ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟିରେ ଆସିଥିବା କ୍ରମାଗତ ବନ୍ୟା ଧାମନଗର ବ୍ଲକରେ ସ୍ଥିତି ଅତ୍ୟନ୍ତ ସଂଗୀନ କରିଦେଇଛି। ମାତ୍ର ୨୦ ଦିନ ମଧ୍ୟରେ ଅଂଚଳବାସୀ ପଂଚମ ଥର ପାଇଁ ବନ୍ୟାର ସମ୍ମୁଖୀନ ହୋଇଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ସକାଳ ସୁଦ୍ଧା ଅଂଚଳରେ ଏକ ବଡ଼ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଜଳସମ୍ପଦ ବିଭାଗର ସୂଚନାନୁସାରେ, ବୈତରଣୀର ଉପରମୁଣ୍ଡ କେନ୍ଦୁଝର ଜିଲ୍ଲାର ପାଟଣା, ହାଟଡିହି, ଚମ୍ପୁଆ, ଘସିପୁରା, ଘଟଗାଁ ଓ ଆନନ୍ଦପୁର ପ୍ରଭୃତି ଅଂଚଳରେ ପ୍ରବଳ ବର୍ଷା ହୋଇଛି। ଆନନ୍ଦପୁରଠାରେ ନଦୀର ଜଳସ୍ତର ୩୯.୩୬ ମିଟର ରହିଥିବା ବେଳେ ଏହି ପାଣି ଆଖୁଆପଦାରେ ପହଂଚିବାକୁ ୬ରୁ ୮ ଘଂଟା ସମୟ ଲାଗିବ। ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀର ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ଜଳପତନ ୧୯.୨୨ ମିଟରରେ ପ୍ରବାହିତ ହେଉଛି। ଫଳରେ ଜୁଲାଇ ଶେଷ ସପ୍ତାହରେ ଆସିଥିବା ବନ୍ୟା ଅପେକ୍ଷା ଏଥର ଅଧିକ ଜଳ ପ୍ରବାହିତ ହୋଇ ବ୍ୟାପକ କ୍ଷତିଘଟାଇବା ଆଶଙ୍କା କରାଯାଉଛି। ଲଗାତର ବନ୍ୟା ଯୋଗୁଁ ସ୍ଥାନୀୟ ଚାଷୀ ଓ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରଥମ ବନ୍ୟାରେ ଭିତିଭୂମି ଓ ରାସ୍ତାଘାଟ ଧୋଇଯାଇଥିବା ବେଳେ ଚତୁର୍ଥ ବନ୍ୟାରେ ଧାନ ଚାଷ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ବର୍ତମାନ ପଂଚମ ବନ୍ୟା କାରଣରୁ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ିଯିବା ନିଶ୍ଚିତ ହୋଇଛି। ବିଶେଷ କରି ଧୁଷୁରୀ ଅଂଚଳରେ ପୂର୍ବ ବନ୍ୟାଜଳ ନଛାଡ଼ୁଣୁ ପୁନର୍ବାର ପାଣି ମାଡ଼ିଆସୁଥିବାରୁ ଜଳବନ୍ଦୀ ଲୋକଙ୍କ ଦୁର୍ଦ୍ଦଶା ଦ୍ୱିଗୁଣିତ ହୋଇଛି। ପ୍ରଶାସନିକ ରିପୋର୍ଟ ଅନୁଯାୟୀ, ଗତ ଚତୁର୍ଥ ବନ୍ୟାରେ ବ୍ଲକର ୨ଟି ଗ୍ରାମପଂଚାୟତର ୬ଟି ଗ୍ରାମର ପ୍ରାୟ ୧୧ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ବ୍ୟାପକ କରାଯାଇଛି। ସୋମବାର ସୁଦ୍ଧା ବନ୍ୟାଘେରରେ ଥିବା ୭,୧୦୦ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ପାଇଁ ୬ଟି ରିଲିଫ କେନ୍ଦ୍ର ଜରିଆରେ ମାଗଣା ରନ୍ଧାଖାଦ୍ୟ (ଫ୍ରି କିଚେନ୍) ଯୋଗାଯାଉଛି। ବନ୍ୟା ଆରମ୍ଭରୁ ବର୍ତମାନ ସୁଦ୍ଧା ମୋଟ ୬୨ଟି କେନ୍ଦ୍ର ମାଧ୍ୟମରେ ୧,୦୮,୫୦୦ ଜଣଙ୍କୁ ଜରୁରୀକାଳୀନ ସହାୟତା ଯୋଗାଇ ଦିଆଯାଇଛି। ସରକାର ଆଗାମୀ ୩ ଦିନ ପାଇଁ ମାଗଣା ରୋଷେଇ ସେବା ମଞ୍ଜୁର କରିଛନ୍ତି। ସେହିପରି ଶୁଖିଲା ରିଲିଫ୍ ଭାବେ ୫୫ କ୍ୱିଂଟାଲ ୪୦ କିଗ୍ରା ଚୁଡ଼ା ଓ ୧୩ କ୍ୱିଂଟାଲ ୮୫ କିଗ୍ରା ଗୁଡ଼ ବଂଟନ କରାଯାଇଛି। ବହୁମୁଖୀ ଆଶ୍ରୟସ୍ଥଳୀ ଓ ସ୍କୁଲଗୁଡ଼ିକରେ ରନ୍ଧାଖାଦ୍ୟ ପ୍ରସ୍ତୁତ କରାଯାଇ ଜଳବନ୍ଦୀଙ୍କ ପାଖକୁ ପଠାଯାଉଛି। ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଭ୍ରାମ୍ୟମାଣ ୱାଟର ପ୍ୟାକେଜିଂ ୟୁନିଟ୍ ମାଧ୍ୟମରେ ପାଉଚ୍ ବଂଟନ ଚାଲିଛି। ତେବେ ବର୍ତମାନ ସୁଦ୍ଧା କୌଣସି ମାନବଜୀବନ କିମ୍ବା ଗୃହପାଳିତ ପଶୁସମ୍ପଦର ହାନି ହୋଇନାହିଁ। ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଘର ଓ ଫସଲର ଆକଳନ ଜାରି ରହିଛି।