଥିଲେ। ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କଳିଙ୍ଗ ଯୁଦ୍ଧ କ୍ଲବ ପକ୍ଷରୁ ମୀର ମୁରତୁଜାଙ୍କ ନେତୃତ୍ୱରେ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍ଭାବର ବାର୍ତା ଦେବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ନାଗରିକ, ସମାଜସେବୀ, ବୁଦ୍ଧିଜୀବୀ, ଆଇନଜୀବୀ, ଶାନ୍ତି କମିଟି ସଦସ୍ୟ, ସାମ୍ବାଦିକ, ସର୍ବଦଳୀୟ ନେତା ଏବଂ ପୁଲିସ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଉପସ୍ଥିତ ଲୋକଙ୍କୁ ମିଠା ଓ ଥଣ୍ଡା ପାନୀୟ ମଧ୍ୟ ବଂଟନ କରାଯାଇଥିଲା। ଅପରାହ୍ନ ୪ଟାରେ ଧାମନଗର କରବଲା ମଇଦାନରେ ସ୍ଥାନୀୟ ଯୁବକ ସଂଘ ପକ୍ଷରୁ ୧୪ରୁ ଅଧିକ ଆଖାଡା ଦଳଙ୍କୁ ନେଇ ବାଡ଼ି ଖେଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପରେ ବିଜେତା ଦଳଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ମହରମ ପାଳନକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ କରିବା ପାଇଁ ଭଦ୍ରକ ଏସପି ମନୋଜ ରାଉତ ଗୁରୁବାର ସନ୍ଧ୍ୟାରେ ଧାମନଗର ଥାନାକୁ ଗସ୍ତ କରି ମୋହରମ ଶୋଭାଯାତ୍ରା ଯିବାକୁ ଥିବା ବିଭିନ୍ନ ରାସ୍ତା, ପ୍ରମୁଖ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକର ସୁରକ୍ଷା ସମ୍ପର୍କିତ ନେଇ ଥାନା ଅଧିକାରୀଙ୍କ ସୁବ୍ରଜିତ ଦାସଙ୍କ ସହ ଆଲୋଚନା କରିଥିଲେ। ପରେ ବିଭିନ୍ନ ସ୍ଥାନ ବୋଲି ଦେଖିଥିଲେ। ଆଜି ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା, ଏସଡିପିଓ କୃଷ୍ଣଚରଣ ବାରିକ ଓ ଧାମନଗର ଆଇଆଇସି ଶୁଭ୍ରଜିତ ଦାସଙ୍କ ତତ୍ୱାବଧାନରେ ୨ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ବନ୍ତ ଥାନା ଅଧିକାରୀ ରାଜେଶ ସେଠୀ, ଧୁଷୁରୀ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ଓ ଭଦ୍ରକ୍ ଅଂଚଳର ଜଣେ, ଏହା ସହ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବନ୍ତ ଥାନା ଅଧିକାରୀ ରାଜେଶ ସେଠୀ ସୂଚନା ଦେଇଛନ୍ତି। ଏହା ସହ ଧାମନଗର, ଦୋବଲ, ମୁସ୍ତଫାପୁର, ଚୁଡ଼ାକୁଟି, ଗୋଡ଼ିପୋଖରୀ, ପନ୍ଦରବାଟିଆ, ନଦୀଗାଁ ଓ ପିତେଇପୁର ସମେତ ବିଭିନ୍ନ ଅଞ୍ଚଳରେ ମଧ୍ୟ ମହରମ ପର୍ବ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହୋଇଥିବା ସୂଚନା ମିଳିଛି। ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକମାନେ ମିଳିତ ଭାବେ ଏହି ପର୍ବରେ ସାମିଲ ହୋଇ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍ଭାବର ଉଜ୍ଜ୍ୱଳ ନଜିର ସୃଷ୍ଟି କରିଛନ୍ତି।