Odiapua.com

ଧାମନଗରରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ଼ ସାଂସଦଙ୍କ ଦ୍ୱାରା ବଂଟନର ଶୁଭାରମ୍ଭ

ଭଦ୍ରକ,୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଧାମନଗର ସ୍ଥିତ ସାଇକଲ୍ୟାଣ ମଣ୍ଡପ ଠାରେ ସ୍ମାର୍ଟକାର୍ଡ଼ ବଂଟନର ଶୁଭାରମ୍ଭ କରିଛନ୍ତି । ଶନିବାର ପୂର୍ବାହ୍ନରେ ଧାମନଗର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ସ୍ମାର୍ଟକାର୍ଡ଼ ବଂଟନ କାର୍ଯ୍ୟ୍ରକ୍ରମରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର ସଭା ସଂଚାଳନା କରିଥିବାବେଳେ ମାନନୀୟା ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟଅତିଥି, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଓ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ ସରକାରଙ୍କ ଦ୍ୱାରା ବଂଟନ କରାଯାଉଥିବା ସ୍ୱାସ୍ଥ୍ୟବୀମା କାର୍ଡ଼ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ପରେ ହିତିଦାଧିକାରୀଙ୍କୁ କାର୍ଡ଼ ବଂଟନ କରାଯାଇଥିଲା । ସେହିପରି ରାଧାବଲ୍ଲଭପୁର ପଂଚାୟତ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ସ୍ମାର୍ଟକାର୍ଡ଼ ବଂଟନ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ନାୟକ ସଭାପତିତ୍ୱ କରିଥିବାବେଳେ କଲ୍ୟାଣୀ ପଂଚାୟତ ସ୍ଥିତ ଉଚ୍ଚ ବିଦ୍ୟାଳୟରେ ବରିଷ୍ଠ ସମିତି ସଭ୍ୟ ହରେକୃଷ୍ଣ ପାଢୀ ସଭାପତିତ୍ୱ କରିଥିଲେ । ଉଭୟ କାର୍ଯ୍ୟକ୍ରମରେ ବରିଷ୍ଠ ସମିତିସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ଧାମନଗର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ବ୍ଲକ ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, ରାଧାବଲ୍ଲଭପୁର ସରପଂଚ ଟୁନିବାଳା ବିଶ୍ୱାଳ, ସମିତିସଭ୍ୟ ରଣଜିତ୍ ଜେନା, କଲ୍ୟାଣୀ ସମିତିସଭ୍ୟ ଅକ୍ଷୟ ଦତ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟା ମାଧୁରି ପଲାଇ, ସରପଂଚ ମଞ୍ଜୁଲତା ନାୟକ, ଗୋପାଳ ବେହେରା, ଶିବବ୍ରତ ଦାସଙ୍କ ସମେତ ବିଜେଡ଼ି ବ୍ଲକ ସଭାପତି ଉମେଶ ମହାନ୍ତି, ଯୁବସଭାପତି ଭାରତବିଜୟ ଦଳାଇ, ଛାତ୍ର ସଭାପତି ତୁସାରକାନ୍ତ ମହାପାତ୍ର, ନଗରସଭାପତି ସୁଶାନ୍ତ କୁମାର ରାଉତ, ନଗର ଯୁବସଭାପତି ସେକ୍ ସୟଫୁଦ୍ଦିନ୍‌, ନଗର ମହିଳା ସଭାନେତ୍ରୀ ନିବେଦିତା ଜେନା, ସାଂସଦ ପ୍ରତିନିଧି ଶରତଚନ୍ଦ୍ର ମହାନ୍ତି, ପୂର୍ବତନ ସମିତିସଭ୍ୟ ବିଦ୍ୟାଧର ରାଉତ, ସମାଜସେବୀ ସୀତାକାନ୍ତ ମିଶ୍ର, ଅକ୍ଷୟ ନାୟକ, ସନ୍ଦୀପ ଶେଖର ସ୍ୱାଇଁ, ରାଜେ୍‌ଦ୍ର ପଲାଇ ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷେ ଭଟ୍ଟସାହି ପଂଚାୟତର ନାରାୟଣ ପଡ଼ିଆ, ନଦୀଗାଁ ହାଇସ୍କୁଲ, ଅର୍ଜୁନପୁର ଜୟକିଷାନ ହାଇସ୍କୁଲ ପଡ଼ିଆ, ହସନାବାଦ ପଂଚାୟତ ସ୍କୁଲ ପଡ଼ିଆ, ଧୂଷୁରୀ ପଂଚାୟତ ଅଫିସ ପରିସରରେ ବୟାଂଡ଼ିହ ବାତ୍ୟା ଆଶ୍ରୟ ସ୍ଥଳ ଓ ସାହସପୁର ପଂଚାୟତରେ ଏହି ସ୍ୱାସ୍ତ୍ୟକାର୍ଡ଼ ଉପରୋକ୍ତ ଅଧିକାରୀଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ସରକାରଙ୍କ ଦ୍ୱାରା ଖାଦ୍ୟ ସୁରକ୍ଷା ଯୋଜନାରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଏହି କାର୍ଡ଼ ବଂଟନ କରାଯିବାର ବ୍ୟବସ୍ଥା କରାଯାଇଥିଲା । ପର୍ଯ୍ୟାୟ କ୍ରମେ ବ୍ଲକ ଅଂଚଳର ଅନ୍ୟ ପଂଚାୟତ ଗୁଡ଼ିକରେ ସ୍ମାର୍ଟକାର୍ଡ଼ ବଂଟନ କରାଯିବ ବୋଲି ବ୍ଲକ ଦାୟିତ୍ୱରେ ଥିବା ଜିଲ୍ଲା ଯୋଜନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଉମେଶଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି ।