ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପ୍ରସିଦ୍ଧ ଓ ଐତିହ୍ୟବାହୀ ରାମନବମୀ ଉତ୍ସବର ଝଲକ ଏବେ ଧାମନଗରରେ ଦେଖିବାକୁ ମିଳୁଛି। ରାମନବମୀ ଉପଲକ୍ଷେ ଏଠାରେ ଭବ୍ୟ ବିଜୟା ଦଶମୀ ମହୋତ୍ସବ ପାଳିତ ହୋଇ ସମଗ୍ର ଅଂଚଳକୁ ରାମମୟ ପରିବେଶରେ ମଗ୍ନ କରିଦେଇଛି। ମେଡିକାଲ ବଜାରରୁ ଜୟନଗର, ବିଜୁ ପଟ୍ଟନାୟକ ଛକ ହୋଇ ବ୍ଲକ ରାମମନ୍ଦିର ପର୍ଯ୍ୟନ୍ତ ସମଗ୍ର ଅଂଚଳ ଆକର୍ଷଣୀୟ ଲାଇଟିଙ୍ଗ, ଭଗବା ପତାକା ଓ ଶୃଙ୍ଗାରିତ ତୋରଣରେ ସଜିଉଠିଛି। “ଜୟ ଶ୍ରୀରାମ” ଧ୍ୱନିରେ ଗୁଞ୍ଜିଉଠିଥିବା ପରିବେଶ ଭକ୍ତି ଓ ଉତ୍ସାହରେ ଭରିଯାଇଛି। ଏହି ମହୋତ୍ସବରେ ରାମ , ଲକ୍ଷ୍ମଣ, ସୀତାଙ୍କ ସମେତ ହନୁମାନଙ୍କ ୩୨ଟି ମେଢ଼ ଭାଗ ନେଇଥିବା ବେଳେ ବିଭିନ୍ନ ଅଂଚଳ ଓ ରାଜ୍ୟରୁ ଆସିଥିବା ଡିଜେ, ଘଂଟ, ମାଦଳ ଓ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଆକର୍ଷଣୀୟ ପ୍ରଦର୍ଶନ ପୁରା ଅଂଚଳ ଦୁଲୁକିଥିଲା। ଏହାକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଉମଡ଼ି ପଡ଼ିଥିଲା, ଯାହା ଭଦ୍ରକର ପ୍ରସିଦ୍ଧ ରାମନବମୀ ଉତ୍ସବକୁ ସ୍ମରଣ କରାଇଥିଲା। ଧାର୍ମିକ ମହତ୍ୱରେ ଭରିଥିବା ଏହି ଉତ୍ସବରେ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଜୀବନକୁ ମନେ ପକାଯାଇଥିଲା। ଶ୍ରୀରାମ ସତ୍ୟ, ଧର୍ମ ଓ ନ୍ୟାୟର ପ୍ରତୀକ ଭାବେ ମନୁଷ୍ୟଜୀବନକୁ ନୀତିମୟ ପଥରେ ଆଗେଇବାର ପ୍ରେରଣା ଦେଇଥାନ୍ତି। ପିତୃଭକ୍ତି, ଭାଇଚାରା, ନାରୀ ସମ୍ମାନ ଓ ରାଜଧର୍ମର ଉତମ ଉଦାହରଣ ଭାବେ ଶ୍ରୀରାମଙ୍କ ଜୀବନ ଆଜିବି ସମାଜ ପାଇଁ ପଥପ୍ରଦର୍ଶକ। ସେହିପରି ବିଭିନ୍ନ ସଂଗଠନ ଓ ସମାଜସେବୀମାନଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ ଓ ଖାଦ୍ୟର ମାଗଣା ବଂଟନ କରାଯାଇଥିଲା, ଯାହା ଉତ୍ସବକୁ ଆହୁରି ସାମାଜିକ ମୂଲ୍ୟବୋଧରେ ସମୃଦ୍ଧ କରିଥିଲା। ଉତ୍ସବର ସୁଚାରୁ ପରିଚାଳନା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୋତାୟନ କରାଯାଇଥିବା ବେଳେ ସିସିଟିଭି ଓ ଡ୍ରୋନ କ୍ୟାମେରା ମାଧ୍ୟମରେ ସମଗ୍ର ଅଞ୍ଚଳରେ କଡା ନଜରଦାରି କରାଯାଉଥିଲା। ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରଙ୍କ ନିର୍ଦ୍ଦେଶନାରେ ସୁରକ୍ଷା ବ୍ୟବସ୍ଥା ସୁଚାରୁ ଭାବେ ଚାଲିଥିଲା।
୩ ଦିନ ବ୍ୟାପି ଏହି ଉତ୍ସବର ଉଦଯାପନୀ ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ୱାରା ରାବଣ ପୋଡ଼ା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ଭକ୍ତମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା। ଭକ୍ତି, ଐତିହ୍ୟ ଓ ଏକତାର ଅଦ୍ଭୁତ ସମନ୍ୱୟରେ ଧାମନଗରର ବିଜୟା ଦଶମୀ ମହୋତ୍ସବ ଏବର୍ଷ ଭଦ୍ରକର ପ୍ରସିଦ୍ଧ ରାମନବମୀ ଉତ୍ସବକୁ ସ୍ମରଣ କରାଇ ଏକ ନୂଆ ପରିଚୟ ସୃଷ୍ଟି କରିଛି। ଏଥିରେ ବିଭିନ୍ନ ରାଜନୀତିକ ଓ ସମାଜସେବୀଙ୍କ ପକ୍ଷରୁ ମଂଚ କରି ରାମ ଭକ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।