Odiapua.com

ଧାମନଗରରେ ବାସନ୍ତୀଦୁର୍ଗାଙ୍କ ଜମିରେ ବେଆଇନ ଘର ନିର୍ମାଣ କାର୍ଯ୍ୟ ଉପରେ ରୋକ

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ମା ବାସନ୍ତୀଦୁର୍ଗା ଙ୍କ ଜମିକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଉପ-ଜିଲ୍ଲାପାଳଙ୍କ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ପ୍ରଦାନ କରିଛନ୍ତି। ଶ୍ୟାମପୁର ମୌଜାର ମା ବାସନ୍ତୀ ଦୁର୍ଗା ଙ୍କ ଜମିରେ ଚାଲିଥିବା ଅବୈଧ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ଉକ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି ଧାମନଗର ସ୍ଥିତ ଶ୍ୟାମପୁର ମୌଜାର ଖାତା ନଂ ୯୮୪, ପ୍ଲଟ ନଂ ୨୬୮୨ (୦.୧୦ ଏକର) ବାସନ୍ତୀ ଠାକୁରାଣୀ ବିଜେ ନିଜଗାଁ’ ନାମରେ ରହିଛି। ଏହି ଜମିରେ ଅପର ପକ୍ଷ ଦ୍ୱାରା ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏହି ମାମଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।ତହସିଲଦାର ଏବଂ ଧାମନଗର ପୋଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ଭଦ୍ରକ ଉପ-ଜିଲ୍ଲାପାଳ ବିଏନଏସ -୨୦୨୩ର ଧାରା ୧୬୪ ଅନୁଯାୟୀ ଏହି ମାମଲାର ଶୁଣାଣି କରିଛନ୍ତି। ବିବାଦୀୟ ଜମିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଧାମନଗର ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବିବାଦୀୟ ଜମିର ସ୍ଥିତିରେ କୌଣସି ପରିବର୍ତ୍ତନ କିମ୍ବା କ୍ଷତି କରିବାକୁ ବିରୋଧୀ ପକ୍ଷକୁ ବାରଣ କରାଯାଇଛି। ଉକ୍ତ ଅଞ୍ଚଳରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ପୋଲିସକୁ କଡ଼ା ଦୃଷ୍ଟି ଦେବାକୁ କୁହାଯାଇଛି। ଆସନ୍ତା ଅଗଷ୍ଟ ୧୦, ୨୦୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନା ଥାଉକି ଧାମନଗର ବଜାର ସନ୍ନିକଟ ରେ ମା ବାସନ୍ତୀ ଦୁର୍ଗା ଙ୍କ ମନ୍ଦିର ରହିଛି ଏଠାରେ ବାର୍ଷିକ ପୂଜା ବେଶ ଯାକ ଜକମ ରେ ହୁଏ ତେବେ ଏହି କିଛି ବର୍ଷ ହେବ କମିଟି ଭିତରେ କିଛି ବାଦ ବିବାଦ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।